Odisha Link
Bridging the Missing Links in Odisha

ଭାରତର ମହନୀୟତା, ଉପହାର ଓ ମିଠା ସହ ୨ ଭଉଣୀଙ୍କୁ ଫେରାଇଲା

ନୂଆଦିଲ୍ଲୀ: ପାକିସ୍ତାନ ସର୍ବଦା ଭାରତ ପ୍ରତି ଶତ୍ରୁତା ମନୋଭାବ ପୋଷଣ କରିଆସୁଥିଲେ ମଧ୍ୟ ଭାରତ ନିଜର ମହାନୀୟତା ଦେଖାଇଛି। ବନ୍ଧୁତାର ହାତ ବଢାଇବାର ପ୍ରୟାସ କ୍ରମରେ ଭାରତ ସେନା ନିୟନ୍ତ୍ରଣ ରେଖା (ଏଲଓସି) ଅତିକ୍ରମ କରି ଭାରତ ମଧ୍ୟକୁ ଚାଲିଆସିଥିବା ପାକିସ୍ତାନର ଦୁଇ ନାବାଳିକାଙ୍କୁ ଉପହାର ଓ ମିଠା ସହିତ ସ୍ବଦେଶକୁ ଫେରାଇ ଦେଇଛି। ଏହି ଦୁଇ ନାବାଳିକା ହେଲେ ଲୈବା ଜାବେର (୧୭) ଓ ତାର ସାନ ଭଉଣୀ ସାନା ଜାବେର (୧୩)। ସେମାନଙ୍କ ଘର ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ର କଠୁଆ ତହସିଲ ଅଞ୍ଚଳରେ।

ରବିବାର ଦିନ ଏହି ଦୁଇ ଭଉଣୀ ଭୁଲବଶତଃ ଏଲଓସି ଅତିକ୍ରମ ଭାରତ ସୀମା ମଧ୍ୟକୁ ଚାଲିଆସିଥିଲେ। ଭାରତ ସେନା ସେମାନଙ୍କୁ ଦେଖିବା ପରେ ଅଟକ ରଖି ପଚରାଉଚରା କରିଥିଲେ। ପଚରା ଉଚାର ପରେ ସେନା ଅଧିକାରୀମାନେ ଘଟଣା ସମ୍ପର୍କରେ ଜାଣିପାରିଥିଲେ। ସୋମବାର ସେମାନଙ୍କୁ ଚକନ ଦା ବାଗ (ସିଡିବି) ନିକଟରେ ପାକିସ୍ତାନ ସେନା ଓ ସାଧାରଣ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ହସ୍ତାନ୍ତର କରାଯାଇଥିଲା।

ଫେରିବା ସମୟରେ ଲୈବା କହିଛନ୍ତି ‘ଘରକୁ ଫେରିବା ସମୟରେ ଆମେ ବାଟ ଭୁଲି ଭାରତ ସୀମାକୁ ଚାଲିଆସିଥିଲୁ। ଭାରତ ସେନା କର୍ମଚାରୀମାନେ ଆମକୁ ଅଟକାଇ ପଚରାଉଚରା କରିଥିଲେ। ଆମେ ଭାବିଥିଲୁ ସେମାନେ ଆମକୁ ମାଡ ମାରିବେ। ଆମକୁ ଆଉ ଫେରିବାକୁ ଦେବେ ନାହିଁ; ମାତ୍ର ଭାରତ ସେନା ​‌ଅଧିକାରୀମାନେ ଆମକୁ ଭଲ ବ୍ୟବହାର ପ୍ରଦର୍ଶନ କରିଛନ୍ତି। ସେମାନେ ଆମକୁ ଶୀଘ୍ର ଫେରିବାକୁ ଦେଇଛନ୍ତି। ଭାରତର ଲୋକମାନେ ଖୁବ୍ ଭଲ।’

Comments are closed.