Odisha Link
Bridging the Missing Links in Odisha

ଧାନ ବିଲରୁ ଗଳିତ ମୃତ ଦେହ ଉଦ୍ଧାର

ବ୍ରଜରାଜନଗର : ଆଜି ରାଜପୁର କଟାପାଲି ଗ୍ରାମର ଏକ ଧାନ ବିଲରୁ ଏକ ବୃଦ୍ଧାଙ୍କ ଗଳିତ ମୃତ ଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ ବଘରାଚକା ଗ୍ରାମର ବାସନ୍ତୀ ସିଂହ। ତାଙ୍କର ଅଙ୍ଗ ପ୍ରତ୍ୟଙ୍ଗ କୌଣସି ଜନ୍ତୁ ଖାଇ ଦେଇଥିବାରୁ ଏଣେ ତେଣେ ପଡ଼ିଥିବା ଦେଖିବାକୁ ମିଳିଛି। ଧାନ କଟା ସାରିଥିବାରୁ କ୍ଷେତକୁ କେହି ଯାଉ ନଥିବାରୁ ଘଟଣାଟି ଜଣାପଡ଼ିନଥିଲା।

ଖବର ପାଇବା ପରେ ବ୍ରଜରାଜନଗର ଆଇଆଇସି ନଳିତା ମୋଦୀ, ଗାନ୍ଧି ଛକ ଫାଣ୍ଡି ଅଧିକାରୀ ଶଶିଭୂଷଣ ପୋଢ଼, ଏଏସଆଇ ଦୁବରାଜ କାଲୋ, କ୍ଷୀରୋଦ ବିହାରୀ ବାଗ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲେ।

ତଦନ୍ତରେ ସହାୟତା ପାଇଁ ଝାରସୁଗୁଡ଼ାରୁ ସାଇଣ୍ଟିଫିକ ଟିମ୍ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧନ କରି ଫେରିଯାଇଛନ୍ତି। ଏନେଇ ଆଇ ଆଇ ସି ନଳିତା ମୋଦୀଙ୍କୁ ପଚାରିବାରୁ ସାଇଣ୍ଟିଫିକ ଟିମର ତଦନ୍ତ ପାଇଁ ସହଯୋଗ ନିଆଯାଇଥିବା କହିଥିଲେ। ଶବ ବ୍ୟବଚ୍ଛେଦ ପାଇଁ ଝାରସୁଗୁଡ଼ା ନେବା ସମ୍ଭାବ ହେଉନଥିବାରୁ ଘଟଣାସ୍ଥଳକୁ ଡାକ୍ତର ଆସିଥିଲେ।

ସୂଚନାଯୋଗ୍ୟ, ବାସନ୍ତୀ ସିଂହ ଗତ ୨୦ ତାରିଖରୁ ନିଖୋଜ ଥିଲେ।ପରିବାର ଲୋକଙ୍କ କହିବା ଅନୁସାରେ ବାସନ୍ତୀ ସଂନ୍ଧ୍ୟାରେ ଟର୍ଚ୍ଚ ଧରି ଘରୁ ବାହାରକୁ ପରିଶ୍ରା ପାଇଁ ବାହାରିବା ପରେ ଆଉ ଘରକୁ ଫେରିନଥିଲେ। ଅନେକ ସମୟ ବିତିବା ପରେ ପରିବାର ଓ ସାହି ପଡ଼ିଶା ଲୋକେ ତାଙ୍କୁ ଚାରିଆଡ଼େ ଖୋଜାଖୋଜି କରିଥିଲେ ମାତ୍ର ପାଇନଥିଲେ।

ନିରାଶ ହେବା ପରେ ପରିବାର ଲୋକେ ଗାନ୍ଧିଛକ ଫାଣ୍ଡିରେ ଏ ନେଇ ଏତଲା ଦେଇଥିଲେ। ପୁଲିସ ମଧ୍ୟ ନିଖୋଜ ମହିଳାଙ୍କ ଅନୁସନ୍ଧାନ ସହିତ ତଦନ୍ତ ଜାରି ରଖିଥିବା ବେଳେ ଆଜି ନିଖୋଜ ବୃଦ୍ଧାଙ୍କ ଗଳିତ ଶବ ଏକ ବିଲରେ ପଡ଼ି ରହିଥିବା ସୂଚନା ପାଇଥିଲା।

Comments are closed.