Odisha Link
Bridging the Missing Links in Odisha

ଉଦାହରଣ ସୃଷ୍ଟି କଲେ ନବୀନ ପଟ୍ଟନାୟକ, କରେନା ବେଳେ ନିର୍ବାଚନ ପ୍ରଚାରକୁ ନାଁ

"ଯଦି ପ୍ରଚାର ଦ୍ବାରା ଲୋକଙ୍କ ଜୀବନ ପ୍ରତି ବିପଦ ରହିଛି ତେବେ ମୁଁ ଅନ୍ୟ ରାଜନୈତିକ ଦଳ ଓ ନିର୍ବାଚନ କମିଶନଙ୍କ ଅନୁରୋଧ କରୁଛି ଯେ ସେମାନେ ପ୍ରଚାରର ଅବଧି ଓ ପ୍ରଣାଳି ଉପରେ ତର୍ଜମା କରନ୍ତୁ।"

ଭୁବନେଶ୍ବର: ଦେଶରେ ଏକ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେଉଥିବା ବେଳେ ରାଜନୈତିକ ପ୍ରଚାର ସଭାରେ ହଜାର ହଜାର ଜନସମାଗମ ମହାମାରୀ ଭୟକୁ ବହୁଗୁଣିତ କରିଛି। ଏଭଳି ପରିସ୍ଥିତିରେ ରାଜନୀତି ଅପେକ୍ଷା ଜନତାଙ୍କ ଜୀବନକୁ ଅଗ୍ରାଧିକାର ଦେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ। ପିପିଲି ନିର୍ବାଚନ ପାଇଁ ତାଙ୍କ ଦଳ ପ୍ରଚାର କରିବନାହିଁ ବୋଲି ସେ ଘୋଷଣା କରିଛନ୍ତି।

ପୂର୍ବରୁ ଜାତୀୟ ସ୍ତରରେ କିଛି ନେତା ନିଜକୁ ନିର୍ବାଚନ ପ୍ରଚାର ଠାରୁ ଦୂରେଇ ରଖିବା ନେଇ ଘୋଷଣା କରିଥିଲେ ବି ଗୋଟିଏ ଦଳ ସମ୍ପୂର୍ଣ୍ଣ ଭାବେ ନିର୍ବାଚନ ପ୍ରଚାରରୁ ଦୂରେଇ ରହିବାରେ ବିଜେଡିର ନିଷ୍ପତ୍ତି ଦେଶରେ ପ୍ରଥମ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରତିଟି ଜୀବନ ମୂଲ୍ୟବାନ ଓ ସେ ସର୍ବଦା ଓଡ଼ିଶାବାସୀଙ୍କୁ ନିଜର ପରିବାର ମନେକରନ୍ତି। ଦେଶରେ କୋଭିଡ୍-୧୯ ସ୍ଥିତି ଅତିଶୟ ଗୁରୁତର ହେବା ସହ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି। ଏଣୁ ପିପିଲି ଉପନିର୍ବାଚନ ପାଇଁ ବିଜେଡି କୌଣସି ସାଧାରଣ ସଭା କିମ୍ବା ଶୋଭାଯାତ୍ରା ନକରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ବିଜେଡି ଏକ ଦାୟିତ୍ବସମ୍ପନ୍ନ ଦଳ ଓ ଏହା ଲୋକଙ୍କ ଜୀବନ ବିପନ୍ନ କରିବାକୁ ଚାହୁନାହିଁ ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି,

ଆମେ ଲୋକଙ୍କ ସେବା କରିବା ପାଇଁ ନିର୍ବାଚନ ଲଢ଼ୁ। ଯଦି ପ୍ରଚାର ଦ୍ବାରା ଲୋକଙ୍କ ଜୀବନ ପ୍ରତି ବିପଦ ରହିଛି ତେବେ ମୁଁ ଅନ୍ୟ ରାଜନୈତିକ ଦଳ ଓ ନିର୍ବାଚନ କମିଶନଙ୍କ ଅନୁରୋଧ କରୁଛି ଯେ ସେମାନେ ପ୍ରଚାରର ଅବଧି ଓ ପ୍ରଣାଳି ଉପରେ ତର୍ଜମା କରନ୍ତୁ।

ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ଏ ବାବଦରେ ଉଲ୍ଲେଖ କରିଛନ୍ତି ଯେ,

ଭାରତ ଏକ ଅଭିଜ୍ଞ ରାଷ୍ଟ୍ର ଏବଂ ଆମେ ଏକାଠି ହେଲେ ଯାଇ ଏକ ସମାଧାନର ପନ୍ଥା ବାହାରିବ। ଗଣତନ୍ତ୍ର ହେଉଛି ଲୋକଙ୍କ ଦ୍ବାରା, ଲୋକଙ୍କ ପାଇଁ ଓ ଲୋକଙ୍କର। ଜୟ ହିନ୍ଦ।

ସୂଚନାଯୋଗ୍ୟ, କରୋନା ଭୟାବହତା ବଢ଼ୁଥିବା ସତ୍ତ୍ବେ ବିଜେପି, କଂଗ୍ରେସ ପରି ଜାତୀୟ ଦଳ ସମେତ ବହୁ ଆଞ୍ଚଳିକ ଦଳ ବିଭିନ୍ନ ରାଜ୍ୟରେ ଚାଲିଥିବା ନିର୍ବାଚନ ପାଇଁ ହଜାର ହଜାର ଲୋକଙ୍କୁ ଧରି ପ୍ରଚାରରେ ମାତିଛନ୍ତି। ଏଭଳି ସମୟରେ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ଓ ଆହ୍ବାନ ଏକ ବିରଳ ଉଦାହରଣ ସୃଷ୍ଟିକରିଛି।

ପୂର୍ବରୁ ଟିଏମସି ମୁଖ୍ୟ ମମତା ବାନାର୍ଜୀ ଓ କଂଗ୍ରେସ ଉପାଧ୍ୟକ୍ଷ ରାହୁଳ ଗାନ୍ଧୀ ନିର୍ବାଚନ ପ୍ରଚାର କରିବେନାହିଁ ବୋଲି ଗତକାଲି ଘୋଷଣା କରିଛନ୍ତି। ତେବେ ସେମାନେ ବ୍ୟକ୍ତିଗତ ଭାବେ ଏହି ନିଷ୍ପତ୍ତି ନେଇଥିଲେ ବି ସେମାନଙ୍କ ଦଳ ପ୍ରଚାରରେ ମାତିଛି। ଏପରିକି ମମତା ଏପ୍ରିଲ ୨୬ରେ ଏକ ପ୍ରତିକାତ୍ମକ ଶୋଭାଯାତ୍ରାକୁ ସମ୍ବୋଧିତ କରିବେ ବୋଲି କହିଛନ୍ତି। ସେହିପରି ବଡ଼ ସଭା ନକରିବା ଲାଗି ଅନ୍ୟ ରାଜନେତାମାନଙ୍କୁ ରାହୁଳ ଅନୁରୋଧ କରିଛନ୍ତି।

 

Leave A Reply

Your email address will not be published.