Odisha Link
Bridging the Missing Links in Odisha

୬ ମାସ ପରେ ଖୋଲିଲା ତାଜମହଲ

ଆଗ୍ରା : କରୋନା ମହାମାରୀ ଯୋଗୁଁ ଅନେକ ପରର୍ଯ୍ୟଟନ ସ୍ଥଳ ବନ୍ଦ ରହିଛି । ତେବେ ୬ ମାସ ହେବ ବନ୍ଦ ଥିବା ତାଜମହଲ ଖୋଲାଯାଇଛି । ତାଜମହଲ ଖୋଲିବା ପରେ ସର୍ବ ପ୍ରଥମେ ପ୍ରବେଶ କରିଥିଲେ ଜଣେ ଚାଇନିଜ ପର୍ଯ୍ୟଟକ ।ସେ ହେଲେ ଲିୟାଙ୍ଗ ଶି ଚେଙ୍ଗ ।

ସେ ବିଶ୍ୱ ପ୍ରସିଦ୍ଧ ବେଞ୍ଚରେ ବସି ଫଟୋ ମଧ୍ୟ ଉଠାଇଥିଲେ । ସୋମବାର ଦିନ ତାଜମହଲ ପରିଦର୍ଶନ କରିବାକୁ ଆସିଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଅଧିକାଂଶ ସ୍ଥାନୀୟ ଲୋକ ହିଁ ଥିଲେ । ଲିୟାଙ୍ଗ ଶି ଚେଙ୍ଗଙ୍କ ଛଡା ସ୍ପେନର ଜଣେ ବିଦେଶୀ ପର୍ଯ୍ୟଟକ ତାଜମହଲ ପରିଦର୍ଶନ କରିଥିଲେ ।

ତାଜମହଲ ପରିଦର୍ଶନ ପାଇଁ ପର୍ଯ୍ୟଟକଙ୍କ ପାଇଁ ଗାଇଡଲାଇନ ଜାରି କରାଯାଇଛି । ନୂଆ ଗାଇଡଲାଇନ ଅନୁଯାୟୀ, ଗୋଟିଏ ଦିନରେ ସର୍ବାଧିକ ୫ ହଜାର ଓ ଆଗ୍ରା ଦୁର୍ଗରେ ସର୍ବାଧିକ ୨୫୦୦ ପର୍ଯ୍ୟଟକଙ୍କୁ ପ୍ରବେଶ ମିଳିବ । ଉଭୟ ସ୍ଥଳରେ ଟିକେଟ କାଉଣ୍ଟର ବନ୍ଦ ରହିବ । ପର୍ଯ୍ୟଟକଙ୍କୁ ଏଏସଆଇ ୱେବସାଇଟରୁ ଅନଲାଇନ ଟିକେଟ ବୁକ କରିବାକୁ ହେବ ।

ସ୍ମାରକ ସ୍ଥଳରେ କ୍ୟୁଆର କୋଡ଼ ସ୍କାନ କରିବା ପରେ ପ୍ରବେଶ ଅନୁମତି ମିଳିବ । ଅଧିକାରୀଙ୍କ କହିବାନୁଯାୟୀ, ତାଜମହଲ ଓ ଆଗ୍ରା ଦୁର୍ଗର ମାନକ ପରିଚାଳନା ପ୍ରକ୍ରିୟା ପାଳନ କରିବାକୁ ହେବ । ଏହାଛଡା ତାଜମହଲରେ ଥିବା ଶାହଜାହାନ ଏବଂ ମମତାଜଙ୍କ ମୁଖ୍ୟ ସମାଧିରେ ଥିବା କକ୍ଷକୁ ଥରକେ ୫ ଜଣ ଯାଇପାରିବେ । ପର୍ଯ୍ୟଟକଙ୍କ ପାଇଁ ସଂଗ୍ରହାଳୟ ମଧ୍ୟ ଖୋଲା ରହିବ । ପର୍କିଙ୍ଗ ସମେତ ସମତା ପେମେଣ୍ଟ ଡିଜିଟାଲ ମାଧ୍ୟମରେ କରିବାକୁ ହେବ ।

ପର୍ଯ୍ୟଟକଙ୍କ ପାଇଁ ସାମାଜିକ ଦୂରତା ନିୟମ ପାଳନ କରିବା ସହ ମାସ୍କ ଲଗାଇବା ଅନିବାର୍ଯ୍ୟ । ପରିସର ମଧ୍ୟରେ କାନ୍ଥ ଓ ରେଲିଂ ଆଦିରୁ ପର୍ଯ୍ୟଟକଙ୍କୁ ଦୁରେଇ ରହିବାକୁ ହେବ । ଏହାଛଡା ଜୋତା କଭର, ପାଣି ବୋତଲ, ଟିସୁ ପେପର ଆଦି ଡଷ୍ଟବିନରେ ପକାଇବାକୁ ହେବ । ପରିସର ମଧ୍ୟରେ ଅଳିଆ ଆବର୍ଜନା କରିପାରିବେ ନାହିଁ । ସ୍ମାରକରେ ପ୍ରବେଶ ପୂର୍ବରୁ ପର୍ଯ୍ୟଟକଙ୍କ ଥର୍ମାଲ ସ୍କ୍ରିନିଙ୍ଗ କରାଯିବ ଏବଂ କୌଣସି ଲକ୍ଷଣ ନଥିବା ପର୍ଯ୍ୟଟକ ହିଁ ପରିସର ମଧ୍ୟକୁ ପ୍ରବେଶ କରିପାରିବେ । ସ୍ମାରକରେ ଥିବା ରେଜିଷ୍ଟରରେ ସମସ୍ତ ପର୍ଯ୍ୟଟକଙ୍କ ସମସ୍ତ ବିବରଣୀ ରେକର୍ଡ କରାଯିବ ।

 

Comments are closed.