Odisha Link
Bridging the Missing Links in Odisha

ଟ୍ରେନ ଧକ୍କାରେ ୨ ହାତୀ ମୃତ

ରାଉରକେଲା: ଟ୍ରେନ ଧକ୍କାରେ ୨ ହାତୀ ମୃତ। ଏହି ଦୁର୍ଘଟଣାଟି ରାଉରକେଲା ବିଶ୍ରା ମହିପାଣି ନିକଟରେ ଘଟିଛି। ଗତ ବିଳମ୍ବିତ ରାତିରେ ହାତୀକୁ ଧକ୍କା ଦେଇଥିଲା ମାଲ୍‌ବାହୀ ଟ୍ରେନ। ବର୍ତ୍ତମାନ ସୁଦ୍ଧା ହାତୀର ଖଣ୍ଡବିଖଣ୍ଡିତ ମୃତଦେହ ଧାରଣାରେ ପଡ଼ି ରହିଛି । ରେଳ ଧାରଣ ପାର କରିବା ବେଳେ ଘଟିଛି ଏହି ଦୁର୍ଘଟଣା। ଘଟଣାସ୍ଥଳରେ ବନ ବିଭାଗ ପହଁଞ୍ଚି ରେଲ ବିଭାଗକୁ ଦାଇ କରିଛି।

ବନ ବିଭାଗର ରାଉରକେଲା ଡିଭିଜନ ଏସିଏଫ୍‌ ଟଙ୍କଧର ବେହେରା କହିଛନ୍ତି, ସନ୍ଧ୍ୟା ୭ଟା ବେଳେ ରେଳବାଇ କର୍ତ୍ତୃପକ୍ଷଙ୍କୁ ହାତୀଙ୍କ ଗତିବିଧି ନେଇ ଅବଗତ କରାଯାଇଥିଲା ଓ ସତର୍କ ରହିବାକୁ କୁହାଯାଇଥିଲା। ତା’ସତ୍ତ୍ୱେ ଦୁର୍ଘଟଣା ଘଟାଇଥିବା ଟ୍ରେନ୍‌ର ବେଗ ଘଣ୍ଟା ପ୍ରତି ପ୍ରାୟ ୧୦୦ କିଲୋମିଟର ଥିଲା। ଏହି ହାତୀ ପଛରେ ଆମର ୩୦ ଜଣିଆ ସ୍କ୍ୱାଡ୍‌ ବି ରହିଥିଲା। ସେମାନେ ମଧ୍ୟ ସଂକେତ ଦେଇ ଟ୍ରେନ୍‌ଟିକୁ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଟ୍ରେନ୍‌ଟି ରହି ନଥିଲା।

ଏସିଏଫ୍‌ କହିଛନ୍ତି, ବର୍ତ୍ତମାନେ ଆମେ ଟ୍ରେନ୍‌ର ବେଗ କେତେ ଥିଲା, ତା’ଉପରେ ତଦନ୍ତ କରିବୁ। ତା’ସହିତ ଆମେ ସତର୍କ କରାଇବା ସତ୍ତ୍ୱେ କାହିଁକି ଏହି ଦୁର୍ଘଟଣା ଘଟିଲା, ତା’ର ତଦନ୍ତ କରିବୁ। ଆମ ପଟରୁ କିଛି ଭୁଲ୍ ନଥିଲା।

ରେଳବାଇ ପକ୍ଷରୁ ବନ୍ଧମୁଣ୍ଡା ଏଆର୍‌ଏମ୍‌ ନିଶାନ୍ତ କୁମାର କହିଛନ୍ତି, ଏହି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ। ରାତି ପ୍ରାୟ ଗୋଟାଏ ବେଳେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ଘଟିବା ପରେ ଉଭୟ ରେଳ ଓ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଦ୍ଧାର କାର୍ଯ୍ୟ ଶେଷ ହୋଇଯାଇଛି। ଦୁର୍ଘଟଣା ଯୋଗୁ ଏହି ଲାଇନ୍‌ରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

ସେ କହିଛନ୍ତି, ଏଭଳି ଦୁର୍ଘଟଣା କାହିଁକି ଘଟିଲା, ତା’ର କାରଣ ସଙ୍ଗେ ସଙ୍ଗେ କିଛି ଜଣାପଡ଼ିନି। ଟ୍ରେନ୍‌ ପାଇଁ ବିଭିନ୍ନ ସେକ୍ସନରେ ପୃଥକ ପୃଥକ ସ୍ପୀଡ୍ ଧାର୍ଯ୍ୟ ହୋଇଥାଏ। ସେହି ଅନୁସାରେ ସତର୍କ କରାଯାଏ। ହାତୀଙ୍କୁ ଧକ୍କା ଦେଇଥିବା ଟ୍ରେନ୍‌ଟିର ବେଗ କେତେ ଥିଲା, ତାହା ସ୍ପୀଡୋମିଟରରୁ ଜଣାପଡ଼ିବ। ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହୋଇପାରିବ।

Comments are closed.