Odisha Link
Bridging the Missing Links in Odisha

ବିଧାନସଭା: ସୋମବାର ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର: ପୁଣି ବିଧାନସଭାରେ ବିରୋଧୀ ଓ ଶାସକ ମୁହାଁମୁହିଁ ହୋଇଛନ୍ତି। ପ୍ରବଳ ହଟ୍ଟଗୋଳ ଭିତରେ ଗୃହକୁ ସୋମବାର ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ଅପରାହ୍ନ ୪ଟା ପରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ସମୟରେ ଗୃହରେ ୮ଟି ବିଲ୍ ଉପସ୍ଥାପନ ହୋଇଥିଲା।

ତେବେ ଗୃହରେ ଉଭୟ ଶାସକ ଏବଂ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ହୋଇଥିଲା। ତେଣୁ ବାଚସ୍ପତି ଗୃହକୁ ସୋମବାର ଯାଏଁ ମୁଲତବୀ ଘୋଷଣା କରିଛନ୍ତି। ଆଜି ଦିନ ସାଢେ ୧୧ଟା ପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପୁଣି ଗୃହରେ ହଙ୍ଗାମା କରିଥିଲେ ଉଭୟ ଶାସକ ଓ ବିରୋଧୀ। ଫଳରେ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା।

ପ୍ରଥମଥର ପାଇଁ ଶାସକ ଦଳର ସଭ୍ୟମାନେ ଗୃହର ମଧ୍ୟ ଭାଗକୁ ଆସି ହଙ୍ଗାମା କରିଛନ୍ତି। ଗତକାଲି ବିଧାନସଭାରେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ। ଦେବଗଡ଼ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ବିଜେଡି ବିଧାୟକମାନେ ପ୍ରଥମେ ନିଜ ନିଜ ଆସନରେ ବସି ପାଟିତୁଣ୍ଡ କରିଥିଲେ।

ଏହାପରେ ଗୃହର ମଧ୍ୟ ଭାଗକୁ ଆସି ପ୍ରବଳ ହଙ୍ଗାମା କରଥିଲେ। ବିରୋଧୀ ଦଳର ସଦସ୍ୟଙ୍କ ଏଭଳି ଆଚରଣ ଗୃହର ମର୍ଯ୍ୟାଦା ଭଙ୍ଗ କରିଥିବା ଅଭିଯୋଗ କରିଛନ୍ତି ଶାସକ ଦଳର ସଭ୍ୟ। ସେପଟେ ପୁଣି ମଣ୍ଡି ଓ ଚାଷୀ ପ୍ରସଙ୍ଗ ଉଠାଇ ବିଜେପି ଓ କଂଗ୍ରେସ ସଦସ୍ୟ ମଧ୍ୟ ଗୃହ ଭିତରେ ପ୍ରବଳ ପାଟିତୁଣ୍ଡ କରିଥିଲେ। ଉଭୟ ଶାସକ ଓ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଫଳରେ ଗୃହ ବାରମ୍ବାର ମୁଲତବୀ ଯୋଗୁଁ ଚାଲିପାରିନଥିଲା।

Comments are closed.