Odisha Link
Bridging the Missing Links in Odisha

ପ୍ରେମଦିବସରେ ପ୍ରେମୀ ଯୁଗଳଙ୍କର ବିବାହ କରାଇଲା ସ୍ଵେଚ୍ଛାସେବୀ ସଂଗଠନ

ଭଦ୍ରକ: ପ୍ରେମର କେବେ ଅନ୍ତ ହୁଏ ନାହିଁ, ତାହା ଚିର ଶାଶ୍ବତ ଏହାର ଜ୍ବଳନ୍ତ ଉଦାହାରଣ ଦେଖବାକୁ ମିଳିଛି ଭଦ୍ରକରେ। ସବୁ ଘାତପ୍ରତି ସତ୍ତ୍ବେ ଏକ ସ୍ଵେଚ୍ଛାସେବୀ ସଂଗଠନ ପ୍ରେମୀ ଯୁଗଳଙ୍କର ବିବାହ କରାଇଛନ୍ତି। ବିବାହ ବୟସ ହୋଇନଥିବାବ ବେଳେ ପ୍ରେମୀ ଯୁଗଳ ଘରୁ ପଳାଇଯାଇଥିଲେ। ପରେ କଥା ଥାନା, କୋର୍ଟ ଆଉ କଚେରୀ ପର୍ଯ୍ୟନ୍ତ ଯାଇଥିଲା। ପୋଲିସ ଦ୍ଵାରା ଉଦ୍ଧାର ହେଲେ ପ୍ରେମୀ ଯୁଗଳ। ପ୍ରେମିକାକୁ ସୁଧାର ଗୃହକୁ ପଠାଯାଇଥିବା ବେଳେ ପ୍ରେମିକ ଜେଲ୍‌ ଯାଇଥିଲା। କିନ୍ତୁ ଏତେ ପରେ ମଧ୍ୟ ପ୍ରେମ ସମ୍ପର୍କରେ ଫାଟ ପଡିନଥିଲା। ପ୍ରେମିକ ବେଲ୍‌ରେ ଆସିଲେ ଓ ପ୍ରେମିକାଙ୍କର ବୟସ ହେବା ପରେ ଉଭୟଙ୍କୁ ବିବାହ ବନ୍ଧନରେ ଆବଦ୍ଧ କରାଇଲା ସ୍ଵେଚ୍ଛାସେବୀ ସଂଗଠନ ଆସିୟାନା। ଆଜି ପ୍ରେମ ଦିବସରେ ପ୍ରେମୀ ଯୁଗଳଙ୍କ ବିବାହ ଭଦ୍ରକ ସହରର କୁଆଁସ, ବଡଦାଣ୍ଡ ସ୍ଥିତ ମନ୍ଦିରରେ ହୋଇଛି।

 ସୂଚନା ଯୋଗ୍ୟ, ଏହି ପ୍ରେମିଯୁଗଳ ହେଉଛନ୍ତି ଭଦ୍ରକ ଜିଲ୍ଲାର । ପ୍ରେମିକାଙ୍କ ନାଁ ବୈଶାଖୀ ମହାନ୍ତି। ତାଙ୍କ ଘର ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ଧନାଟୋଲା ଅଞ୍ଚଳରେ। ପ୍ରେମିକ ପ୍ରକାଶ ବେହେରାଙ୍କ ଘର ଚାନ୍ଦବାଲି ଥାନା ଶୁକ୍ଲେଶ୍ୱର ଗାଁରେ। ବୈଶାଖୀ ନିଜ ପିଉସୀଙ୍କ ଘରକୁ ଯାଇଥିବା ବେଳେ ପ୍ରକାଶ ସହ ପ୍ରେମ ଆରମ୍ଭ ହୋଇଥିଲା। ବୈଶାଖୀଙ୍କ ପରିବାର ଲୋକେ ଏହାକୁ ବିରୋଧ କରିବାରୁ ୨୦୧୯ ଅକ୍ଟୋବରରେ ଉଭୟ ଘର ଛାଡ଼ି ବେଙ୍ଗାଲୁରୁ ପଳାଇଥିଲେ। ୨୦ ଦିନ ବେଙ୍ଗାଲୁରୁରେ ରହିବା ପରେ ପ୍ରକାଶଙ୍କ ଘରକୁ ଉଭୟ ପଳାଇ ଆସିଥିଲେ।

ଏ ନେଇ ବୈଶାଖୀଙ୍କ ପରିବାର ଲୋକେ ପୁରୁଣାବଜାର ଥାନାରେ ଏତଲା ଦେଇଥିଲେ। ପୁରୁଣାବଜାର ପୋଲିସ ବୈଶାଖୀଙ୍କୁ ଉଦ୍ଧାର କରି ଜିଲ୍ଲା ଶିଶୁ ମଙ୍ଗଳ କମିଟିର ନିର୍ଦ୍ଦେଶରେ ଆସିୟାନା ମୁକ୍ତାଶ୍ରୟରେ ଛାଡିଥିଲେ। ପରେ ପ୍ରକାଶଙ୍କୁ ଜେଲ୍ ହୋଇଥିଲା। ବୈଶାଖୀଙ୍କ ବୟସ ୧୮ ଛୁଇଁବା ପରେ ସେ ପ୍ରକାଶଙ୍କୁ ବିବାହ ପାଇଁ ଜିଦ୍ ଧରିଥିଲେ।

ପରେ ପ୍ରକାଶଙ୍କ ପରିବାର ଓ ଆସିୟାନାର ସଦସ୍ୟଙ୍କ ଉପସ୍ଥିତିରେ ଉଭୟଙ୍କ ଭଦ୍ରକ ସହରର କୁଆଁସ ବଡ ଦାଣ୍ଡ ସ୍ଥିତ ଜଗନ୍ନାଥ ମନ୍ଦିରରେ ବୈଦିକ ରୀତିରେ ବିବାହ ଉତ୍ସବ ଆୟୋଜିତ ହୋଇଛି। ତେବେ ପ୍ରେମ ଦିବସରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇ ବେଶ୍ ଖୁସି ଅରିଛନ୍ତି।

 

Comments are closed.