Odisha Link
Bridging the Missing Links in Odisha

ବିଜେଡିର ଏଣ୍ଡୁ୍ଅ ଅବତାର: କୃଷି ବିଲ୍‌କୁ ଲୋକସଭାରେ ସମର୍ଥନ, ରାଜ୍ୟସଭାରେ ବିରୋଧ

ଭୁବନେଶ୍ବର: କୃଷି ବିଲ୍‌ ବାବଦରେ ପୁଣି ରଙ୍ଗ ବଦଳାଇଛି ବିଜୁ ଜନତା ଦଳ (ବିଜେଡି)। କେନ୍ଦ୍ର ସରକାରଙ୍କ ଦ୍ବାରା ଆହୁତ ଏହି ବିଲ୍‌କୁ ବିଜେଡି ପୂର୍ବରୁ ଲୋକସଭାରେ ପୂର୍ଣ୍ଣ ସମର୍ଥନ ଦେଇଥିବା ବେଳେ ଆଜି ରାଜ୍ୟସଭାରେ ବିରୋଧ କରିଛି। ବିଜେଡିର ଏଭଳି ଦ୍ବେତ ଅବତାର ପଛରେ ଏହାର ଆଭିମୁଖ୍ୟ କ’ଣ ତାହା ସ୍ପଷ୍ଟ ହେଉନାହିଁ।

ଏଇଠି ପାଠକଙ୍କୁ ମନେ ପକାଇ ଦୋବକୁ ଚାହୁଁଛି, ୨୦୧୯ ଜୁଲାଇ ୨୫ ତାରିଖରେ ସଂସଦରେ ବିଜେଡିର ଏହି ରଙ୍ଗବଦଳା ରୂପ ଦେଖିବାକୁ ମିଳିଥିଲା। ସୂଚନା ଅଧିକାର ଆଇନ ସଂଶୋଧନ ବିଲ୍‌କୁ ବିଜେଡି ଅନୁରୂପ ଭାବେ ସମର୍ଥନ ଓ ବିରୋଧ କରିଥିଲା। ସଂସଦରେ ତର୍କ ବେଳେ ବିଜେଡି ସାଂସଦମାନେ ଆର୍‌ଟିଆଇ ସଂଶୋଧନକୁ ବେଶ୍‌ ବଳ ଲଗାଇ ବିରୋଧ କରିଥିବା ବେଳେ ପରେ ଏହା ସମର୍ଥନରେ ଭୋଟ ଦେଇ ନିଜ ମୁହଁ ନାଲି କରିଥିଲେ।

କେବଳ ନିର୍ବାଚନ ସମୟରେ ବିଜେପି ଠାରୁ ନିଜକୁ ଦୂରରେ ରଖି ଏକ ବିରୋଧୀ ଦଳ ଭଳି ପ୍ରତୀୟମାନ ହେଉଥିବା ବିଜୁ ଜନତା ଦଳ ଅନ୍ୟ ସମୟରେ ଅଲିଖିତ ଭାବେ କେନ୍ଦ୍ରରେ ଶାସନ କରୁଥିବା ଏନ୍‌ଡିଏର ଏକ ଅଂଶୀଦାର ଦଳ ଭଳି କାର୍ଯ୍ୟ କରୁଛି। ଏହାର ସବୁଠୁ ବଡ଼ ଉଦାହାରଣ ଥିଲା ଜଣେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ ରାଜ୍ୟସଭା ପଠାଇବାର ସମସ୍ତ ସୁଯୋଗ ଥିବା ସତ୍ତ୍ବେ ଓଡ଼ିଶାର ଏହି ଏକାମତ୍ର ଆଞ୍ଚଳିକ ଦଳ ବିଜେପି ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କୁ ସମର୍ଥନ କରି ରାଜ୍ୟସଭା ପଠାଇଥିଲା।

ଦୁଇଦିନ ତଳେ ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଘରେ ଚିଟ୍‌ଫଣ୍ଡ୍‌ ମାମଲାରେ ସିବିଆଇ ଚଢ଼ାଉ ପରେ ବିଜେଡି ଜାଣିଶୁଣି ରାଜ୍ୟସଭାରେ ଆଜି କୃଷି ବିଲ୍‌କୁ ବିରୋଧ କରିଛି ବୋଲି କେହି କେହି ଅନୁମାନ କରୁଛନ୍ତି। ଆର୍‌ଟିଆଇ ଆଇନ ସଂଶୋଧନ ବିଲ୍‌ ଆଗତ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବୀନ ପଟ୍ଟନାୟକଙ୍କୁ ଫୋନ୍‌ କରିବା ପରେ ବିରୋଧରେ ଗର୍ଜୁଥିବା ସାଂସଦମାନେ ଯେଭଳି ନିଜ ଛେପ ଢୋକି ସମର୍ଥନ କରିବାକୁ ବାଧ୍ୟ ହୋଇଥିଲେ, କୃଷି ବିଲ୍‌ ପ୍ରସଙ୍ଗରେ ସେଭଳି କିଛି ରାଜନୈତିକ ନାଟକବାଜିର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। ଯଦି କୃଷି ବିଲ୍‌ ନେଇ ଭୋଟ୍‌ ହୁଏ, ଆଜି ବିରୋଧ କରିଥିବା ବିଜେଡି ସାଂସଦ ହୁଏତ ପୁଣି ଥରେ ସମର୍ଥନ କରିପାରନ୍ତି।

ଏଠାରେ ପ୍ରଣିଧାନ ଯୋଗ୍ୟ, କୃଷି ବିଲ୍‌କୁ କୃଷକବିରୋଧୀ ବୋଲି ଦାବି କରି ଅକାଳି ନେତ୍ରୀ ତଥା କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ହର୍‌ସିମ୍ରତ୍‌ କୌର୍‌ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିବା ବେଳେ ବିଜେଡିର ବିରୋଧ-ସମର୍ଥନ ନାଟକ ଓଡ଼ିଶାରେ ଉପନିର୍ବାଚନ ପୂର୍ବରୁ କିଛି ନୂଆ ସମୀକରଣର ସଙ୍କେତ ଦେଉଛି।

Comments are closed.