Odisha Link
Bridging the Missing Links in Odisha

ନିର୍ମଳା ସୀତାରମଣ: ସହରୀ ଗରିବ ପାଇବେ ପକ୍କା ଘର

ନୂଆଦିଲ୍ଲୀ: ସହରରେ ରହୁଥିବା ଗରିବଙ୍କ ପାଇଁ ତିଆରି ହବ ପକ୍କା ଘର। ମୋଟ ୧୨ ଲକ୍ଷ ପକ୍କା ଘର ନିର୍ମାଣ କରାଯିବ ଏହା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି। ଗୁରୁବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆତ୍ମନିର୍ଭର ଭାରତ ୩.୦ ସମ୍ପର୍କରେ ଘୋଷଣାବେଳେ ଅର୍ଥମନ୍ତ୍ରୀ ଏଭଳି ଖୁସି ଖବର ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କରେ ଅର୍ଥମନ୍ତ୍ରୀ ଘୋଷଣା କରି କହିଛନ୍ତି ଯେ, ସହରୀ ଗରିବଙ୍କୁ ପକ୍କା ଘର ଦେବାକୁ ଅତିରିକ୍ତ ୧୮ ହଜାର କୋଟି ଟଙ୍କାର ପ୍ୟାକେଜ କରାଯାଇଛି। ଏହି ଅବସରରେ ୧୨ ଲକ୍ଷ ନୂଆ ଘର ନିର୍ମାଣ କରାଯିବା ସହ ନିର୍ମାଣାଧୀନ ୧୮ ଲକ୍ଷ ଘର ସମ୍ପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

ନୂଆ ଘର ନିର୍ମାଣରେ ୭୮ ଲକ୍ଷ ନୂଆ ରୋଜଗାର ସୃଷ୍ଟି କରାଯାଇପାରିବ । ଏହାଛଡ଼ା ୧୫ ଲକ୍ଷ ଟନ ରଡ ଓ ୧୩୧ ଲକ୍ଷ ଟନ ସିମେଣ୍ଟ ଉପଯୋଗ ହେବ । ଶ୍ରମ, ସିମେଣ୍ଟ ଓ ରଡ ଦ୍ୱାରା ବି ଅତିରିକ୍ତ ରୋଜଗାର ସୃଷ୍ଟି ହେବ ବୋଲି ର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।

ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂଗଠିତ କ୍ଷେତ୍ରରେ ଅଧିକ ନିଯୁକ୍ତି ଦେବାକୁ ପ୍ରୋତ୍ସାହନ ନେଇ ଘୋଷଣା କରିଥିଲେ। ସବୁଠୁ ବଡ଼ କଥାହେଲା ସଂସ୍ଥା ନୂତନ ନିଯୁକ୍ତି ଦେଲେ କେନ୍ଦ୍ର ସରକାର କର୍ମଚାରୀଙ୍କ ଇପିଏଫ ଭରିବେ ବୋଲି ଘୋଷଣା କରାଯାଇଛି। ୧ ହଜାରରୁ କମ କର୍ମଚାରୀ ଥିବା ସଂସ୍ଥାରେ ୨୪% ଇପିଏଫ କେନ୍ଦ୍ର ଦେବ।

ସଂସ୍ଥା ଦେବାକୁ ଥିବା ୧୨% ଓ କର୍ମଚାରୀଙ୍କ ୧୨% କେନ୍ଦ୍ର ଦେବ । ତେବେ ୧ ହଜାରରୁ ଅଧିକ କର୍ମଚାରୀ ଥିବା ସଂସ୍ଥାର କର୍ମଚାରୀଙ୍କ ଭାଗ କେନ୍ଦ୍ର ଭରିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ଇପିଏଫ ଭରଣା ଆଗାମୀ ୨ ବର୍ଷ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଅର୍ଥମନ୍ତ୍ରୀ କହିଥିଲେ ।

ଏଡାଛଡ଼ା ସେ କହିଥିଲେ ଯେ, କରୋନା ମହାମାରୀ ପାଇଁ ଧିମେଇ ଥିବା ଆର୍ଥିକ ସ୍ଥିତି ସୁଧୁରୁଛି । ଜିଏସଟି ଆଦାୟ ୧.୦୫ ଲକ୍ଷ କୋଟିକୁ ବୃଦ୍ଧି ପାଇଛି। ଶକ୍ତି ଓ ରେଳ ରାଜସ୍ୱ ଆଦାୟରେ ମଧ୍ୟ ବୃଦ୍ଧି ଘଟିଛି। ଆତ୍ମନିର୍ଭର ଭାରତ ଅଭିଯାନରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି।

୨୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏକ ଦେଶ, ଏକ ରାସନ କାର୍ଡ ଲାଗୁ ହୋଇଛି । ପ୍ରବାସୀ ଯେଉଁଠି କାମ କରୁଛନ୍ତି, ସେଠାରୁ ରାସନ ପାଇ ପାରୁଛନ୍ତି । ପିଏମ ଉଠା ଦୋକାନୀ ଆତ୍ମନିର୍ଭର ସ୍କିମ ମଧ୍ୟ ଆରମ୍ଭ ହୋଇଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ।