Odisha Link
Bridging the Missing Links in Odisha

ପୂଜା ଛୁଟି ଯାଏଁ ସ୍କୁଲ, କଲେଜ ବନ୍ଦ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପୂଜା ଛୁଟି ପର୍ଯ୍ୟନ୍ତ ସ୍କୁଲ କଲେଜ ବନ୍ଦ ରହିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି। ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟରେ କୋଭିଡ ପରିଚାଳନା ସଂପର୍କରେ ସମୀକ୍ଷା କରିବା ଅବସରରେ ପୂଜା ଛୁଟି ପର୍ଯ୍ୟନ୍ତ ସ୍କୁଲ କଲେଜ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି । ବର୍ତମାନ ପରିସ୍ଥିତିରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଉଦବେଗକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେହିପରି ଗ୍ରାମ୍ୟ ଅର୍ଥନୀତିର ପୁନଃରୁଦ୍ଧାର ପାଇଁ ଅଧିକ ଋଣ ସହାୟତା, MSME, କୃଷି, ମତ୍ସ୍ୟ ଓ ପଶୁପାଳନ ଏବଂ SHG ଉପରେ ଅଧିକ ଫୋକସ୍‌ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। କୋଭିଡ ପରିସ୍ଥିତି ଯୋଗୁ ଅନ୍ୟ ରାଜ୍ୟରୁ ଆସିଥିବା ଭାଇଭଉଣୀମାନେ ଯେପରି ଓଡିଶାରେ ରୋଜଗାର ପାଇପାରିବେ, ସେଥିପାଇଁ ସେମାନଙ୍କୁ ଛୋଟ ଛୋଟ ବ୍ୟବସାୟ ପାଇଁ ରିହାତିରେ ଋଣ ଯୋଗାଇ ଦିଆଯିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ । ସେହିପରି ନିର୍ମାଣ ଶ୍ରମିକ ଯୋଜନାରେ ସେମାନଙ୍କର ଦକ୍ଷତା ନିରୂପଣ ଓ ପଞ୍ଜିକରଣ ସୁବିଧାରେ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଛେଳି, କୁକୁଡା ପାଳନ, ମତ୍ସ୍ୟ ଚାଷ ଆଦି ବିଭିନ୍ନ ଜୀବିକା କାର୍ଯ୍ୟକ୍ରମ ଲୋକଙ୍କୁ ରୋଜଗାର ଦେବାରେ ବିଶେଷ ସଫଳ ହେଉଥିବାରୁ, ଏହାକୁ ଅଧିକ ବ୍ୟାପକ କରିବା ଏବଂ ଅଧିକ ଲୋକଙ୍କୁ ଏଥିରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ମାସ୍କ ତିଆରିରେ ନିୟୋଜିତ ଥିବା SHGର ମା ମନେ ଯେଭଳି ଏହି ସମୟରେ ରୋଜଗାର କରିପାରିବେ, ସେଥିପାଇଁ ବିଧାୟକ ଆଞ୍ଚଳିକ ବିକାଶ ପାଣ୍ଠି ଅର୍ଥରେ SHGରୁ ମାସ୍କ କିଣାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। SHG ମାନେ ଯେପରି ସୁବିଧାରେ ଋଣ ପାଇପାରିବେ, ସେଥିପାଇଁ ଦୃଷ୍ଟି ରଖିବା ସହିତ ବ୍ୟାଙ୍କ ମାନଙ୍କ ସହିତ ଯୋଗାଯୋଗରେ ରହିବା ପାଇଁ ପରାମର୍ଶ ଦେଇଥିଲେ। ଗ୍ରାମାଞ୍ଚଳରେ ନିର୍ମାଣ କାର୍ଯ୍ୟ ବିଶେଷ କରି ଗୃହ ନିର୍ମାଣ କାମ ଉପରେ ଅଧିକ ଗୁରୁତ୍ବ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଏତଦ୍‌ବ୍ୟତୀତ ଚାଷୀ ମାନଙ୍କୁ ସୁବିଧାରେ ଏବଂ ଶୀଘ୍ର କୃଷି ଋଣ ଯୋଗାଣ ଏବଂ କ୍ଷୁଦ୍ର, ମଧ୍ୟମ ଓ ଅଣୁ ଶିଳ୍ପର ପୁନରୁଦ୍ଧାରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସହାୟତା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

କୋଭିଡ ପରିଚାଳନା ସଂପର୍କରେ ମୁଖ୍ୟମନ୍ତ୍ରୀ କହିଥିଲେ ମହାମାରୀ ସମୟରେ ଆତ୍ମସନ୍ତୋଷ ହିଁ ସବୁଠାରୁ ବଡ ଶତ୍ରୁ । ତେଣୁ ସାଧାରଣ ଲୋକ ହୁଅନ୍ତୁ, ବା ସରକାରୀ କର୍ମଚାରୀ ସମସ୍ତେ ଏଥିପ୍ରତି ସତର୍କ ରହି କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ରାଜ୍ୟରେ ଅଧିକ testing କରାଯାଉଥିବା ସହିତ positivity ହାର କମିଥିବା ଏବଂ ମୃତ୍ୟୁ ହାର ମଧ୍ୟ କମି ଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ। Hotspot ଜିଲ୍ଲା ମାନଙ୍କରେ ଯେଉଁ ଅଞ୍ଚଳଭିତ୍ତିକ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି, ତାକୁ କଡାକଡ ଭାବରେ ପାଳନ କରିବା ସହିତ ଆଗାମୀ ସପ୍ତାହ ବେଳକୁ ଯେଭଳି ପରିସ୍ଥିତିରେ ଆଖିଦୃଶିଆ ଉନ୍ନତି ଆସିପାରିବ, ସେ ଦିଗରେ କାମ କରିବା ପାଇଁ ଜିଲ୍ଲା ପର୍ଯ୍ୟବେକ୍ଷକ ମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ବିଭିନ୍ନ ଆଞ୍ଚଳିକ କୋଭିଡ ଚିକିତ୍ସାଳୟ ମାନଙ୍କରେ ଆବଶ୍ୟକ ମୁତାବକ ICU ଶଯ୍ୟାର ଉପଲବ୍‌ଧତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ। ତା ସହିତ କୋଭିଡ ନିୟମାବଳୀକୁ କଡାକଡି ଭାବରେ ପାଳନ କରି ସରକାରୀ ଅଫିସ ଗୁଡିକୁ ସଂକ୍ରମଣମୁକ୍ତ ରଖିବାକୁ ସବୁପ୍ରକାର ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

Comments are closed.