Odisha Link
Bridging the Missing Links in Odisha

ଯାଜପୁରରେ ଲଜ୍ଜା: ଆଦିବାସୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ୪ ଅଭିଯୁକ୍ତ ଗିରଫ

ଯାଜପୁର: ବିଶ୍ବ ମହିଳା ଦିବସରେ ନାରୀକୁ ସମ୍ମାନ ଓ ସୁରକ୍ଷା କଥା ଯେତେ ଚର୍ଚ୍ଚା ହେଲେ ବି ନାରୀ ସମାଜରେ ଅସୁରକ୍ଷିତ। ବୃତ୍ତି ପାଇବା ଆଶାରେ ଆସିଥିବା ଜଣେ ଆଦିବାସୀ ନାବାଳିକା ଛାତ୍ରୀ ‌ଗଣଦୁଷ୍କର୍ମର ଶିକାର ହୋଇଛି। ଏଭଳି ଲଜ୍ଜାଜନକ ଘଟଣା ଘଟିଛି ଯାଜପୁର ଜିଲ୍ଲା କାଳିଆପାଣି ଥାନା କଲରଙ୍ଗି ଖଣି ଅଞ୍ଚଳରେ।

ସୂଚନା ମୁତାବକ, କଳିଙ୍ଗନଗର ଥାନା ଏକ ଗାଁରୁ ପୀଡ଼ିତା ଜଣଙ୍କ ବୃତ୍ତି(ଟାଟାଷ୍ଟିଲ ଜ୍ୟୋତି ଫେଲୋସିପ୍‌ ଆୱାର୍ଡ) ଅର୍ଥ ପାଇବା ଆଶାରେ ପୁରୁଷ ସହପାଠୀଙ୍କ ସହ ବ୍ରାହ୍ମଣୀପାଳ ଯାଇଥିଲେ। ମାତ୍ର ସେଠାରେ ୪ ଜଣ ଦୁବୃର୍ତ୍ତ ତାଙ୍କ ଟେକି ନେଇ ଗଣଦୁଷ୍କର୍ମ କରିଥିଲେ। ଛାତ୍ରୀ ଜଣକ ଜୀବନ ବଞ୍ଚାଇବାକୁ ଯାଇ ବହୁ ସଂଘର୍ଷ କରି ଦୁର୍ବୃତ୍ତଙ୍କ କବଳରୁ ନିଜକୁ ମୁକୁଳାଇଲା ଉଲଗ୍ନ ଅବସ୍ଥାରେ ରାସ୍ତା ଉପରେ ଦଉଡ଼ି ଦଉଡ଼ି ଜଣେ ଗୃହରକ୍ଷୀଙ୍କ ଘରେ ଶରଣ ନେଇଥିଲେ।

ପୀଡ଼ିତାଙ୍କ ଏତଲା ଆଧାରରେ ପୁଲିସ୍‌ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ଜଣକ ଓଡ଼ିଶା ପୁଲିସର ଓଆଇଏସ୍‌ଏଫ୍‌ କାଳିଆପାଣି ୟୁନିଟ୍‌ରେ ରୋଷେୟା ଭାବେ କାମ କରୁଥିବା ସନ୍ତୋଷ ପୃଷ୍ଟି (୩୧) ବୋଲି ଜଣାପଡ଼ିଛି। ଅନ୍ୟ ଅଭିଯୁକ୍ତମାନେ ହେଲେ ରବି(୨୦),‌ ସିଲୁ(୨୦) ଓ ବବୁଲୁ(୨୦)। ଥାନାରେ ଏକ କେସ୍‌ ୨୪/୨୧ ରୁଜୁ ହୋଇଥିଲା।

ଅଭିଯୁକ୍ତମାନଙ୍କୁ ଆଇପିସି ଦଫା ୩୪୧, ୩୬୩, ୩୭୬(ଡି), ୫୦୬/୩୪ ଓ ୪ ଶିଶୁ ‌ଯୌନ ନିର୍ଯାତନା ଓ ନିରାକରଣ ଆଇନ(‌ପୋକ୍ସୋ ଆକ୍ଟ୍) ଆଧାରରେ ଯାଜପୁର ଜିଲ୍ଲା ଦୌରା ଜଜ୍‌ଙ୍କ କୋର୍ଟକୁ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବା ପରେ ସମସ୍ତ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

Comments are closed.