ବିଷାକ୍ତ ଗ୍ୟାସ ଲିକ୍: ୨ ମୃତ, ୧୫ ଗୁରୁତର

ପ୍ରୟାଗରାଜ: ଭାରତୀୟ କୃଷି ଫର୍ଟିଲାଇଜର କୋପୋରେଟିଭ ଲଃ (ଆଇଏଫଏଫସିଓ)ର ଫୁଲପୁର ୟୁନିଟରେ ଗ୍ୟାସ ଲିକ୍। ବିଷାକ୍ତ ଗ୍ୟାସ ଲିକ୍ ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଘଟିଛି। ବର୍ତ୍ତମାନ ଗ୍ୟାସ୍ ଲିକ୍ ବନ୍ଦ ହୋଇଛି ଏବଂ ୟୁନିଟକୁ ଅସ୍ଥାୟୀ ଭାବେ ତାଲା ପକା ଯାଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ମୃତକ ଦୁଇ ଜଣ ଉକ୍ତ ପ୍ଲାଣ୍ଟରେ କାମ କରୁଥିଲେ। ସେମାନେ ହେଲେ ଭିପି ସିଂହ ଓ ଅଭୟନନ୍ଦନ କୁମାର। ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୧୫ ଜଣଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ଆଗକୁ ବଢ଼ିବାର ଆଶଙ୍କା ମଧ୍ୟ ପ୍ରକାଶ ପାଇଛି।
ପାଇପ ଫାଟିବା ଯୋଗୁ ଗ୍ୟାସ ଲିକ୍ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସେହିପରି ଗ୍ୟାସ ଲିକ୍ ଯୋଗୁ ପ୍ରଭାବିତ ହୋଇଥିବା ଲୋକଙ୍କୁ ସମସ୍ତ ପ୍ରକାରର ରିଲିଫ ଯୋଗାଇ ଦିଆଯାଇଥିବା ପ୍ରାୟଗରାଜ ଡିଏମ କହିଛନ୍ତି।