Odisha Link
Bridging the Missing Links in Odisha

ମଧ୍ୟପ୍ରଦେଶ ଫେରିଯିବ ବାଘୁଣୀ ସୁନ୍ଦରୀ

ଅନୁଗୁଳ: ସୁନ୍ଦରୀକୁ ମଧ୍ୟପ୍ରଦେଶ ଫେରାଇ ନେବା ପାଇଁ ଏକ ଟିମ୍ ସାତକୋଶିଆରେ ଆସି ପହଞ୍ଚୁଛି। ଏହି ଟିମ୍ ସ୍ଥିତି ଅନୁଧ୍ୟାନ କରିବା ପରେ ସୁନ୍ଦରୀକୁ ନେଇ ମଧ୍ୟପ୍ରଦେଶ କାହ୍ନା ବ୍ୟାଘ୍ର ଅଭୟାରଣ୍ୟର ଘୋରେଲାକୁ ନିଆଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଅପରପକ୍ଷରେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରି ଧରିବା ମୁଡ୍ରେ ନାହାନ୍ତି ଏହି ଟିମ୍।

ସେମାନେ ଯନ୍ତା ଜରିଆରେ ସୁନ୍ଦରୀକୁ ଏନକ୍ଲୋଜର ଭିତରୁ ଧରିବା ପାଇଁ ଯୋଜନା କରିଥିବା ଜଣାପଡିଛି। ସାତକୋଶିଆ ବନଖଣ୍ଡର ରାଇଗୁଡାରେ ଥିବା ଏକ ଏନକ୍ଲୋଜର ଭିତରେ ଦୁଇ ବର୍ଷ ହେଲା ବନ୍ଦୀ ଜୀବନ କାଟୁଛି ବାଘୁଣୀ ସୁନ୍ଦରୀ। ଦୁଇ ଦୁଇ ଜଣ ମଣିଷଙ୍କୁ ଶୀକାର କରିବା ପରେ ୨୦୧୮ ନଭେମ୍ବର ମାସରୁ ଏହି ଏନକ୍ଲୋଜର ଭିତରେ ତାକୁ ରଖାଯାଇଛି। ପରେ ତାକୁ ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ଅଭୟାରଣ୍ୟକୁ ଫେରାଇ ନେବା ପାଇଁ ନିଷ୍ପତ୍ତି ହୋଇଥିଲା।

ତେବେ ବିଭିନ୍ନ କାରଣ ପାଇଁ ଏହା ବିଳମ୍ବିତ ହୋଇ ଚାଲିଥିଲା। କେତେବେଳେ ମଧ୍ୟପ୍ରଦେଶ ସରକାର ବାଘୁଣୀକୁ ଫେରାଇ ନେବା ପାଇଁ ଅନାଗ୍ରହ ପ୍ରକାଣଶ କରୁଥିଲେ ତ କେତେବେଳେ ଘୋରେଲା ପ୍ରସ୍ତୁତ ନ ଥିବାରୁ ପ୍ରକ୍ରିୟା ବିଳମ୍ବିତ ହୋଇଥିଲା। ତେଣୁ ସୁନ୍ଦରୀର ଘରବାହୁଡା ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା। ଶେଷରେ ଏହା ଦୂର ହୋଇଛି। ବାଘୁଣୀ ସୁନ୍ଦରୀକୁ ଫେରାଇ ନେବା ପାଇଁ କାହ୍ନା ବ୍ୟାଘ୍ର ଅଭୟାରଣ୍ୟରୁ ଏକ ଟିମ୍ ଓଡ଼ିଶା ଅଭିମୁଖେ ବାହାରିଛନ୍ତି।

ଏହି ଟିମ୍ ଆଜି ଅନୁଗୁଳରେ ପହଞ୍ଚିବ। ଏଠାରେ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ଏହି ଟିମ୍ ସିଧା ସାତକୋଶିଆ ଅଭୟାରଣ୍ୟର ରାଇଗୁଡା ଜଙ୍ଗଲକୁ ଯିବ। ସେଠାରେ ଏନକ୍ଲୋଜର ଭିତରେ ଥିବା ବାଘୁଣୀର ସ୍ଥିତି ଅନୁଧ୍ୟାନ କରିବେ ବିଶେଷଜ୍ଞ। ସ୍ଥିତି ଦେଖିବା ପରେ ଯାଇ ବାଘୁଣୀକୁ ଫେରାଇନେବା ନେଇ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ। ତେବେ ସୋମବାର ବାଘୁଣୀ ଫେରିଯିବା ଏକ ପ୍ରକାର ନିଶ୍ଚିତ ବୋଲି ଏକ ସୁତ୍ରରୁ ଜଣାପଡିଛି। ବାଘୁଣୀକୁ ଧରିବା ପ୍ରକ୍ରିୟା ନେଇ ମଧ୍ୟ ଆଲୋଚନା କରିଛନ୍ତି କାହ୍ନା କର୍ତ୍ତୃପକ୍ଷ।

ପ୍ରକାଶ ଯେ, ସେମାନେ ବାଘୁଣୀକୁ ଟ୍ରାଙ୍କୁଲାଇଜ କରିବାକୁ ଚାହୁଁ ନାହାନ୍ତି। ଟ୍ରାଙ୍କୁଲାଇଜ କରି ବାଘୁଣୀକୁ କାବୁ କରିବା ବଦଳରେ ଯନ୍ତା ବସାଇ ତାକୁ ଧରିବାକୁ ଉଦ୍ୟମ କରାଯିବ। ଏଥିପାଇଁ ସେମାନେ ସ୍ବତନ୍ତ୍ର ଯନ୍ତା ନେଇ ମଧ୍ୟ ଆସୁଛନ୍ତି। ଏହି ଯନ୍ତାରେ ଥୋପ ରଖି ସେମାନେ ସୁନ୍ଦରୀକୁ ଧରିବା ପାଇଁ ଉଦ୍ୟମ କରିବେ। ଏଥିରେ ସଫଳତା ନ ମିଳିଲେ ବିକଳ୍ପ ଚିନ୍ତା କରିବାକୁ ନିଷ୍ପତ୍ତି ହୋଇଛି। ତେଣୁ ଆଜି ବାଘୁଣୀ ଫେରିବା ସମ୍ଭାବନା ପ୍ରାୟ ନାହିଁ। କାଲି ଦିନ ତମାମ ଏହି ଟିମ୍ ରହିବା ପରେ ସୋମବାର ଅପରାହ୍ନରେ ବାଘୁଣୀକୁ ନେଇ ମଧ୍ୟପ୍ରଦେଶ ଫେରିଯିବେ ବୋଲି ଜଣାପଡିଛି।

ଏଥିନେଇ ଅନୁଗୁଳ ଆଂଚଳିକ ମୁଖ୍ୟ ବନ ସଂରକ୍ଷକ (ଆରସିସିଏଫ୍) ପ୍ରଦୀପ ରାଜ କରାଟ କହିଛନ୍ତି ଯେ, କାହ୍ନା ବ୍ୟାଘ୍ର ଅଭୟାରଣ୍ୟର ଏକ ଟିମ ଆସି ବାହାରିଛନ୍ତି। ସେମାନେ ଆଜି ଏଠାରେ ପହଞ୍ଚିବେ। ଏହା ପରେ ସ୍ଥିତି ପରଖିବା ପରେ ସେମାନେ ସୁନ୍ଦରୀକୁ ଫେରାଇ ନେବାର ଯୋଜନା ରହିଛି। ଦିନେ ଦୁଇଦିନ ଭିତରେ ସୁନ୍ଦରୀ ଫେରିଯାଇପାରେ ବୋଲି ସେ କହିଛନ୍ତି।

Comments are closed.