Odisha Link
Bridging the Missing Links in Odisha

ତାତିରୁ ନାହିଁ ନିସ୍ତାର, ଆହୁରି ୨ରୁ ୩ ଡିଗ୍ରି ବଢ଼ିବ ପାରା

ଭୁବନେଶ୍ବର: ପାରଦ ଉପରମୁହାଁ ହୋଇଥିବା ବେଳେ ଆହୁରି ବଢ଼ିବ ତାତି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସହରର ଦିନ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଭୁବନେଶ୍ବରରେ ରାଜ୍ୟର ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଗତକାଲି ତୁଳନାରେ ଆଜି ତାପମାତ୍ରା ୨.୩ ଡିଗ୍ରି ବୃଦ୍ଧି ପାଇ ୩୯.୩ ଡିଗ୍ରିରେ ପହଞ୍ଚିଛି।

ବଲାଙ୍ଗୀରରେ ୩୮.୭ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ନୟାଗଡ଼, ମାଲକାନଗିରି, ଟିଟିଲାଗଡ଼ ଓ ବୌଦ୍ଧରେ ୩୮.୫ ଡିଗ୍ରି ଲେଖାଏଁ, କଟକରେ ୩୮.୨, ତାଳଚେରରେ ୩୮.୧ ଓ ବାରିପଦାରେ ୩୮ ଡିଗ୍ରି ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ର ନିର୍ଦେଶକ ଏଚ୍‌.ଆର୍‌ ବିଶ୍ବାସ କହିଛନ୍ତି ଯେ, ଆଜି ଦିନରେ ରାଜ୍ୟର ସମସ୍ତ ଜିଲ୍ଲାର ପାଗ ମୁଖ୍ୟତଃ ଶୁଖିଲା ରହିଥିଲା। ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିଛି। ୧୯ ତାରିଖ ପର୍ଯ୍ୟନ୍ତ ଶୁଖିଲା ପାଗ ଲାଗି ରହିବ।

୨୦ ତାରିଖ ବେଳକୁ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା, ଗଜପତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ। ବାକି ଜିଲ୍ଲାଗୁଡ଼ିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ତାପମାତ୍ରା ୨ରୁ ୩ ଡିଗ୍ରି ବଢ଼ିବ। କେତେକ ସ୍ଥାନରେ ୪୦ ଡିଗ୍ରି ଉପରେ ରହିବାର ସମ୍ଭାବନା ରହିଛି।

Comments are closed.