ଦ୍ରାବିଡ଼ଙ୍କୁ ତୁରନ୍ତ ଅଷ୍ଟ୍ରେଲିଆ ପଠାଅ, ଏଭଳି କାହିଁକି କହିଲେ ଟିମ୍ ଇଣ୍ଡିଆର ପୂର୍ବତନ ମୁଖ୍ୟ ଚୟନକର୍ତ୍ତା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆର ଶୋଚନୀୟ ପରାଜୟ ପରେ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହୋଇଛନ୍ତି ଖେଳାଳି। ପ୍ରଥମ ଦିବାରାତ୍ର ଟେଷ୍ଟର ଦ୍ବିତୀୟ ଇନିଂସରେ ଟିମ୍ ଇଣ୍ଡିଆ ସର୍ବନିମ୍ନ ଟେଷ୍ଟ ସ୍କୋର୍ ପାଇଁ ବ୍ୟାଟିଂକୁ ଦାୟୀ କରାଯାଉଛି। ଟିମ୍ ଇଣ୍ଡିଆର ଖେଳାଳିଙ୍କୁ ସମାଲୋଚନା କରିବା ସହିତ ପୂର୍ବତନ କ୍ରିକେଟର ମାନେ ଭିନ୍ନଭିନ୍ନ ମତ ଦେଇଛନ୍ତି।
କିମ୍ବଦନ୍ତୀ ଖେଳାଳି ସୁନୀଲ ଗାଭାସ୍କର ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପ୍ରତି ସମବେଦନା ଜଣାଇଥିବା ବେଳେ ଦିଲ୍ଲୀପ ଭେଙ୍ଗସରକାର ଭାରତୀୟ ବ୍ୟାଟ୍ସମ୍ୟାନ ଅଷ୍ଟ୍ରେଲିଆ ପିଚ୍ରେ କିଭଳି ଖେଳିବା ଉଚିତ୍ ପ୍ରଥମେ ଶିଖିବା ଆବଶ୍ୟକ ବୋଲି ମତ ଦେଇଛନ୍ତି। ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ଜାତୀୟ କ୍ରିକେଟ ଏକାଡ଼େମୀର ମୁଖ୍ୟ ରାହୁଲ ଦ୍ରାବିଡ଼ଙ୍କୁ ବିସିସିଆଇ ତୁରନ୍ତ ଅଷ୍ଟ୍ରେଲିଆ ପଠାଇବା ଆବଶ୍ୟକ ବୋଲି ଭେଙ୍ଗସରକାର ପ୍ରସ୍ତାବ ଦେଇଛନ୍ତି।
ଅଷ୍ଟ୍ରେଲିଆ ପିଚ୍ରେ ସ୍ବିଙ୍ଗ୍ କରୁଥିବା ବଲ୍ର କିଭଳି ଭାବେ ସାମ୍ନା କରିବାକୁ ହୁଏ ସେନେଇ ଦ୍ରାବିଡଙ୍କ ନିକଟରେ ଯଥେଷ୍ଟ ଅଭିଜ୍ଞତା ରହିଛି ବୋଲି ସା କହିଥିଲେ। ବ୍ୟାଟ୍ସମ୍ୟାନଙ୍କୁ ସ୍ବିଙ୍ଗ୍ ବୋଲିଂକୁ ଖେଳିବା ନେଇ ଟେକ୍ନିକ୍ର ଆବଶ୍ୟକତା ରହିଛି। କୋଭିଡ଼ ମହାମାରୀ ପାଇଁ ଭାରତ ୯ ମାସ ପରେ ଟେଷ୍ଟ କ୍ରିକେଟକୁ ଫେରି ଶୋଚନୀୟ ପ୍ରଦର୍ଶନ କରିଛି। ଅଧିନାୟକ ବିରାଟ କୋହଲି ସ୍ବଦେଶ ଫେରିଆସିବା ପରେ ଅବଶିଷ୍ଟ ମ୍ୟାଚ ଭାରତ ପାଇଁ ସମସ୍ୟା ସୃଷ୍ଟିହେବ। ବୋର୍ଡ ଏଭଳି ପରିସ୍ଥିତିରେ ଦ୍ରାବିଡ଼ଙ୍କୁ ଅଷ୍ଟ୍ରେଲିଆ ପଠାଇ ତାଙ୍କ ଅଭିଜ୍ଞତାକୁ ବ୍ୟବହାର କରିବା ଆବଶ୍ୟକ ବୋଲି ଭେଙ୍ଗସରକାର କହିଛନ୍ତି। କୋଭିଡ଼ ନିୟମ ଅନୁଯାୟୀ ଅଷ୍ଟ୍ରେଲିଆ ଗଲେ ପ୍ରଥମତଃ ଦୁଇ ସପ୍ତାହ ସଂଗରୋଧରେ ରହିବା ବାଧ୍ୟତାମୂଳକ। ଦ୍ରାବିଡ଼ ଯଦି ଅଷ୍ଟ୍ରେଲିଆ ଗସ୍ତକରନ୍ତି ତେବେ ୨ୟ ଟେଷ୍ଟରେ ଦଳ ସହିତ ଯୋଗ ଦେଇପାରିବେ ନାହିଁ।ଜାନୁଆରୀ ୭ରୁ ସିଡ୍ନୀରେ ଖେଳାଯିବାକୁ ଥିବା ୩ୟ ଟେଷ୍ଟ ବେଳକୁ ଦଳ ସହିତ ଯୋଗ ଦେଇପାରିବେ ବୋଲି ଭେଙ୍ଗସରକାର କହିଛନ୍ତି।
ସୂଚନାଥାଉକି, ୨୦୦୩ ଆଡିଲେଡ୍ ଟେଷ୍ଟରେ ଭାରତ ୪ ୱିକେଟରେ ଐତିହାସିକ ବିଜୟ ହାସଲ କରିଥିଲା। ଏହି ବିଜୟର ହିରୋ ଦ୍ରାବିଡ଼ ୨୩୩ ଓ ୭୨ ରନ କରିଥିଲେ। ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ରେ ଦ୍ରାବିଡ଼ ୧୨୩.୮ ପ୍ରତିଶତ ହାରରେ ୬୧୯ରନ କରିଥିଲେ। ଅଷ୍ଟ୍ରେଲିଆରେ ଦ୍ରାବିଡ଼ ୧୬ଟି ଟେଷ୍ଟ ମ୍ୟାଚ ଖେଳି ୪୧.୬୪ ଆଭ୍ରେଜ୍ରେ ୧୧୬୬ ରନ କରିଛନ୍ତି। ୨୦୧୭ରେ ଜାତୀୟ ମୁଖ୍ୟ ମନୋନୟନକାରୀ ସୌରଭ ଗାଙ୍ଗୁଲିଙ୍କୁ କ୍ରିକେଟ ଉପଦେଷ୍ଟା କମିଟି ମୁଖ୍ୟ ଓ ଦ୍ରାବିଡ଼ଙ୍କୁ ଭାରତୀୟ ଦଳର ବ୍ୟାଟିଂ ପରାମର୍ଶଦାତା ଭାବେ ନିଯୁକ୍ତ କରିଥିଲେ।