Odisha Link
Bridging the Missing Links in Odisha

ପିଶାଚ ପ୍ରେମିକ: ଗର୍ଭବତୀ ପ୍ରେମିକା ଉପରକୁ କଲା ଏସିଡ୍ ମାଡ଼

ବରେଲୀ: ଗର୍ଭବତୀ ପ୍ରେମିକା ଉପରକୁ ଏସିଡ ମାଡ଼ କଲା ପ୍ରେମିକ। ଏଭଳି ଏକ ନୃଂଶସ ଓ ଅମାନବୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶର ବରେଲୀ ଅଞ୍ଚଳରେ। ବିବାହକୁ ନେଇ ବଚସା ହେବାରୁ ୨୨ ବର୍ଷୀୟ ଗର୍ଭବତୀ ପ୍ରେମିକା ଉପରେ ଏସିଡ ମାଡ଼ କଲା ପ୍ରେମିକ।

ଏସିଡ୍ ମାଡ଼ରେ ଗର୍ଭବତୀ ପ୍ରେମିକାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୀଡ଼ିତା ସଂଖ୍ୟାଲଘୁ ସମୁଦାୟର ଏବଂ ଅଭିଯୁକ୍ତ ଜଣଙ୍କ ଭିନ୍ନ ସମୁଦାୟର ହୋଇଥିବାରୁ ଯୁବକଙ୍କୁ ବିବାହ ପାଇଁ ଚାପ ପକାଇଥିଲେ ପୀଡ଼ିତା। ଏହି କାରଣରୁ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା। ଅଭିଯୁକ୍ତ ପ୍ରେମିକ ଫେରାର ଅଛି।

ପୋଲିସର ସୁଚନା ଅନୁଯାୟୀ, ‘ ପୀଡ଼ିତା ଜଣଙ୍କ ବିଏସସିର ଛାତ୍ରୀ ଅଟନ୍ତି। ଘରକୁ ଫେରୁଥିବା ବେଳେ ଅଭିଯୁକ୍ତ ଶୁନଶାନ ଜାଗାରେ ପୀଡ଼ିତାଙ୍କୁ ଅଟକାଇ ତାଙ୍କ ଉପରକୁ ଏସିଡ ମାଡ଼ କରିଥିଲେ। ପୀଡ଼ିତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପୀଡ଼ିତା ନିଜ ବୟାନରେ କହିଛନ୍ତି ଯେ, ସେ ଗର୍ଭବତୀ ଅଛନ୍ତି ଏବଂ ପ୍ରେମିକକୁ ବିବାହ ପାଇଁ କହିବାରୁ ତାଙ୍କ ଉପରକୁ ଏସିଡ ମାଡ଼ ହୋଇଥିବା ସେ ଅଭିଯୋଗ କରିଛନ୍ତି।

ପୀଡ଼ିତାଙ୍କ ଅଭିଯୋଗ ପରେ ଅଭିଯୁକ୍ତ ମହେଶ ପାଲ ବିରୋଧରେ ଆଇପିସି ଧାରା ୩୭୬ (ଦୁଷ୍କର୍ମ), ୩୨୬-ଏ (ଏସିଡ ମାଡ଼), ୩୪୩, ୩୧୩ ଏବଂ ୫୦୪ ଧାରା ଅଧିନରେ ମାମଲା ଦାଖଲ କରାଯାଇଛି। ଅଭିଯୁକ୍ତ ବର୍ତ୍ତମାନ ଫେରାର ଥିବାବେଳେ ପୋଲିସ ତାକୁ ଖୁବ ଶୀଘ୍ର ଗିରଫ କରିବା ପାଇଁ ଉଦ୍ୟମ ଜାରି ରଖିଛି।

ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଦୁଇ ମହିଳା କନେଷ୍ଟବଳ ବୁଧବାର ରାତିରେ ପୀଡ଼ିତାଙ୍କୁ ଡାକ୍ତରଖାନାକୁ ଆଣିଥିଲେ। ଏସିଡ୍ ଭଳି କିଛି ଜ୍ୱଳନୀୟ ପଦୀର୍ଥ ପୀଡ଼ିତାଙ୍କ ଉପରେକୁ ଫିଙ୍ଗାଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି। କାନ୍ଧ ଏବଂ ବାହୁରେ ଅଧିକ କ୍ଷତ ଥିବାବେଳେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।

 

 

Comments are closed.