Odisha Link
Bridging the Missing Links in Odisha

ଭୁଲ ଓଡ଼ିଆ ପାଇଁ ଟାପରାର ଶିକାର ଗଣଶିକ୍ଷା ମନ୍ତ୍ରୀ

'ଛାଡ଼ି' ବଦଳରେ Chadi ଲେଖି ଟ୍ରଲ୍‌ର ଶିକାର ସମୀରରଂଜନ ଦାଶ

ଭୁବନେଶ୍ବର: ରାଜ୍ୟରେ ଶିଶୁମାନଙ୍କର ଶୈକ୍ଷିକ ବିକାଶର ଡୋର ନିଜ ହାତରେ ଧରିଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶଙ୍କ କିମ୍ଭୂତକିମାକାର ଓଡ଼ିଆକୁ ନେଇ ସାମାଜିକ ଗଣମାଧ୍ୟମ ଉଠୁଛି ପଡ଼ୁଛି। ଏଥିପାଇଁ ଉଭୟ ଫେସବୁକ୍‌ ଓ ଟ୍ବିଟରରେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲେ ବି ସେ ଏଯାଏଁ (ଦିନ ୩ଟା) ନିଜର ଟ୍ବିଟ୍‌ଟି ହଟାଇନାହାନ୍ତି କିମ୍ବା ସଂଶେଧିତ ଟ୍ବିଟ୍‌ ଛାଡ଼ିନାହାନ୍ତି।

ଆଜି ଦିନ ପ୍ରାୟ ୧୧ଟାରେ ଟ୍ବିଟରରେ ସେ ଓଡ଼ିଆରେ ଲେଖିଥିବା ଏକ ପୋଷ୍ଟ୍‌ରେ ଅଧା ଅକ୍ଷର ଓଡ଼ିଆ ଲିପିରେ ଲେଖାହୋଇଥିବା ବେଳେ ଆଉ ଅଧା ଇଂରାଜୀ ଲିପିରେ ଲେଖାହୋଇଛି। ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ କିଛି ମହିଳା ବିଜେପି ଛାଡ଼ି ବିଜେଡିରେ ଯୋଗଦେଲେ ବୋଲି ସେ ଉଲ୍ଲେଖ କରିଛନ୍ତି।

ତେବେ ଟ୍ବିଟ୍‌ର ଭାଷା ଅବୋଧ୍ୟ ବା ତ୍ରୁଟିପୂର୍ଣ୍ଣ ଲାଗୁଥିବା ବେଳେ ଅଧା ଇଂରାଜୀ ଅଧା ଓଡ଼ିଆ ଅକ୍ଷର ଏହାକୁ ଅଧିକ ହାସ୍ୟାସ୍ପଦ କରିଛି। ପୋଷ୍ଟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡି ଓ ବିଜେଡି ଆଇଟି ସେଲ୍‌ ସୋସିଆଲ ମିଡିଆ ଆକାଉଣ୍ଟକୁ ଟ୍ୟାଗ୍‌ କରିଛନ୍ତି।

ସମୀର ଦାଶ ଯାହା ଲେଖିଛନ୍ତି ତାକୁ ଶୁଦ୍ଧ ଓଡ଼ିଆରେ ଲେଖିଲେ ଏହିପରି ହେବ-

ବୀରପରସ୍ତମପୁର ର ୧୩ ନଂ ଓ୍ବାର୍ଡ ର ପୂର୍ବତନ ଓ୍ବାର୍ଡ ମେମ୍ବର ପାନ ବେହେରା ଓ ଧାନ ବେହେରା ଓ କିଛି ମହିଳା ବିଜେପି ଚଡ଼ି ବିଜେଡି ରେ ଯୋଗ ଦେଲେ।

ଏହାକୁ ସଂଶୋଧିତ କରି ଲେଖିଲେ ସମ୍ଭବତଃ ଏପରି ହୋଇଥାଆନ୍ତା।

ବୀରପୁରୁଷୋତ୍ତମପୁରର ୧୩ ନମ୍ବର ଓ୍ବାର୍ଡର ପୂର୍ବତନ ଓ୍ବାର୍ହ ମେମ୍ବର ପାନ ବେହେରା ଓ ଧାନ ବେହେରାଙ୍କ ସମେତ କିଛି ମହିଳା ବିଜେପି ଛାଡ଼ି ବିଜେଡିରେ ଯୋଗଦେଲେ।

ମନ୍ତ୍ରୀ ସମୀର ଦାଶଙ୍କ ଏ ଲେଖାକୁ ନେଇ ଗଣମାଧ୍ୟମରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଭଳି ତ୍ରୁଟି ପାଇଁ ଥୋକେ ତାଙ୍କୁ ସମାଲୋଚନା କରିଥିବା ବେଳେ କେହିକେହି ସଂଶୋଧନ ପାଇଁ ପରାମର୍ଶ ଦେଇଛନ୍ତି। ଗଣଶିକ୍ଷା ମନ୍ତ୍ରୀ ତାଙ୍କର ଟ୍ବିଟର ଆକାଉଣ୍ଟ ନିଜେ ଚଳାଉ ନଥିବା ନେଇ ଅନେକେ ସନ୍ଦେହ ପ୍ରକଟ କରିଛନ୍ତି।

Leave A Reply

Your email address will not be published.