Odisha Link
Bridging the Missing Links in Odisha

ବିନା ଶ୍ରଦ୍ଧାଳୁରେ କଟକରେ ଦୁର୍ଗା ପୂଜାକୁ ଅନୁମତି

କଟକ : କଟକରେ ଦୁର୍ଗାପୂଜାକୁ ମିଳିଲା ଅନୁମତି। ମଣ୍ଡପରେ ପୂଜା ପାଇବେ ମା’ ଦୁର୍ଗା। ବିନା ଶ୍ରଦ୍ଧାଳୁରେ ପୂଜା କମିଟି ଗୁଡିକ ଦୁର୍ଗାପୂଜା କରି ପାରିବେ ବୋଲି କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ମାତ୍ର  ସାର୍ବଜନୀନ ଦୁର୍ଗାପୂଜାକୁ ଅନୁମତି ନାହିଁ। ମନ୍ଦିରରେ ପୂଜା ପାଇଲା ପରି ମଣ୍ଡପରେ ପୂଜା ପାଇ ପାରିବେ ମୃଣୟୀ ପ୍ରତିମା। ଜିଲ୍ଲାପାଳଙ୍କ ଏଭଳି ନିଷ୍ପତ୍ତିକୁ କଟକ ସହରର ବିଭିନ୍ନ ପୂଜା କମିଟି ସ୍ବାଗତ କରିଛନ୍ତି।

ସୂଚନାଯୋଗ୍ୟ, କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କଟକରେ ମଣ୍ଡପରେ ଦୁର୍ଗାପୂଜା ହେବ ନାହିଁ ବୋଲି ଜିଲ୍ଲାପାଳ କହିଥିଲେ। କଟକରେ ଦୁର୍ଗାପୂଜା ହେଲେ ସହରରେ ସାମାଜିକ ଦୂରତା ରହିବ ନାହିଁ। ଏହାକୁ ଦୃଷ୍ଟିରେ ରଖି ପୂଜା ବନ୍ଦ ରଖିବାକୁ ଜିଲ୍ଲାପାଳ ନିଷ୍ପତ୍ତି ନେଇଥିଲେ। ମାତ୍ର ଆଜି ବିନା ଶ୍ରଦ୍ଧାଳୁରେ ଜିଲ୍ଲାପାଳ ମଣ୍ଡପରେ ପୂଜାକୁ ଅନୁମତି ଦେଇଛନ୍ତି।

କଟକ ଦଶହରା ସହିତ ୫ ଶହ ବର୍ଷର ଇତିହାସ ଓ ପରମ୍ପରା ଯୋଡି ହୋଇ ରହିଛି। ତେଣୁ ଗୋଟିଏ ମହାମାରୀ କାରଣରୁ ଏହାକୁ ବନ୍ଦ କରାଯାଇପାରିବ ନାହିଁ  ଯୁକ୍ତିକୁ ଆଧାର କରି ହାଇକୋର୍ଟରେ ଦାଏର ହୋଇଥିଲା ଜନସ୍ବାର୍ଥ ମାମଲା। ମାମଲା ଦାଏର କରିଥିଲେ କଟକ ବାଲୁବଜାର ପୁଜା କମିଟି ସଭାପତି ତଥା ଆଡଭୋକେଟ୍ ସୂର୍ଯ୍ୟକାନ୍ତ ସାଙ୍ଗନାରିଆ। ଦାଏର ପିଟିସନରେ ସେ ଉଲ୍ଲେଖ କରିଥିଲେ ଯେ, କଟକ ଦଶହରା ବିଶେଷ କରି ବାଲୁବଜାର ସ୍ଥିତ ବିନୋଦବିହାରୀ ପୀଠ ସହିତ ୫ ଶହ ବର୍ଷର ପରମ୍ପରା ଯୋଡି ହୋଇ ରହିଛି। ଅଗଣିତ ଶ୍ରଦ୍ଧାଳୁଙ୍କ ଆସ୍ଥାର ପ୍ରତୀକ ହେଉଛି କଟକ ଦଶହରା। ତେଣୁ କୋଭିଡ୍ କଟକଣାର ଆଳ ଦେଖାଇ ଦଶହରାକୁ ବନ୍ଦ କରିବା ପରିବର୍ତ୍ତେ ନିର୍ଦ୍ଦିଷ୍ଟ ସର୍ତ୍ତ ଆଧାରରେ ପୂଜା ପାଇଁ ଅନୁମତି ଦେବାକୁ ସେ ଆବେଦନ କରିଥିଲେ। ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ଯେପରି ଅନୁମତି ଦିଆଗଲା ସେହି ଆଧାରରେ କଟକ ଦଶହରା ଲାଗି ଅନୁମତି ଦେବାକୁ ଆବେଦନ କରିଥିଲେ ମାମଲାର ଆବେଦନକାରୀ ଆଡଭୋକେଟ୍ ସୂର୍ଯ୍ୟକାନ୍ତ।

Comments are closed.