ଫକୀରମୋହନଙ୍କ କବିତା ପଢ଼ିଲେ ବିଶ୍ବର ବିଭିନ୍ନ କୋଣରେ ଥିବା ଓଡ଼ିଆ ଛାତ୍ରଛାତ୍ରୀ
ନୂଆଦିଲ୍ଲୀ: ଫକୀରମୋହନ ଫାଉଣ୍ଡେସନ୍, ଓଡ଼ିଶା ଶାଖା ପକ୍ଷରୁ ଅଗଷ୍ଟ ୭ ଓ ୮ ତାରିଖରେ କେବଳ ଫକୀରମୋହନଙ୍କ କବିତାକୁ ନେଇ ଏକ ଅନ୍ତର୍ଜାତୀୟ ସ୍ତରରେ ନଭସଞ୍ଚାରୀ(Online) କବିତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏଥିରେ ତିନୋଟି ପର୍ଯ୍ୟାୟର ପ୍ରତିଯୋଗିତାରେ ପ୍ରଥମରୁ ପିଏଚ୍ଡି ପର୍ଯ୍ୟନ୍ତ ଓ ଓଡ଼ିଶାରୁ ଆମେରିକା ଯାଏଁ ପ୍ରାୟ ୨୦୦ ଛାତ୍ରଛାତ୍ରୀ ଭାଗ ନେଇଥିଲେ।
ଯୁକ୍ତରାଷ୍ଟ୍ର ଆମେରିକାର ଓଡ଼ିଶା ସୋସାଇଟି ଅଫ ଆମେରିକା (ଓସା)ର ସଭାପତି ଶ୍ରୀମତୀ କୁକୁ ଦାସ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ଓଡ଼ିଆ ଭାଷାର ସୁରକ୍ଷା ପାଇଁ କାମ କରିବାକୁ ଉଦବୋଧନ ଦେଇଥିଲେ। ପ୍ରଥମରୁ ସପ୍ତମ, ଅଷ୍ଟମରୁ ଦ୍ବାଦଶ ଓ ସ୍ନାତକରୁ ପିଏଚ୍ଡି ପର୍ଯ୍ୟନ୍ତ ତିନୋଟି ଦଳରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ଯଥାକ୍ରମେ ୧୦୦୦ ଟଙ୍କା, ୮୦୦ ଟଙ୍କା ଓ ୫୦୦ ସହ ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ରହିଛି।
ପ୍ରତିଯୋଗିତା ଆରମ୍ଭରେ ଅନୁଷ୍ଠାନର ମ୍ୟାନେଜିଂ ଟ୍ରଷ୍ଟି ମୋନିକା ଦାସ ଓଡ଼ିଶାର ଭାଷା ଆନ୍ଦୋଳନରେ ଫକୀରମୋହନ ସେନାପତିଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରଥମ ଦିନ ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ଅଧ୍ୟାପିକା ଶର୍ମିଷ୍ଠା ମହାପାତ୍ର ଓ ଅଧ୍ୟାପିକା ସଂଘମିତ୍ରା ମହାପାତ୍ର। ପ୍ରଥମ ଦିନରେ ବିଚାରକ ଭାବେ ସଙ୍ଗୀତ ବିଶାରଦ ଶ୍ରୀଯୁକ୍ତ ରାଜେନ୍ଦ୍ର ଜେନା, କବି ସୁଷମା ମିଶ୍ର , ଗାୟିକା ଅନିଂଦିତା ଦାସ, କବି ଶରତ ଜେନା ଯୋଗ ଦେଇଥିଲେ। ସଙ୍ଗୀତ ବିଶାରଦ ରାଜେନ୍ଦ୍ର ଜେନା ଫକୀରମୋହନଙ୍କ ରଚିତ ଏକ କବିତାକୁ ସଙ୍ଗୀତ ରୂପରେ ପରିବେଷଣ କରିଥିଲେ।
ଦ୍ଵିତୀୟ ଦିନ ରେ ବିଚାରକ ଭାବେ ଯୋଗ ଦେଇଥିଲେ ବିଶିଷ୍ଟ ଗାୟିକା ସଂଗୀତା ଗୋସାଇଁ, କବି ସେନାପତି ପ୍ରଦ୍ୟୁମ୍ନ କେଶରୀ ଓ କବି ବିମଳ ଜେନା। ଦ୍ଵିତୟ ଦିନର କବିତା ଆବୃତ୍ତିକୁ ଅନୁଷ୍ଠାନର ସଭ୍ୟ ଅଧ୍ୟାପିକା ସଂଘମିତ୍ରା ଭଞ୍ଜ ସଂଯୋଜନା କରିଥିଲେ। ଦୁଇଦିନ ଧରି ଖୁବ୍ ସଫଳତାର ସହ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଫାଉଣ୍ଡେସନ୍ର ଓଡ଼ିଶା ଶାଖାର ନିର୍ଦ୍ଦେଶିକା ଲେଖିକା ହିରଣ୍ମୟୀ ମିଶ୍ର ସଂଚାଳନ କରିଥିବା ବେଳେ ଫାଉଣ୍ଡେସନର ସଚିବ ଅଧ୍ୟାପକ ରବୀନ୍ଦ୍ର କୁମାର ଦାସ ଏଥିରେ ସଭାପତିତ୍ବ କରିଥିଲେ। ଫାଉଣ୍ଡେସନର ସଚିବ ଲେଖକ ରବୀନ୍ଦ୍ର କୁମାର ଦାସ ସଭା ଶେଷରେ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ।
Comments are closed.