Odisha Link
Bridging the Missing Links in Odisha

ନୟାଗଡ଼ ପରେ ଦେବଗଡ଼: ବାଲ୍ୟବିବାହ ମୁକ୍ତ ହେଲା ୩୭୦ ଗାଁ

ଭୁବନେଶ୍ବର: ବାଲ୍ୟବିବାହ ବିରୋଧରେ ରାଜ୍ୟବାପୀ ଚାଲିଥିବା ସଚେତନତା ଅଭିଯାନକୁ ଏକ ବଡ଼ ସଫଳତା ମିଳିଛି। ପୂର୍ବରୁ ନୟାଗଡ଼ ଜିଲ୍ଲାରେ ସର୍ବାଧିକ ୪୧ଟି ଗାଁକୁ ପ୍ରଶାସନ ବାଲ୍ୟବିବାହ ମୁକ୍ତ ଘୋଷଣା କରିଥିବା ବେଳେ ଏହାଠାରୁ କେଇ ପାଦ ଆଗେଇ ଯାଇଛି ଦେବଗଡ଼। ଚଳିତ ସପ୍ତାହରେ ଦେବଗଡ଼ ଜିଲ୍ଲାପାଳ ଜିଲ୍ଲାର ୩୭୦ ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଘୋଷଣା କରିଛନ୍ତି। ଏକ ପଛୁଆ ଜିଲ୍ଲା ଭାବେ ପୂର୍ବରୁ ନିନ୍ଦିତ ଦେବଗଡ଼ ଏ କ୍ଷେତ୍ରରେ ରାଜ୍ୟରେ ସବୁଠୁ ଆଗରେ ରହି ଏକ ନୂଅ ଉଦାହରଣ ସୃଷ୍ଟି କରିଛି।

ସ୍ବାଧୀନତାର ୭ ଦଶନ୍ଧି ପରେ ବି ଓଡ଼ିଶାରେ ବାଲ୍ୟବିବାହ ଏକ କଳଙ୍କିତ ପ୍ରଥା ଭାବେ ବଳବତ୍ତର ରହିଛି। ରାଜ୍ୟରେ ଅଧିକ ବାଲ୍ୟ ବିବାହ ହେଉଥିବା ୧୫ଟି ଜିଲ୍ଲାରେ ଆକ୍ସନ୍‌ଏଡ୍‌ ଓ ୟୁନିସେଫ୍‌ର ମିଳିତ ପ୍ରୟାସରେ ବାଲ୍ୟବିବାହ ବିରୋଧରେ ସଚେତନତା ମୂଳକ କାର୍ଯ୍ୟ ଜାରି ରହିଛି।

ତଥ୍ୟ ଅନଅୁସାରେ ୨୦୧୯ ମସିହାରେ ରାଜ୍ୟରେ ବାଲ୍ୟବିବାହ ଆଦୌ ହୋଇ ନାହିଁ। ସମାଜସେବୀ ଘାଷିରାମ ପଣ୍ଡାଙ୍କ ଉଦ୍ୟବେ ୨୦୨୦ ଜାନୁଆରୀ ୬ ତାରିଖରେ ପ୍ରଥମ ଥର ପାଇଁ ସୁବର୍ଣ୍ଣପୁର ଜିଲ୍ଲାର ରୁଗୁଡିପାଲୀ ଗ୍ରାମକୁ ବାଲ୍ୟବିବାହ ମୁକ୍ତ କରାଯାଇଥିଲା। ପରେ ରାଜ୍ୟ ସରକାର ଏନେଇ ପ୍ରଶାସନିକ ପଦକ୍ଷେପ ନିମନ୍ତେ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୨୦୨୧ ଜାନୁଆରୀ ୭ ତାରିଖ ସୁଦ୍ଧା ରାଜ୍ୟ ବିଭିନ୍ନ ଜିଲ୍ଲାରେ ସରକାରଙ୍କ ପକ୍ଷରୁ ମୋଟ୍‌ ୧୧୪ଟି ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଘୋଷଣା କରାଯାଇଥିଲା। ଏଥିରେ ନୟାଗଡ଼ର ସର୍ବାଧିକ ୪୧ଟି ଗ୍ରାମ ରହିଥିଲା। ଚଳିତ ମାସ ୧୩ ତାରିଖରେ ଦେବଗଡ଼ ଜିଲ୍ଲାପାଳ ଆଉ ୩୭୦ ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଘୋଷଣା କରିବା ପରେ ଗ୍ରାମ ସଂଖ୍ୟା ୪୮୪ରେ ପହଁଞ୍ଚିଛି।

Comments are closed.