Odisha Link
Bridging the Missing Links in Odisha

ସୁଆଣ୍ଡୋରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ଓ ସ୍ମାରକୀ ସଂଗ୍ରହାଳୟ ଲୋକାର୍ପିତ

୨୫ କୋଟିରୁ ଅଧିକ ଟଙ୍କା ବ୍ୟୟ କରାଯାଇ ସୁଆଣ୍ଡୋର ବିକାଶ କରାଯାଇଛି।

ଓଏଲ୍‌ ବ୍ୟୁରୋ: ସୁଆଣ୍ଡୋକୁ ମିଳିଲା ନୂଆରୂପ। ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଓ ସ୍ମାରକୀ ସଂଗ୍ରହାଳୟ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ଉତ୍କଳମଣୀଙ୍କ ବାସଗୃହ, ପୁଷ୍କରିଣୀ, ଢିଙ୍କିଶାଳ, ରୋଷଘର ବୁଲି ଦେଖିବା ସହ ଉତ୍କଳମଣୀଙ୍କ ପ୍ରତି ଗଭିର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୁଆଣ୍ଡୋରେ ବିଭିନ୍ନ ପ୍ରକଳ୍ପର ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ। ୨୫ କୋଟିରୁ ଅଧିକ ଟଙ୍କା ବ୍ୟୟ କରାଯାଇ ସୁଆଣ୍ଡୋର ବିକାଶ କରାଯାଇଛି।

ସୁଆଣ୍ଡୋରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିବା ସହ ମୁଖ୍ୟମନ୍ତ୍ରୀ ମନ୍ତବ୍ୟ ଦେଇ କହିଥିଲେ, ମତେ ଆଜି ସୁଆଣ୍ଡୋ ଆସିବାର ସୁଯୋଗ ମିଳୁଥିବାରୁ ମୁଁ ନିଜକୁ ଧନ୍ୟମନେ କରୁଛି। ଏହି ମହା ପୁରୁଷଙ୍କ ଜନ୍ମମାଟିର ବିକାଶ ୫-ଟି ପଦକ୍ଷେପରେ ଅତି ସୁନ୍ଦର ଭାବରେ କରାଯାଇଥିବାରୁ ମୁଁ ବହୁତ ଖୁସି। ଗୋପବନ୍ଧୁଙ୍କ ବିରାଟ ଷ୍ଟାଚ୍ୟୁ କରାଯାଇଛି, ମ୍ୟୁଜିୟମ୍ କରାଯାଇଛି। ଏଥିପାଇଁ ଉତ୍କଳମଣୀଙ୍କ ପରିବାର ଓ ସୁଆଣ୍ଡୋବାସୀ ପୂରା ସହଯୋଗ କରିଛନ୍ତି। ସେହିପରି ବିକାଶ କାର୍ଯ୍ୟକୁ ସାକାର କରିଥିବାରୁ ରାଜ୍ୟ ସଂସ୍କୃତି ବିଭାଗ ଏବଂ ପୁରୀ ପ୍ରଶାସନକୁ ଧନ୍ୟବାଦ। ଗୋପବନ୍ଧୁଙ୍କ ସ୍ମୃତି ରକ୍ଷା କରିବା ପାଇଁ ଯେତେ ଯାହା କଲେ ବି କମ୍ ହେବ। ସେ ଜଣେ ଯୁଗପୁରୁଷ ଥିଲେ। ଓଡିଆ ଜାତି ତାଙ୍କ ପାଖରେ ସବୁବେଳେ ଋଣୀ ହୋଇ ରହିବେ। ଭୋଗ ନୁହେଁ ତ୍ୟାଗ ହିଁ ମହାନ୍। ସେବା ହିଁ ଶ୍ରେଷ୍ଟ। ଏହା ହିଁ ଗୋପବନ୍ଧୁଙ୍କ ବାର୍ତ୍ତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଗୋପବନ୍ଧୁଙ୍କ ‘ଭାର୍ଗବୀ ସଂକଳ୍ପ’କୁ ଜୀବନର ବ୍ରତ କରି ଏକ ନୂଆ ଓ ସଶକ୍ତ ଓଡିଶା ଗଠନ ପାଇଁ କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ। ଗୋପବନ୍ଧୁଙ୍କ ଜନ୍ମ ମାଟିର ବିକାଶରେ ମୁଖ୍ୟମନ୍ତ୍ରୀ ଏଥିପାଇଁ ଉତ୍କଳମଣିଙ୍କ ପରିବାର ଓ ସୁଆଣ୍ଡୋଙ୍କ ଜନସାଧାରଣଙ୍କ ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ । ଏହାସହିତ ରାଜ୍ୟ ସଂସ୍କୃତି ବିଭାଗ ଓ ପୁରୀ ଜିଲ୍ଲା ପ୍ରଶାସନକୁ ମଧ୍ୟ ଧନ୍ୟବାଦ ଦେଇଥିଲେ।

କାର୍ଯ୍ୟକ୍ରମରେ ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର, କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ପ୍ରମୁଖ ଅଭିଭାଷଣ ରଖି ଗୋପବନ୍ଧୁଙ୍କ ଜନ୍ମପୀଠର ବିକାଶ ସହିତ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ବିଭିନ୍ନ କ୍ଷେତ୍ରରେ ଓଡିଶାର ରୂପାନ୍ତର ଉପରେ ଆଲୋକପାତ କରିଥିଲେ।

Leave A Reply

Your email address will not be published.