ନକଲି ପୁଲିସ କରୁଛନ୍ତି ଗଞ୍ଜେଇ ଚାଲାଣ, ୩ ଗିରଫ

ମାଲକାନଗିରି : ଦିନକୁ ଦିନ ରାଜ୍ୟରେ ବଢ଼ି ଚାଲିଛି ଗଞ୍ଜେଇ ଚାଲାଣ। ତେବେ ମାଫିଆ ନୂଆ ତରିକା କରୁଛନ୍ତି ଗଞ୍ଜେଇ ଚୋରା ଚାଲାଣ। ମାଲକାନଗିରି ଜିଲ୍ଲା ଓରକେଲ ଥାନା ଅଞ୍ଚଳରେ ପୁଲିସ ପୋଷାକ ପିନ୍ଧି, ଗାଡ଼ିରେ ପୁଲିସ ଲେଖି ଚାଲିଥିଲା ଗଞ୍ଜେଇ ଚୋରା ଚାଲାଣ। ଓରକେଲ ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ସେମାନଙ୍କୁ ଗିରଫ କରିଛି।
ସୂଚନା ଅନୁସାରେ, ବାଲିମେଳା ଛକ- ଡାଇକ ୩ ମୁଖ୍ୟ ରାସ୍ତାର ଖଡ଼ିକାଝୁଡ଼ି ନିକଟରେ ଏସ୍ଆଇ ମିଲନ ମଜୁମଦାରଙ୍କ ନେତୃତ୍ୱରେ ଏକ ଟିମ୍ ଜଗି ରହିଥିଲେ। ଏହି ସମୟରେ ଏକ ଫେକ୍ ନମ୍ବର OD- ୩୩ B ୩୬୭୬ ଲେଖାଥିବା ଇନୋଭା କାରକୁ ଅଟକାଇଥିଲେ।
ଗାଡ଼ିରେ ପୁଲିସ ଲେଖାଥିବା ବେଳେ ବସିଥିବା ବ୍ୟକ୍ତି ମାନେ ମଧ୍ୟ ପୁଲିସ ବେଶରେ ଥିଲେ ।ସେମାନଙ୍କୁ କେଉଁ ଅଞ୍ଚଳର ପୁଲିସ ବୋଲି ପଚରାଯିବାରୁ ସେମାନେ ନିଜକୁ ବିହାର ପୁଲିସ ବୋଲି ପରିଚୟ ଦେଇଥିଲେ। କିନ୍ତୁ ତାଙ୍କ ଗାଡିର ନମ୍ବର ପ୍ଲେଟ ଓଡ଼ିଶା ରାଜ୍ୟର ଲାଗିଥିଲା।
ସେମାନେ ହିନ୍ଦୀ ଭାଷାରେ କଥାବାର୍ତ୍ତା କରୁଥିଲେ । ହେଲେ ସେମାନଙ୍କ କଥାବାର୍ତ୍ତାରେ ତାଳମେଳ ନଥିବାରୁ ସେମାନଙ୍କ ଗାଡି ଯାଞ୍ଚ କରିଥିଲା ପୁଲିସ୍। ଯାଞ୍ଚ ବେଳେ ଗାଡ଼ିରୁ ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଥିଲା। ଯାହାର ଅନୁମାନିକ ମୂଲ୍ୟ ୨ ଲକ୍ଷରୁ ଅଧିକ ହେବ ବୋଲି ପୁଲିସ ସୂଚନା ଦେଇଛି।
ଗଞ୍ଜେଇ ଚାଲାଣକାରୀମାନେ ହେଲେ ରାଜୁ ଖରିଫା, ରାଜୀବ କୁମାର ଏବଂ ଆକାଶ କୁମାର। ୨ ଜଣ ଅଭିଯୁକ୍ତ ବିହାର ପାଟଣା ମଉଜିପୁର ଏବଂ ସରିସ୍ତାବାଦ ଗାଁର ହୋଇଥିବା ବେଳେ ଅନ୍ୟ ଜଣେ ମୁଜାଫରପୁର ଅଞ୍ଚଳର ବୋଲି ପୁଲିସ ସୂଚନା ଦେଇଛି।
ତେବେ ସେମାନେ ଏହି ଗଞ୍ଜେଇକୁ ନାକାମାମୁଡ଼ି ଅଞ୍ଚଳରୁ ନିଜ ବିହାରକୁ ଚାଲାଣ କରୁଥିବା ଜଣାପଡିଛି। ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଓରକେଲ ଥାନା ଅଧିକାରୀ ସୌମେନ୍ଦୁ ତ୍ରିପାଠୀ ସୂଚନା ଦେଇଛନ୍ତି।
Comments are closed.