Odisha Link
Bridging the Missing Links in Odisha

ରାଜ୍ୟରେ ଭାଲୁ ଆତଙ୍କ: ବର୍ଷାରେ ଘରେ ପଶିଲେ ଭାଲୁ, ବୃଦ୍ଧାଙ୍କୁ କଲେ ଆକ୍ରମଣ

ନୂଆପଡା: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ଭାଲୁ ଆତଙ୍କ। ବିଗତ କିଛି ଦିନ ହେବ ରାଜ୍ୟରେ ଦେଖିବାକୁ ମିଳୁଛି ଭାଲୁ ଆତଙ୍କ। ନୂଆପଡା ଜିଲା ବୋଡେନ ଥାନା ଅନ୍ତର୍ଗତ ଲର୍କା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଘର ଭିତରେ ଥିବା ଜଣେ ବୃଦ୍ଧାଙ୍କୁ ଭାଲୁ ଆକ୍ରାମଣ କରିଥିବା ଜଣାପଡ଼ିଛି। ବୃଦ୍ଧା ଜଣଙ୍କ ହେଲେ ସେହି ଗ୍ରାମର କୁଲାଙ୍ଗ୍ରୀ ତାଣ୍ଡି।

କୁଲାଙ୍ଗ୍ରୀ ଲର୍କା ଗ୍ରାମର ଜଙ୍ଗଲର ତଳି ଅଞ୍ଚଳରେ ଏକ ଘର ନିର୍ମାଣ କରି ରୁହନ୍ତି। ଗତ ରାତିରେ ପ୍ରବଳ ବର୍ଷା ହେବାରୁ ଜଙ୍ଗଲର ଦୁଇଟି ଭାଲୁ ବାଟବଣା ହୋଇ ବୃଦ୍ଧାଙ୍କ ଘର ଭିତରକୁ ପଶି ଆସିଥିଲେ। ଭାଲୁଙ୍କୁ ଦେଖି ବୃଦ୍ଧା ଜଣକ ଭୟଭୀତ ହୋଇ ସେମାନଙ୍କୁ ଘଉଡାଇବାକୁ ଉଦ୍ୟମ କରିବାରୁ ଭାଲୁ ମାନେ ବୃଦ୍ଧାଙ୍କୁ ଆକ୍ରମଣ କରି ଘାଇଲା କରିଦେଇଥିଲେ।

ଅପରପକ୍ଷେ ଘରର ଅନ୍ୟ ଲୋକମାନେ ମଧ୍ୟ ଭାଲୁକୁ ଘଉଡାଇବାରୁ ଭାଲୁ ମାନେ ପୁନଃ ଜଙ୍ଗଲକୁ ଚାଲିଯାଇଥିବା ସୂଚନା ରହିଛି। ବୃଦ୍ଧାଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ଗୁରୁତର ଅବସ୍ଥାରେ ବୋଡେନ ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନାଥାଉକି, ଗତକାଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ନୀଳଗିରି ସ୍ଥିତ ଘର ବାଡ଼ିରେ ଭାଲୁ ପଶିଥିବା ଖବର ଆସିଥିଲା। କିଛି ଦିନ ତଳେ ଭବାନୀପାଟଣା ସହରରେ ଭାଲୁ ଆତଙ୍କ ଦେଖିବାକୁ ମିଳିଥିଲା।

Comments are closed.