ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧିତ ଅଧ୍ୟାଦେଶ ୨୦୨୦ ବିଶ୍ୱବିଦ୍ୟାଳୟର ସ୍ୱାତନ୍ତ୍ରତାକୁ କ୍ଷୁର୍ଣ୍ଣ କରିବ ନାହିଁ- ଅରୁଣ ସାହୁ

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗରେ ଅନେକ ପୂର୍ବପ୍ରଚଳିତ ଆଇନ ସାଂପ୍ରତିକ ସ୍ଥିତିରେ ତାହାର ପ୍ରାସଙ୍ଗିକତା ହରାଇଥିବାରୁ ସେଥିରେ ସଂଶୋଧନର ଆବଶ୍ୟକତା ଅନୁଭବ କରାଯାଇଥିଲା। ଏପରି ସ୍ଥିତିରେ ଓଡିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ ସୁଧାର ଆଣିବା ନିମନ୍ତେ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ୧୯୮୯ର ଆବଶ୍ୟକୀୟ ସଂଶୋଧନ ଅଣାଯାଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ. ଅରୁଣ କୁମାର ସାହୁ କହିଛନ୍ତି। ଆଜି ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧିତ ଅଧ୍ୟାଦେଶ ୨୦୨୦ ସଂପର୍କରେ ଏକ ୱେବିନାର ଆୟୋଜିତ ହୋଇଥିଲା।
ଆୟୋଜିତ ୱେବିନାରରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧିତ ଅଧ୍ୟାଦେଶର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରି ମନ୍ତ୍ରୀ ଡଃ.ସାହୁ କହିଲେ, ନୂତନ ସଂସ୍କାର ଫଳରେ ବିଶ୍ୱବିଦ୍ୟାଳୟ ଏବଂ କୁଳପତିଙ୍କର ସ୍ୱାତନ୍ତ୍ରତା କ୍ଷୁଣ୍ଣ ହେବନାହିଁ। ଅପରପକ୍ଷରେ କୁଳପତିଙ୍କର କାର୍ଯ୍ୟକାଳ ୩ ବର୍ଷରୁ ୪ବର୍ଷକୁ ବୃଦ୍ଧି ଏବଂ କୁଳପତିମାନଙ୍କର ଅବସର ସମୟସୀମା ୬୭ ବର୍ଷକୁ ବୃଦ୍ଧି କରାଯିବା ଫଳରେ କୁଳପତିମାନେ ବିଶ୍ୱବିଦ୍ୟାଳୟ ଗୁଡିକରେ ଦିର୍ଘମିଆଦି ପରିବର୍ତନ ଆଣିବାରେ ସକ୍ଷମ ହୋଇପାରିବେ।
ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଶିକ୍ଷକ ପଦବୀରେ ନିଯୁକ୍ତି ପ୍ରକିୟାକୁ ତ୍ୱରାନିତ କରିବା ଲକ୍ଷ୍ୟରେ ଅଧିନିୟମର ସଂଶୋଧନ ଅଣାଯାଇ ଓଡିଶା ଲୋକସେବା ଆୟୋଗକୁ ଶିକ୍ଷକ ଚୟନ ନିମନ୍ତେ ଦାୟିତ୍ୱ ଦିଆଯାଇଛି। ବର୍ତ୍ତମାନ ବିଶ୍ୱବିଦ୍ୟାଳୟ ଗୁଡିକର ସଂଖ୍ୟା ବୃଦ୍ଧି ପାଇଥିବା କ୍ଷେତ୍ରରେ ବିଶ୍ୱବିଦ୍ୟାଳୟରେ ନିରନ୍ତର ଶିକ୍ଷକ ଚୟନ ପ୍ରକ୍ରିୟା ଜାରି ରହିଛି। ଏଥିନିମନ୍ତେ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟକୁ ବହୁଳ ଅର୍ଥ ଓ ସମୟ ବ୍ୟୟ କରିବାକୁ ପଡୁଛି ଏବଂ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ବିଳମ୍ବିତ ହେଉଛି। ଏପରି କ୍ଷେତ୍ରରେ ଏକ ସାମ୍ବିଧାନିକ ସଂସ୍ଥା ଓଡିଶା ଲୋକସେବା ଆୟୋଗକୁ ଶିକ୍ଷକ ଚୟନ ନିମନ୍ତେ ଦାୟିତ୍ୱ ଦିଆଯାଇଛି। ନୂତନ ବ୍ୟବସ୍ଥାରେ ଶିକ୍ଷକ ପଦବୀ ନିଯୁକ୍ତିରେ ଅଧିକ ସ୍ୱଚ୍ଛତା ପାଳନ ସହିତ ନିଯୁକ୍ତି ପ୍ରକ୍ରିୟା ତ୍ୱରାନିତ ହୋଇପାରିବ।
ବିଶ୍ୱବିଦ୍ୟାଳୟ ପରିଚାଳନା କ୍ଷେତ୍ରରେ ସିନେଟ ବ୍ୟବସ୍ଥା ଉଛେଦ କରାଯାଇ ସିଣ୍ଡିକେଟର ପୁର୍ନଗଠନ କରାଯାଇଛି। ଏହାଦ୍ୱାରା ଏହା ଅଧିକ ବ୍ୟବସ୍ଥିତ ହୋଇପାରିବ। ପୂବପରି କୁଳପତି ସିଣ୍ଡିକେଟର ଅଧ୍ୟକ୍ଷ ରହିବେ। ଉଚ୍ଚଶିକ୍ଷା ବିଭାଗର ଶାସନ ସଚିବ ଅଧ୍ୟକ୍ଷ ହେବେ ନାହିଁ। ସିଣ୍ଡିକେଟର ନିଷ୍ପତି ବହୁମତରେ ନିଆଯାଏ। ସିଣ୍ଡିକେଟରେ ସଂପୃକ୍ତ ବିଶ୍ୱବିଦ୍ୟାଳୟର ସଂଖ୍ୟାଧିକ ସଦସ୍ୟ ରହୁଥିବା ଦୃଷ୍ଟିରୁ ସିଣ୍ଡିକେଟରେ ବିଶ୍ୱବିଦ୍ୟାଳୟର ପ୍ରଭାବ ଅକ୍ଷୁଣ୍ଣ ରହିବ ବୋଲି ମନ୍ତ୍ରୀ ଡ଼. ସାହୁ ମତବ୍ୟକ୍ତ କରିଛନ୍ତି।
ୱେବିନାରରେ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ସଂଶୋଧିତ ଅଧ୍ୟାଦେଶର ମୁଖ୍ୟ ଦିଗ ବିଷୟରେ ବିଶଦ ଭାବରେ ଆଲୋଚନା କରି ଅନ୍ୟ ରାଜ୍ୟର ବିଶ୍ୱବିଦ୍ୟାଳୟର ଅଧିନିୟମର ଏକ ତୁଳନାତ୍ମକ ଚିତ୍ର ଉପସ୍ଥାପନ କରିଥିଲେ। ଏହି ୱେବିନାରରେ ପ୍ରାୟ ୧୦୦୦ ଶିକ୍ଷାବିତ ଭାଗ ନେଇଥିଲେ।