ପୁଅକୁ ବାନ୍ଧି ଜାଳିଦେଲା ମା’

ଅନୁଗୁଳ: ଜନ୍ମ ଦେଇଥିବା ମା’ ନେଲା ଜୀବନ। ପୁଅକୁ ଖୁଣ୍ଟରେ ବାନ୍ଧି ଜାଳି ଦେଇଛି ମା’। ଏପରି ଅଭାବନୀୟ ଘଟଣା ଗତକାଲି ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ବଇଣ୍ଡା କେନ୍ଦୁସାହି ଗାଁରେ।ନିଶାଖୋର ପୁଅ ନିର୍ଯାତନାରେ ଅତିଷ୍ଠ ମା’ ଏପରି ଚରମ ପଦକ୍ଷେପ ନେଇଥିବା ଜଣାଯାଇଛି। ଏହି ହତ୍ୟାକାଣ୍ଡରେ ମୃତକ ରାଜକିଶୋର ପ୍ରଧାନ(୨୫)ଙ୍କ ମା’ ବଡ଼ ଭାଇ, ଭଉଣୀ ମଧ୍ୟ ସାମିଲ ଅଛନ୍ତି। ପୁଲିସ୍ ରାଜକିଶୋରଙ୍କ ମା’ ବଡ଼ ଭାଇ ଓ ଭଉଣୀଙ୍କୁ ଗିରଫ କରିଛି।
ସୂଚନା ମୁତାବକ, ରାଜକିଶୋର ପ୍ରତିଦିନ ନିଶା ପିଇ ଆସି ଘରେ ମାରପିଟ କରୁଥିଲେ। ଗତକାଲି ସନ୍ଧ୍ୟାବେଳେ ନିଶା ସେବନ କରି ଘରେ ପହଞ୍ଚିଥିଲେ। ଏହାପରେ ପରିବାର ଲୋକଙ୍କୁ ଗାଳିଗୁଲଜ କରିବା ସହ ଭଉଣୀଙ୍କୁ ମାରପିଟ କରିବାକୁ ଉଦ୍ୟତ ହୋଇଥିଲେ। ଏଥିରେ ଅତିଷ୍ଠ ହୋଇ ରାଜକିଶୋରଙ୍କ ମା’, ବଡ଼ଭାଇ ଓ ଭଉଣୀ ତାଙ୍କୁ ଏକ ଖୁଣ୍ଟରେ ବାନ୍ଧି ଦେଇଥିଲେ। ଏହାପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ।
ପୁଲିସ୍ ଅର୍ଦ୍ଧଦଗ୍ଧ ରାଜକିଶୋରଙ୍କୁ ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଘରେ ଆଉ କେହି ନ ଥିବାରୁ ରାଜକିଶୋରଙ୍କ ମୃତଦେହ ଆଠମଲ୍ଲିକ ଶବବ୍ୟବଚ୍ଛେଦ ଗୃହରେ ଥିବା ଜଣାଯାଇଛି। କେହି ନିକଟ ସମ୍ପର୍କୀୟ ପହଞ୍ଚିଲେ ମୃତଦେହ ହସ୍ତାନ୍ତର କରାଯିବ ବୋଲି ପୁଲିସ୍ କହିଛି। ରାଜକିଶୋରଙ୍କ ନିଶାଖୋର ପ୍ରବୃତ୍ତି କିଛି ମାସ ପୂର୍ବେ ତାଙ୍କ ସ୍ତ୍ରୀ ଛାଡ଼ି ଚାଲିଯାଇଥିବା ଜଣାଯାଇଛି।