Odisha Link
Bridging the Missing Links in Odisha

୧୦ ଦିନରେ ନିଶିକାନ୍ତଙ୍କ ଅନଶନ, ଧାରଣା ଭାଙ୍ଗିବାକୁ ପରାମର୍ଶ ଦେଲେ କେଜ୍‌ରିଓ୍ବାଲ

ନିଶିକାନ୍ତଙ୍କ ଉଦ୍ୟମକୁ କେଜ୍‌ରିଓ୍ବାଲ ପ୍ରଶଂସା କରିବା ସହ ଯଥାର୍ଥ ବୋଲି କହିଛନ୍ତି। ତେବେ କରୋନା ପରିସ୍ଥିତି ଗମ୍ଭୀର ଥିବାରୁ ନିଶିକାନ୍ତ ତାଙ୍କର ଅନଶନ ପ୍ରତ୍ୟାହର କରିବାକୁ ସେ ନିବେଦନ କରିଛନ୍ତି।

ଭୁବନେଶ୍ବର: ଓଡ଼ିଶା ବାସୀଙ୍କ ପାଇଁ ସରକାର ୨୦୦ ୟୁନିଟ୍‌ ମାଗଣା ବିଜୁଳି ଦେବାକୁ ଦାବି କରି ଆମ୍‌ ଆଦ୍‌ମୀ ପାର୍ଟି (ଆପ୍) ଜାତୀୟ ମୁଖପାତ୍ର ତଥା ଓଡ଼ିଶା ଆବାହକ ନିଶିକାନ୍ତ ମହାପାତ୍ର ଅନଶନରେ ବସିଛନ୍ତି। ତାଙ୍କର ଧାରଣା ୧୦ ଦିନରେ ପହଞ୍ଚିଥିବା ବେଳେ ଏଥିରୁ ଓହରିଯିବାକୁ ଦଳର ଜାତୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଅନୁରୋଧ କରିଛନ୍ତି।

ଓଡ଼ିଶାରେ ଘରୋଇ କମ୍ପାନୀ ହାତରେ ବିଜୁଳି ବିତରଣ ଦାୟିତ୍ବ ଥିବା ବେଳେ ବାରମ୍ବାର ବିଦ୍ୟୁତ୍‌ ଦେୟ ବୃଦ୍ଧି କାରଣରୁ ଏହା ସାଧାରଣ ଲୋକଙ୍କ ଉପରେ ବୋଝ ହୋଇଛି। ଦିଲ୍ଲୀରେ ଆପ୍‌ ସରକାର ସାଧାରଣ ବ୍ୟବହାର ପାଇଁ ଲୋକଙ୍କୁ ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ବିଜୁଳି ଦେୟ ଛାଡ଼ କରୁଥିବା ବେଳେ ଅନୁରୂପ ଭାବେ ଓଡ଼ିଶା ସରକାର ବିଜୁଳି ବିଲ୍‌ ଛାଡ଼ କରନ୍ତୁ ବୋଲି ଦାବି କରିଛି ଆପ୍‌ ଓଡ଼ିଶା ୟୁନିଟ୍। ଏହି ଦାବିରେ ଆପ୍‌ ପକ୍ଷରୁ ଭୁବନେଶ୍ବର ଲୋୟର୍‌ ପିଏମ୍‌ଜିରେ ଧାରଣା ୧୦ ଦିନରେ ପହଞ୍ଚିଛି।

ଧାରଣା ଆରମ୍ଭ ଦିନରୁ ନିଶିକାନ୍ତ ଖାଦ୍ୟ ସ୍ପର୍ଶ ନକରି ନିଜ ଜିଦ୍‌ରେ ଅଟଳ ଥିବାବେଳେ ବିଭିନ୍ନ ଦଳ ଓ ସଙ୍ଗଠନ ପକ୍ଷରୁ ମଧ୍ୟ ତାଙ୍କୁ ସମର୍ଥନ ମିଳିଛି। ନିଶିକାନ୍ତଙ୍କ ଉଦ୍ୟମକୁ କେଜ୍‌ରିଓ୍ବାଲ ପ୍ରଶଂସା କରିବା ସହ ଯଥାର୍ଥ ବୋଲି କହିଛନ୍ତି। ତେବେ କରୋନା ପରିସ୍ଥିତି ଗମ୍ଭୀର ଥିବାରୁ ନିଶିକାନ୍ତ ତାଙ୍କର ଅନଶନ ପ୍ରତ୍ୟାହର କରିବାକୁ ସେ ନିବେଦନ କରିଛନ୍ତି। ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଆପ୍‌ ନିଜର ଲଢ଼େି ପୁଣି ଆରମ୍ଭ କରିପାରିବ ବୋଲି କେଜ୍‌ରିଓ୍ବାଲ କହିଛନ୍ତି।

ଓଡ଼ିଶା ସରକାରଙ୍କ କୋଭିଡ୍‌ କଟକଣା ମଧ୍ୟ ରାଜନୈତିକ ଏକତ୍ରିକରଣକରୁ କଡ଼ାକଡ଼ି ମନା କରିଛି। କେବଳ ବିବାହ ଓ ଶୁଦ୍ଧି କାର୍ଯ୍ୟରେ ଯଥାକ୍ରମେ ୫୦ ଓ ୨୦ ଲୋକଙ୍କୁ ଏକାଠି ହେବାକୁ ଅନୁମତି ଦେଇଛନ୍ତି ଓଡ଼ିଶା ସରକାର। ଏହି ନିୟମ ଆସନ୍ତାକାଲି ଠାରୁ କାର୍ଯ୍ୟକ୍ଷମ ହେଉଥିବା ବେଳେ ଏହା ପୂର୍ବରୁ ଆଜିଠାରୁ ନିଶିକାନ୍ତ ନିଜର ଅନଶନ (ବିଜୁଳି ସତ୍ୟାଗ୍ରହ) ସ୍ଥଗିତ ରଖିବେ ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.