Odisha Link
Bridging the Missing Links in Odisha

ବନ୍ଦ ହେବ ଆଉ ଏକ ବ୍ୟାଙ୍କ, ଅନ୍ଧାରରେ ୪ ହଜାର କର୍ମଚାରୀଙ୍କ ଭବିଷ୍ୟତ

କ'ଣ ହେବ ବ୍ୟାଙ୍କର ୪ ହଜାର କର୍ମଚାରୀଙ୍କ ଭବିଷ୍ୟତ?

ନୂଆଦିଲ୍ଲୀ: ଆମେରିକାର ପ୍ରମୁଖ ବ୍ୟାଙ୍କିଙ୍ଗ ସଂସ୍ଥା ସିଟି ବ୍ୟାଙ୍କ ଗୁରୁବାର କରିଛି ବଡ଼ ଘୋଷଣା। ଭାରତରେ ଗ୍ରାହକ ବ୍ୟାଙ୍କିଙ୍ଗ ବ୍ୟବସାୟରୁ ବିଦାୟ ନେବା ପାଇଁ ଘୋଷଣା କରିଛି। କେବଳ ଭାରତ ନୁହେଁ ବିଶ୍ବର ୧୩ଟି ଦେଶରୁ ବ୍ୟାଙ୍କିଙ୍ଗ ବ୍ୟବସାୟ ଛାଡ଼ିବା ପାଇଁ ଘୋଷଣା କରିଛି ସିଟି ବ୍ୟାଙ୍କ। ଭାରତର ରିଟେଲ ବ୍ୟାଙ୍କିଂରୁ ବାହାରିବା ନିଷ୍ପତ୍ତି ଉପରେ ସିଟିବ୍ୟାଙ୍କ କହିଛି ଯେ ଏହା ଏହାର ବିଶ୍ୱସ୍ତରୀୟ ରଣନୀତିର ଏକ ଅଂଶ। ସିଟି ବ୍ୟାଙ୍କ ରିଟେଲ ବ୍ୟବସାୟରେ କ୍ରେଡିଟ କାର୍ଡ, ସେଭିଂ ବ୍ୟାଙ୍କ ଆକାଉଣ୍ଟ ଏବଂ ବ୍ୟକ୍ତିଗତ ଋଣ ଭଳି ବିଭାଗ ଅନ୍ତର୍ଭୁକ୍ତ ରହିଛି। ସିଟି ବ୍ୟାଙ୍କର ଏଭଳି ପଦକ୍ଷେପ ପରେ ବ୍ୟାଙ୍କ କର୍ମଚାରୀ ଓ ଉପଭୋକ୍ତାଙ୍କ ଭବିଷ୍ୟ କ’ଣ ହେବ ତାହା ଏକ ବଡ଼ ପ୍ରଶ୍ନ।

କ’ଣ ହେବ ସିଟିବ୍ୟାଙ୍କର ୪ ହଜାର କର୍ମଚାରୀଙ୍କ ଭବିଷ୍ୟତ?

ଭାରତରେ ସିଟିବ୍ୟାଙ୍କର ମୋଟ ୩୫ଟି ଶାଖା ରହିଛି। ଏହି ୩୫ ଶାଖାରେ ପାଖାପାଖି ୪ ହଜାର କର୍ମଚାରୀ କାର୍ଯ୍ୟ କରୁଛନ୍ତି। ସିଟି ଇଣ୍ଡିଆର ମୁଖ୍ୟ ଅଧିକାରୀ ଆଶୁ ଖୁଲ୍ଲର କହିଛନ୍ତି ଯେ, ଆମର କାର୍ଯ୍ୟରେ ତୁରନ୍ତ କୌଣସି ପରିବର୍ତ୍ତନ ହୋଇନାହିଁ ଏବଂ ଏହି ଘୋଷଣା ଆମର ସହକର୍ମୀଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ଆମେ ଆମର ଗ୍ରାହକଙ୍କ ସେବାରେ କୌଣସି ଅଭାବ ରଖିବୁ ନାହିଁ। ପୂର୍ବଭଳି ଉପଭୋକ୍ତାଙ୍କୁ ସେବା ଯୋଗାଇବୁ। ଏହି ଘୋଷଣା ସହିତ ବ୍ୟାଙ୍କର ସେବା ଆହୁରି ମଜବୁତ ହେବ ବୋଲି ସେ କହିଛନ୍ତି।

ସିଟି ବ୍ୟାଙ୍କ ୧୯୦୨ ମସିହାରେ ଭାରତରେ କରିଥିଲା ପ୍ରବେଶ :
ସିଟି ଇଣ୍ଡିଆର ମୁଖ୍ୟ ଆଶୁ ଖୁଲ୍ଲାର ଆହୁରି କହିଛନ୍ତି ଯେ, ଅନୁଷ୍ଠାନିକ ବ୍ୟାଙ୍କିଙ୍ଗ ବ୍ୟବସାୟ ବ୍ୟତୀତ ସିଟି ଏହାର ମୁମ୍ବାଇ, ପୁଣେ, ବାଙ୍ଗାଲୋର, ଚେନ୍ନାଇ ଏବଂ ଗୁରୁଗ୍ରାମ କେନ୍ଦ୍ରରୁ ବିଶ୍ୱ ବ୍ୟବସାୟ ଉପରେ ଧ୍ୟାନ ଦେବ। ୧୯୦୨ ମସିହାରେ ସିଟିବ୍ୟାଙ୍କ ଭାରତରେ ପ୍ରବେଶ କରିଥିଲା ​​ଏବଂ ୧୯୮୫ ରେ ବ୍ୟାଙ୍କ ଗ୍ରାହକ ବ୍ୟାଙ୍କିଙ୍ଗ ବ୍ୟବସାୟ ଆରମ୍ଭ କରିଥିଲା।

ସିଟିବ୍ୟାଙ୍କ ଏହାର ନୂତନ ବ୍ୟବସାୟ ରଣନୀତି ଅଧୀନରେ ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ, ବାହାରେନ, ଚୀନ୍, ଦକ୍ଷିଣ କୋରିଆ, ମାଲେସିଆ, ଫିଲିପାଇନ୍ସ, ପୋଲାଣ୍ଡ, ଋଷ, ତାଇୱାନ, ଥାଇଲ୍ୟାଣ୍ଡ ଏବଂ ଭିଏତନାମରେ ରିଟେଲ ବ୍ୟାଙ୍କ ବ୍ୟବସାୟକୁ ଓହ୍ଲାଇବ। କିନ୍ତୁ ତାଙ୍କର ହୋଲସେଲ ବ୍ୟବସାୟ ଜାରି ରହିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.