Odisha Link
Bridging the Missing Links in Odisha

ଚାଷୀଙ୍କ ସମର୍ଥନରେ ପୁରସ୍କାର ଫେରାଇବାକୁ ରାଷ୍ଟ୍ରପତି ଭବନ ପହଞ୍ଚିଲେ ୩୦ ଖେଳାଳି

ନୂଆଦିଲ୍ଲୀ: ଦେଶରେ କୃଷି ଆଇନ ବିରୋଧ ଜୋର ଦାର ହେବାରେ ଲାଗିଛି। କୃଷକଙ୍କ ସମର୍ଥନରେ ରାଜନୈତିକ ଦଳଠୁ ନେଇ ଏବେ ସାହିତ୍ୟ ଓ ମନୋରଞ୍ଜନ ଜଗତର ହସ୍ତି ମାନେ ମଧ୍ୟ ସପକ୍ଷରେ ଠିଆ ହୋଇଛନ୍ତି। କୃଷକଙ୍କୁ ସମର୍ଥନ କରି ଆଥଲେଟ୍‌ ମାନେ ଆଗକୁ ଆସିଛନ୍ତି।

ରବିବାର ବକ୍ସର ବିଜେନ୍ଦର ସିଂହ ନୂତନ କୃଷି ଆଇନ ପ୍ରତ୍ୟାହାର ନକଲେ ରାଜୀବ ଗାନ୍ଧୀ କ୍ରୀଡା ରତ୍ନ ଫେରାଇବାକୁ ଧମକ ଦେଇଥିଲେ। ସୋମବାର ୩୦ ଖେଳାଳି ନିଜର ପୁରସ୍କାର ଫେରାଇବାକୁ ରାଷ୍ଟ୍ରପତି ଭବନ ଅଭିମୁଖେ ବାହାରିଛନ୍ତି। ହେଲେ ଦିଲ୍ଲୀ ପୁଲିସ ସେମାନଙ୍କୁ ରାସ୍ତାରେ ଅଟକାଇ ଦେଇଛନ୍ତି।

ଏହି ସବୁ ଖେଳାଳି ରାଷ୍ଟ୍ରପତିଙ୍କୁ ଭେଟି ନୂତନ କୃଷି ଆଇନ ପ୍ରତିବାଦରେ ନିଜର ପୁରସ୍କାର ଫେରାଇବାକୁ ଚାହୁଁଥିଲେ। ଏଥିରୁ ଜଣେ ମଲ୍ଲଯୋଦ୍ଧା କରତାର ସିଂହ ଆଲୋଚନା ବେଳେ କହିଛନ୍ତି, ପଞ୍ଜାବ ଓ କିଛି ଅନ୍ୟ ଜାଗାରେ ମଧ୍ୟ ଖେଳାଳି ନିଜର ପୁରସ୍କାର ଫେରାଇବାକୁ ଚାହୁଁଛନ୍ତି।

ଅନ୍ୟପଟେ ଦିଲ୍ଲୀ ପୁଲିସ ସତର୍କତାମୂଳକ ହରିୟାଣା ଓ ଉତ୍ତର ପ୍ରଦେଶ ସଂଲଗ୍ନ ସୀମାରେ ପୁଲିସ ବଳ ଅଧିକ ବଢାଇ ଦେଇଛନ୍ତି। କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କୃଷକ ସଂଗଠନ ଗୁଡିକ ଚେତାବନୀ ଦେଇଛନ୍ତି ଯଦି ସେମାନଙ୍କର ଦାବି ପୂରଣ ନହୁଏ ତେବେ ବିରୋଧ ପ୍ରଦର୍ଶନ ଆହୁରି ଜୋରଦାର ହେବ। ଦିଲ୍ଲୀକୁ ସଂଯୋଗ କରୁଥିବା ସମସ୍ତ ପ୍ରବେଶ ପଥ ବନ୍ଦ କରି ଦେବୁ।

ଗତ ୧୧ ଦିନରୁ ପ୍ରଦର୍ଶନ କରୁଥିବା କୃଷକ ଜନତାଙ୍କୁ ଅପିଲ୍ କରିଛନ୍ତି, ସେମାନେ ମଙ୍ଗଳବାର ଭାରତ ବନ୍ଦ ଡାକରାକୁ ସମର୍ଥନ ଜଣାନ୍ତୁ। ଭାରତ ବନ୍ଦକୁ ବିଭିନ୍ନ ରାଜନୈତିକ ସମର୍ଥନ ଜଣାଇଛନ୍ତି। ଏଥିସହ ଟ୍ରେଡ ୟୁନିୟନ, ବ୍ୟାଙ୍କ ସହିତ ଅନେକ କ୍ଷେତ୍ରରୁ ଆସନ୍ତାକାଲିର ଭାରତ ବନ୍ଦକୁ ସମର୍ଥନ ଦେଇଛନ୍ତି। ଫଳରେ ମଙ୍ଗଳବାର ଅନେକ ରାଜ୍ୟରେ ବନ୍ଦର ବ୍ୟାପକ ପ୍ରଭାବ ପଡିବାର ଯଥେଷ୍ଟ ସମ୍ଭାବନା ରହିଛି। ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ବନ୍ଦ ସଫଳ କରିବାକୁ ନିଜର କର୍ମକର୍ତ୍ତାଙ୍କୁ ଅପିଲ୍ କରିଛନ୍ତି।

Comments are closed.