ଅଟୋରୁ ଗଞ୍ଜେଇ ଜବତ, ୩ ଅଟକ

ଲମତାପୁଟ : କୋରାପୁଟ ଜିଲ୍ଲା ଆନ୍ଧ୍ର ସୀମାନ୍ତବର୍ତ୍ତୀ ପାଡୁଆ ଅଞ୍ଚଳରୁ କଳାହାଣ୍ଡିକୁ ଗଞ୍ଜେଇ ଚୋରା ଚାଲଣ ବେଳେ ଜବତ କଲା ପୁଲିସ। ପ୍ରାୟ ୧ କ୍ବିଣ୍ଟାଲ ୪୦ କେଜି ଗଞ୍ଜେଇ ଥିବା ବେଳେ ଏହାର ମୂଲ୍ୟ ପ୍ରାୟ ୧୪ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି।
ପ୍ରକାଶ ଯେ, ବିଶେଷ ସୂତ୍ରରୁ ଖବର ପାଇ ମାଛକୁଣ୍ଡ ଥାନା ଅଧିକାରୀ ଲମତାପୁଟ ପୁଲିସ ଏବଂ ଜଲାପୁଟ ପୁଲିସକୁ ଖବର ଦେଇଥିଲେ। କଡ୍ରି ଗ୍ରାମ ଛକ ନିକଟରେ ଲମତାପୁଟ ପୁଲିସ ଏବଂ ଜଲାପୁଟ ପୁଲିସ ନାକାବନ୍ଦୀ କରି ଗାଡି ଯାଞ୍ଚ କରିଥିଲେ।
ସେହି ସୟରେ ଦ୍ରୃତ ଗତିରେ ଏକ ଅଟୋ ଓ ମଟର ସାଇକେଲ ଆସୁଥିବାର ପୁଲିସ ଦେଖିବା ପରେ ସେମାନଙ୍କୁ ଅଟକାଇବା ପାଇଁ ଚେଷ୍ଟା କରି ଥିଲେ। କିନ୍ତୁ ସେମାନେ ଦୁଇଟି ପୁଲିସକୁ ଚକମା ଦେଇ ଚାଲିଯିବା ପାଇଁ ଚେଷ୍ଟା କରିଥଲେ ହେଲେ ପୁଲିସ ଦୁଇଟି ଗାଡିକୁ ଅଟକାଇବା ସହ ତିନି ଜଣକୁ କାବୁ କରିବାରେ ସଫଳ ହୋଇଛି।
ଅଟୋକୁ ଯାଞ୍ଚ କରିବାରୁ ସେଥିରେ ୬ ବସ୍ତା ବିପୁଳ ପରିମାଣରେ ଗଞ୍ଜେଇ ଥିବା ଜଣାପଡିଥିଲା । ଗଞ୍ଜେଇ ଚାଲାଣ ବେଳେ ବ୍ୟବହୃତ ହୋଇଥିବା ଅଟୋ ଏବଂ ମୋଟର ସାଇକେଲକୁ ଜବତ କରିଛି ପୁଲିସ ।