Odisha Link
Bridging the Missing Links in Odisha

ସ୍ୱାର୍ଥ ପାଇଁ ଚାଷୀଙ୍କୁ ମୋହରା କରାଯାଉଛି: ମୋଦୀ

ନୂଆଦିଲ୍ଲୀ: କୃଷି ଆଇନକୁ ସମର୍ଥନ କରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି। କୃଷି ଆଇନକୁ ନେଇ ବିରୋଧୀ ଅପପ୍ରଚାର କରୁଥିବାରୁ ଚାଷୀମାନେ ଆନ୍ଦୋଳନ କରୁଥିବା ସେ କହିଛନ୍ତି। ଏହା ସହିତ ଏବେ ଯେଉଁ କୃଷି ଆଇନ ଆସିଛି, ତା’ ଉପରେ ଦୀର୍ଘ ଦଶନ୍ଧି ଧରି କ୍ଷମତାକୁ ଆସୁଥିବା ବିଭିନ୍ନ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଆଲୋଚନା କରୁଥିଲେ।

ନୂଆ ଆଇନ ବଳରେ ଏମଏସପି ଶେଷ ହୋଇଯିବ ବୋଲି ଯେଉଁ କଥା କୁହାଯାଉଛି, ତା’ହା ସବୁଠାରୁ ବଡ଼ ମିଛ ବୋଲି ମୋଦି କହିଛନ୍ତି। ଚାଷୀଙ୍କୁ ହାତ ଯୋଡ଼ି ସବୁ ସମସ୍ୟାର ସମାଧାନ କରିବାରୁ ସେ ରାଜି ଥିବା ମଧ୍ୟ କହିଛନ୍ତି। ଆଜି ମଧ୍ୟପ୍ରଦେଶର ଚାଷୀଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ଉଦବୋଧନ ଦେଇ ମୋଦି କହିଛନ୍ତି, “ରାତାରାତି ଏହି ଆଇନ ଆସିନାହିଁ।

ଦୀର୍ଘ ୨୨ ବର୍ଷ ହେଲାଣି ପ୍ରତିଟି କେନ୍ଦ୍ର ସରକାର ଓ ରାଜ୍ୟ ଏହା ଉପରେ ବିସ୍ତୃତ ଆଲୋଚନା କରିଛନ୍ତି। ଚାଷ କ୍ଷେତ୍ରରେ ସଂସ୍କାର ପାଇଁ କୃଷି ସଂଗଠନ, କୃଷି ବିଶେଷଜ୍ଞ, ଅର୍ଥନୀତିଜ୍ଞ, ବୈଜ୍ଞାନିକ ଓ ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରାଯାଇଥିଲା। ଯେଉଁ ଦଳଗୁଡ଼ିକ ଆଜି କୃଷି ଆଇନକୁ ବିରୋଧ କରୁଛନ୍ତି, ସେମାନେ ଦିନେ ନିଜର ନିର୍ବାଚନୀ ଇସ୍ତାହାରରେ ଏହି ସଂସ୍କାର ବିଷୟରେ କହିଥିଲେ।

ଆଜି ସେଭଳି ଦଳକୁ ଭାରି ଯନ୍ତ୍ରଣା ହେଉଛି। ସେମାନଙ୍କ ପାଦ ତଳୁ ମାଟି ଖସି ଯାଇଛି। ଏହି କାରଣରୁ ସେମାନେ ଚାଷୀଙ୍କୁ ମୋହରା କରିଛନ୍ତି। ସେମାନେ ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଦୀର୍ଘ ୮ ବର୍ଷ ହେଲାଣି ସେମାନେ ସ୍ୱାମୀ ନାଥନ କମିଟିର ସୁପରିସକୁ ଚାପି ଦେଇଥିଲେ। ଚାଷୀମାନେ ଆନ୍ଦୋଳନ କରୁଥିଲେ ହେଁ ସେମାନେ କିଛି ବି ବୁଝୁ ନଥିଲେ।

Comments are closed.