Odisha Link
Bridging the Missing Links in Odisha

ବିବାହ ଦିନ ବର ଚମ୍ପଟ, କନ୍ୟାର ହାତ ଧରିଲେ ସମାଜସେବୀ

ଭୁବନେଶ୍ବର: ଝିଅଟିଏ ବାଡ଼ୁଅ ପାଣିରେ ଗାଧୋଇ ହୋଇ ମଙ୍ଗୁଳା ହୋଇ ବର ଆସିବାକୁ ଅପେକ୍ଷା କରିଥିଲା। ମାତ୍ର ବିବାହ ଦିନ ବର ଗେଷ୍ଟ୍‌ ହାଉସ୍‌ରୁ ଚମ୍ପଟ ହୋଇଯାଇଛି। ଏଭଳି ଏକ ଘଟଣା ଘଟିଛି ଗତକାଲି ଜଗତସିଂହପୁର ଜିଲ୍ଲାରେ। ଶେଷରେ ଜଣେ ଯୁବ ସମାଜସେବୀ ଭୀଷ୍ମନାରାୟଣ ନାୟକ ମଙ୍ଗୁଳା କନ୍ୟାଙ୍କ ହାତ ଧରିଛନ୍ତି।

ସୂଚନା ମୁତାବକ, ପରିବାର ଲୋକେ ବାହାଘର ପାଇଁ ପ୍ରସ୍ତୁତ ହେଉଥିଲେ। ଅନ୍ୟପଟେ ବରଯାତ୍ରୀ ମଧ୍ୟ ବର ସହ ନିକଟସ୍ଥ ଗେଷ୍ଟ୍‌ ହାଉସ୍‌ରେ ଥାଇ କନ୍ୟା ଘର ଅଭିମୁଖେ ବାହାରିବା ପାଇଁ ଅପେକ୍ଷା କରିଥିଲେ। ଆଉ କିଛି ସମୟ ପରେ ହାତଗଣ୍ଠି ପଡ଼ିଥାନ୍ତା। ମାତ୍ର ହଠାତ୍ ବର ଗେଷ୍ଟ୍‌ ହାଉସ୍‌ରୁ ଗାଏବ୍ ହୋଇଗଲା। ବହୁ ଖୋଜାଖୋଜି କରିବା ପରେ ମଧ୍ୟ ବରପକ୍ଷ ବରକୁ ପାଇଲେ ନାହିଁ। ପୁଲିସ ମଧ୍ୟ ବରକୁ ଖୋଜି ପାଇଲା ନାହିଁ।

ମଙ୍ଗୁଳା କନ୍ୟାକୁ ଧରି କନ୍ୟାଘର ପରିବାର ଲୋକେ କେବଳ ଭାଗ୍ୟକୁ ଆଦରି କାନ୍ଦିବାରେ ଲାଗିଲେ। ବନ୍ଧୁବାନ୍ଧବ ଧରାବର ଯୋଗାଡ଼ରେ ଲାଗି ପଡ଼ିଥିଲେ। ମାତ୍ର ଜଣେ ଉଚ୍ଚ ଶିକ୍ଷିତ ପୁଣି ସରକାରୀ ଚାକିରିଆ ଯୁବତୀଙ୍କ ପାଇଁ ହଠାତ୍ ଯୋଗ୍ୟ ତଥା ଭଲ ପାତ୍ରଟିଏ ପାଇବା ଅସମ୍ଭବ ହୋଇପଡ଼ିଥିଲା। ତେବେ ପୁରୁଣା ଭୁବନେଶ୍ବରର ଜଣାଶୁଣା ଯୁବ ସମାଜସେବୀ ଭୀଷ୍ମନାରାୟଣ ନାୟକଙ୍କ ନିକଟରେ ଏହି ପ୍ରସ୍ତାବ ପହଞ୍ଚିଲା। ଚିରଦିନ ଅବିବାହିତ ରହି ସମାଜସେବାରେ ନିଜକୁ ଉତ୍ସର୍ଗ କରିବାକୁ ନିଷ୍ପତ୍ତି ନେଇଥିବା ଭୀଷ୍ମ ପ୍ରଥମେ ଅମଙ୍ଗ ହୋଇଥି‌ଲେ ବି ପରେ ନିଜ ପ୍ରତିଜ୍ଞା ଭଙ୍ଗ କରିଥିଲେ। ଶେଷରେ ବିବାହ ସମ୍ପନ୍ନ ହୋଇଛି। ଆଜି ଭୀଷ୍ମଙ୍କୁ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି।

Comments are closed.