Odisha Link
Bridging the Missing Links in Odisha

ଆସନ୍ତାକାଲି କେନ୍ଦୁଝର ଗସ୍ତ କରିବେ ବିଜେପି ପ୍ରତିନିଧି ଦଳ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀଙ୍କ ‘ହାଉସିଂ ଫର୍ ଅଲ୍‌’ ଯୋଜନାରେ ୨୦୨୨ ସୁଦ୍ଧା ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି। ଅନ୍ୟପଟେ ରାଜ୍ୟସରକାର ଏହି ଜନ କଲ୍ୟାଣ ଯୋଜନାକୁ ଭଷ୍ଟ୍ରାଚାର ମାଧ୍ୟମରେ ଭଣ୍ଡୁର କରିବା ପାଇଁ ସମସ୍ତ ପ୍ରକାର ଷଡ଼ଯନ୍ତ୍ର ଆପଣାଇଛନ୍ତି। ବିଶେଷ କରି ଆଦିବାସୀ ବହୁଳ ଓଡିଶା ରାଜ୍ୟରେ ଆଦିବାସୀଙ୍କ ପାଇଁ ମୋଦି ସରକାର ଅନେକ ଜନକଲ୍ୟାଣକାରୀ ଯୋଜନା କରିଥିଲେ ବି ସେମାନେ ସମସ୍ତ ପ୍ରକାରର ସୁବିଧାରୁ ବଞ୍ଚିତ ରହିଛନ୍ତି। ଏପରିକି ସାଧାରଣ ବାସଗୃହ ପାଇଁ ସେମାନଙ୍କ ଠାରୁ ଅର୍ଥ ଆଦାୟ କରାଯାଉଛି ଏବଂ ଆବାସ ଯୋଜନାରେ ମିଳୁଥିବା ଟଙ୍କାକୁ ଲୁଟ୍ କରାଯାଉଛି। ଗତ କିଛି ଦିନ ଧରି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପିଠାଗୋଲା ପଞ୍ଚାୟତର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବ୍ୟାପକ ଦୁର୍ନୀତି ସାମ୍ନାକୁ ଆସିଛି। ଏହି ଅଞ୍ଚଳରେ ୧୩ଟି ନିର୍ଦ୍ଦିଷ୍ଟ ଦୁର୍ବଳ ଜନଜାତି ଗୋଷ୍ଠୀ ବା ପି.ଭି.ଟି.ଜି ଅନ୍ତର୍ଭୃକ୍ତ ଜୁଆଙ୍ଗ ଜନଜାତି ହିତାଧିକାରୀଙ୍କୁ ବାସଗୃହ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରଦତ ଅର୍ଥରେ ବ୍ୟାପକ ଆର୍ଥିକ ଅନିୟମିତତା ହୋଇଛି ବୋଲି ରାଜ୍ୟ ବିଜେପି ଅଭିଯୋଗ କରିଛି।

ଏହି ପରିପ୍ରେକ୍ଷୀରେ ସଂପୃକ୍ତ ଅଞ୍ଚଳ ପରିଦର୍ଶନ କରି ତଥ୍ୟ ସଂଗ୍ରହ କରିବା ପାଇଁ ଆସନ୍ତାକାଲି ଅଗଷ୍ଟ ୨୧ ତାରିଖରେ ଏକ ରାଜ୍ୟସ୍ତରୀୟ ପ୍ରତିନିଧୀ ଦଳ ସଂପୃକ୍ତ ଅଞ୍ଚଳକୁ ଯାଇ ଜନଜାତି ହିତାଧିକାରୀଙ୍କ ସହ ଆଲୋଚନା କରିବା ସହ ବାସ୍ତବ ସ୍ଥିତି ପରଖିବେ। ପରେ ଏ ସଂକ୍ରାନ୍ତରେ ରାଜ୍ୟ ସଭାପତିଙ୍କୁ ରିପୋର୍ଟ ପ୍ରଦାନ କରିବ। ରାଜ୍ୟ ମୁଖପାତ୍ର ଶ୍ରୀ ସତ୍ୟବ୍ରତ ପଣ୍ଡାଙ୍କ ନେତୃତ୍ୱରେ ଗଠିତ ଏହି କମିଟିରେ ଅନ୍ୟତମ ରାଜ୍ୟ ପ୍ରବକ୍ତା ଶ୍ରୀମତୀ ସୋନାଲି ସାହୁ, ଶ୍ରୀ ଠାକୁର ରଂଜିତ ଦାସ, କେନ୍ଦୁଝର ଜିଲ୍ଲା ସଭାପତି ଶ୍ରୀ ଅଂଶୁମାନ ସବୁଜ ମହନ୍ତ ବର୍ମା ଓ କେନ୍ଦୁଝର ଜିଲ୍ଲା ପ୍ରଭାରୀ ଶ୍ରୀ ନବୀନ ରାମ ପ୍ରମୁଖ ଘଟଣାସ୍ଥଳକୁ ଯାଇ ସରଜମିନ ତଦନ୍ତ କରିବେ।

Comments are closed.