Odisha Link
Bridging the Missing Links in Odisha

ଆଜିଠୁ ଖୋଲିବ କଲେଜ ଓ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ଆଜିଠୁ ଖୋଲିବ କଲେଜ ଓ ବିଶ୍ୱବିଦ୍ୟାଳୟ। କେବଳ ୟୁଜି ପିଜିର ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ କଲେଜ ଓ ବିଶ୍ୱବିଦ୍ୟାଳୟରେ କ୍ଳାସ ହେବ। ରାଜ୍ୟ ସରକାରଙ୍କର କରୋନା ଗାଇଡଲାଇନ୍ ଅନୁସାରେ କ୍ଳାସରୁମ୍ ସମେତ କଲେଜ ପରିସରକୁ ସାନିଟାଇଜ୍ କରାଯିବା ସହ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ଦୁଇଟି ସେକ୍ସନରେ ଛାତ୍ରଛାତ୍ରୀ ମାନେ କ୍ଳାସ କରିବେ। ଦୁଇ ସେକ୍ସନ ମଧ୍ୟରେ ଅଧଘଣ୍ଟାର ବ୍ୟବଧାନ ରଖାଯାଇଛି। ଗୋଟିଏ ବେଞ୍ଚରେ ସର୍ବାଧିକ ଦୁଇ ଜଣ ବସିବେ ବୋଲି କଲେଜ ଅଧ୍ୟକ୍ଷ କହିଛନ୍ତି।

ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ଗାଇଡଲାଇନ୍‌ ମୁତାବକ, ନିୟମିତ ଭାବେ ପାଠପଢ଼ା ଅନୁଷ୍ଠିତ ହେବ। ଏଥିସହ କ୍ଲାସରୁମ୍ ପାଠପଢ଼ାର ରେକର୍ଡିଂ କରାଯାଇ ତାହାକୁ ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିବାକୁ ପରାମର୍ଶ ଦିଆଯାଇଛି। ଶ୍ରେଣୀଗୃହରେ ସାମାଜିକ ଦୂରତା ରକ୍ଷା ସହ ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀଙ୍କ କ୍ୟାମ୍ପସ ପ୍ରବେଶ ସମୟରେ ଥର୍ମାଲ ସ୍କ୍ରିନିଂକୁ ବାଧ୍ୟତାମୂଳକ କରାଯାଇଛି।

କ୍ୟାମ୍ପସରେ ଛେପ ପକାଇବା ଉପରେ କଟକଣା ଲାଗୁ ହୋଇଛି। କାଶ-ଛିଙ୍କ ସମୟରେ ପାଟି ଓ ନାକ ଯେପରି ରୁମାଲ ଦ୍ୱାରା ଆବଦ୍ଧ ରୁହେ, ସେଥିପ୍ରତି ଗୁରୁତ୍ୱ ଦେବାକୁ କୁହାଯାଇଛି। ସ୍ୱାସ୍ଥ୍ୟ ଖରାପ ଥିଲେ କିମ୍ବା ଅସୁସ୍ଥ ଅନୁଭବ କରୁଥିଲେ, ନିଜକୁ ଅନ୍ୟମାନଙ୍କଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।

Comments are closed.