ଷଢ଼େଇକଳା ଓ ଖରସୁଆଁ ଘଟଣାର ପୁନରାବୃର୍ତ୍ତି ହେବାକୁ ଦେବୁନାହିଁ: ସମୀର
ଭୁବନେଶ୍ୱର: ପାରଳା ମହାରାଜ କୃଷ୍ଣଚନ୍ଦ୍ର ଗଜପତିଙ୍କ ନେତୃତ୍ୱରେ ସମଗ୍ର ଓଡ଼ିଶା ପ୍ରଦେଶରେ ଏକ ଓଡ଼ିଆ ଜାତୀୟତାବାଦର ଉଗ୍ର ଭାବନା ଜାଗ୍ରତ ହୋଇଥିଲା। ଯାହାର ଫଳସ୍ୱରୂପ ଭାଷା ଭିତ୍ତିକ ରାଜ୍ୟ ଭାବରେ ଭାରତବର୍ଷର ପ୍ରଥମ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହୋଇଥିଲା ଓ ଏଥିପାଇଁ ପାରଳା ମହାରାଜ ନିଜ ଜୀବନ, ଯୈାବନ, ଧନ ସଂପତ୍ତିକୁ ଉତ୍ସର୍ଗ କରିଥିଲେ। କିନ୍ତୁ ଏବେ ଅବିଭକ୍ତ ଗଞ୍ଜାମ ଓ କୋରାପୁଟ ଜିଲ୍ଲାର ଆନ୍ଧ୍ର ସୀମାନ୍ତବର୍ତୀ ଅଞ୍ଚଳ ଗୁଡ଼ିକ ଅସୁରକ୍ଷିତ ରହିଛି। ଗଭୀର ଭାବଗତ ସମ୍ପର୍କ ସତ୍ୱେ ବାଧ୍ୟବାଧକତାରେ ଓଡିଆ ଲୋକେ ଆନ୍ଧ୍ର ମୁହାଁ ହୋଇଛନ୍ତି ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି।
ଯେଉଁ ଅଞ୍ଚଳରେ ଲୋକ ଏହି ରାଜ୍ୟ ଗଠନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥଲେ, ଆଜି ସେହି ଅଞ୍ଚଳର ଲୋକେ ଅସୁରକ୍ଷିତ। ୨୦୦୬ ମସିହାରେ ସୁପ୍ରିମକୋର୍ଟ କୋଟିଆ ଉପରେ ସ୍ଥିତାବସ୍ଥା ରକ୍ଷା କରିବା ପାଇଁ ଆଦେଶ ଦେଲେ। କିନ୍ତୁ ଆନ୍ଧ୍ରପ୍ରଦେଶ ସୁପ୍ରିମକୋର୍ଟର ନିର୍ଦ୍ଦେଶକୁ ଅବମାନନାନ କରି ବିଗତ କିଛି ବର୍ଷ ଧରି ମନୋନୟନ ପ୍ରକ୍ରିୟାରେ ନିର୍ବାଚନ କରୁଥିବାବେଳେ ଚଳିତ ବର୍ଷ ପ୍ରଥମ ଥର ପାଇଁ ପ୍ରତ୍ୟକ୍ଷ ନିର୍ବାଚନ କରୁଛନ୍ତି। ବିଳମ୍ବରେ ରାଜ୍ୟ ସରକାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇ ଅବୈଧ ନିର୍ବାଚନ ପ୍ରକ୍ରିୟାକୁ ବନ୍ଦ କରିପାରିଲେ ନାହିଁ। ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଏବଂ ଗୁଇନ୍ଦା ବିଭାଗ ସଂପୂର୍ଣ୍ଣ ବିଫଳ ହୋଇଛି। କୋଟିଆ ଅଞ୍ଚଳରେ ବିକାଶ ପହଞ୍ଚିବାରେ ବିଫଳ ହୋଇଥିବାରୁ ଓଡ଼ିଶାର ସୀମାନ୍ତବର୍ତୀ ଅଞ୍ଚଳର ଲୋକେ ଆନ୍ଧ୍ର ମୁହାଁ ହେଉଛନ୍ତି ବୋଲି ସମୀର ମହାନ୍ତି କହିଛନ୍ତି।
ସ୍ୱାସ୍ଥ୍ୟ, ଶିକ୍ଷା, ବାସଗୃହ, ପାନୀୟ ଜଳ ଓ ରୋଜଗାରର ସୁବିଧା ଓଡିଶାରୁ ମିଳୁନାହିଁ । କେନ୍ଦ୍ର ସରକାରଙ୍କର ଚତୁର୍ଦ୍ଦଶ ଅର୍ଥ କମିଶନରେ ଆସିଥିବା ଅର୍ଥ ବିନିଯୋଗ ହୋଇନାହିଁ । ୨୦୧୮ ମସିହାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗସ୍ତ ପରେ ହିଁ କୋଟିଆ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଓ ବିଏସଏନଏଲ ଟାୱାର ସ୍ଥାପନା ସମ୍ଭବ ହୋଇପାରିଛି। ବିବାଦୀୟ ପାଟସେନେରୀ ଗାଁରେ ୩୦ ଜଣ ମନରେଗା ହିତାଧିକାରୀଙ୍କୁ ବିଗତ ୩ ବର୍ଷ ଧରି କାର୍ଯ୍ୟ କରିବା ସତ୍ୱେ କୌଣସି ପାରିଶ୍ରମିକ ମିଳିନାହିଁ। ଆନ୍ଧ୍ର ସରକାରଙ୍କ ଦ୍ୱାରା ଗାଁ ମାନଙ୍କରେ ସୌଭାଗ୍ୟ ଯୋଜନାରେ ବିଜୁଳୀ ସଂଯୋଗୀକରଣ ହୋଇଛି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାଟସେନେରୀ ଗାଁରେ ଗୋଟିଏ ମାତ୍ର ପକ୍କା ଘର ଦେଖିବାକୁ ମିଳିଲା। ସମସ୍ତ ଗୃହ ଆନ୍ଧ୍ର ସରକାର ଦ୍ୱାରା ଚିହ୍ନଟ ହୋଇ ଷ୍ଟିକରିଂ କରାଯାଇଛି । ଅବୈଧ ନିର୍ବାଚନ ପ୍ରକ୍ରିୟାକୁ ଆନ୍ଧ୍ରର ପ୍ରଶାସନିକ ଅଧିକାରୀମାନେ ପ୍ରତ୍ୟକ୍ଷ ଭାବେ ତଦାରଖ କରୁଥିବାବେଳେ ଓଡିଶା ସରକାର କିମ୍ବା କୋରାପୁଟ ଜିଲ୍ଲା ପ୍ରଶାସନ ଅଧିକାରୀମାନେ ଆଦୌ ଆସୁନଥିବା ଗ୍ରାମବାସୀମାନେ ଅଭିଯୋଗ କରିଥିଲେ। କୋଭିଡ ସମୟରେ ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଯୋଜନାରେ ୮ ମାସ ବଦଳରେ କେବଳ ୨ ମାସର ଚାଉଳ ଓ ଡାଲି ଯୋଗାଇ ଦିଆଯାଇଛି। ରାଜ୍ୟ ସରକାରଙ୍କ ଦାୟୀତ୍ୱହୀନତା, ଉଦାସୀନତା ଓ ସମ୍ବେଦନହୀନତା କାରଣରୁ କୋଟିଆ ଗ୍ରାମପୁଂଜର ୨୧ଟି ବିବାଦୀୟ ଗାଁର ଜନସାଧାରଣ ଆନ୍ଧ୍ର ମୁଖା ହେବାକୁ ବାଧ୍ୟ ହେଉଛନ୍ତି ବୋଲି ଶ୍ରୀ ମହାନ୍ତି ଦୃଢ ଅଭିଯୋଗ କରିଛନ୍ତି।