Odisha Link
Bridging the Missing Links in Odisha

ପୁଣି ଓଡ଼ିଶା ଆସୁଛି ପୋସ୍କୋ

୨୦୧୭ରେ ଆନୁଷ୍ଠାନିକ ଭାବେ ଜଗତସିଂହପୁରରେ ହେବାକୁ ଥିବା ପ୍ରକଳ୍ପରୁ ଓହରିଯାଇଥିଲା ପୋସ୍କୋ। ଲୋକଙ୍କୁ ବିସ୍ଥାପିତ କରି, ସେମାନଙ୍କ ଜୀବିକା ଛଡ଼ାଇ ନେଇ ଓ ସ୍ଥାନୀୟ ଅଞ୍ଚଳରେ ବହୁସଂଖ୍ୟାରେ ଗଛକାଟି ପରିବେଶ ଓ ପ୍ରକୃତିକୁ ଧ୍ବଂସ କରିବା ପରେ ମଧ୍ୟ ସରକାର ସେଠାରେ ଶିଳ୍ପ ପ୍ରତିଷ୍ଠା କରିପାରିଲେନାହିଁ। ବିକାଶ ଓ ରୋଜଗାରର ସ୍ବପ୍ନ ଦେଖିଥିବା ସ୍ଥାନୀୟ ଓଡ଼ିଆ ସବୁ ହରାଇ ପୁଣି ସେଇ ଧ୍ବଂସ୍ତ ଭୂଇଁରେ ନିଜ ପୁରୁଣା ଜୀବନକୁ ଫେରିପାଇବାକୁ ପ୍ରୟାସ ଜାରି ରଖିଛନ୍ତି।

ଭୁବନେଶ୍ବର: ଜଗତସିଂହପୁର ଜିଲ୍ଲାରେ ଇସ୍ପାତ କାରଖାନା କରିବା ଆଳରେ ସ୍ଥାନୀୟ ବାସିନ୍ଦାଙ୍କ ଅର୍ଥନୀତି ଓ ପରିବେଶ ଉଭୟକୁ ନଷ୍ଟ କରି ଏଠାରୁ ଫେରିଯାଇଥିବା ଦକ୍ଷିଣକୋରିଆ କମ୍ପାନୀ ପୋସ୍କୋ ପୁଣିଥରେ ଓଡ଼ିଶା ଆସିବା ଲାଗି ଉଦ୍ୟମ ଆରମ୍ଭ କରିଛି। ରାଜ୍ୟ ସରକାରଙ୍କ ସହଯୋଗରେ ଏଠାରେ ଇସ୍ପାତ କାରଖାନା ପ୍ରତିଷ୍ଠା କରି ନିଜର ବିଫଳ ଇତିହାସରେ ଏକ ସଫଳ ଭବିଷ୍ୟତ ଯୋଡ଼ିବାକୁ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଛି ପୋସ୍କୋ।

ଇପିକଲ୍‌ ସହଭାଗିତାରେ ଇଣ୍ଡିଆନ୍‌ ଚାମ୍ବର ଅଫ୍‌ କମର୍ସ ଦ୍ବାରା ଆୟୋଜିତ ଏକ ରାଉଣ୍ଡ ଟେବଲ୍‌ ବୈଠକରେ ଓଡ଼ିଶା ଶକ୍ତି-ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ କୋରିଆ ରାଷ୍ଟ୍ରଦୂତ ସିନ୍‌ ବୋଂକିଲ୍‌ ଯୋଗଦେଇ ପୋସ୍କୋର ଲେଉଟାଣି ସମ୍ଭାବନାକୁ ଜୀବନ୍ୟାସ ଦେଇଛନ୍ତି। ଓଡ଼ିଶା ଓ ଉତ୍ତର କୋିଆ ମଧ୍ୟରେ ବାଣିଜ୍ୟିକ ସମ୍ଭାବନା ରହିଛି ବୋଲି ମନ୍ତ୍ରୀ କହିଥିଲେ।

ପୋସ୍କୋ ପୁଣିଥରେ ଓଡ଼ିଶାରେ ପ୍ରାୟ ୯୦ ହଜାର କୋଟି ଟଙ୍କା (୧୨୦୦ କୋଟି ଡଲାର) ପୁଞ୍ଜିନିବେଶ କରିବା ସହ ଏଠାରେ ଏକ ସମନ୍ବିତ ଇସ୍ପାତ କାରଖାନା ପ୍ରତିଷ୍ଠା କରିବାକୁ ଯାଉଛି ବୋଲି ସିନ୍‌ ନିଜର ବକ୍ତବ୍ୟରେ ସୂଚନା ଦେଇଥିଲେ। ଏହି ବୈଠକରେ ଯୋଗଦେଇ ଶକ୍ତି ସଚିବ ନୀତୀନ ଜାଉଲେ କହିଥିଲେ ଯେ ଆଗାମୀ ଦିନରେ ରାଜ୍ୟରେ ୨ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ସୁଯୋଗ ରହିଛି।

ସୂଚନାଯୋଗ୍ୟ, ଓଡ଼ିଶାରେ ପ୍ରାୟ ୫୨ ହଜାର କୋଟି ଟଙ୍କା ପୁଞ୍ଜିନିବେଶରେ ଜଗତସିଂହପୁର ଜିଲ୍ଲାରେ ଏକ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ୨୦୧୫ରେ ରାଜ୍ୟ ସରକାରଙ୍କ ସହ ରାଜିନାମା ସ୍ବାକ୍ଷର କରିଥିଲା ପୋସ୍କୋ। ୨୦୦୫ରେ ପୋସ୍କୋ ଇଣ୍ଡିଆ ନାମରେ ଭୁବନେଶ୍ବରରେ ଏକ ଉପ କମ୍ପାନୀ ଖୋଲି ପୋସ୍କୋ ନିଜର କାର୍ଯ୍ୟ ଆରମ୍ଭ କରିଥିଲା। ଢିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ଗାଁର ୨୦ ହଜାର ଲୋକ ଏହାଦ୍ବାରା ବିସ୍ଥାପିତ ହେବା ସହ ନିଜର ପାନବରଜ, ସବୁଜ ଭୂଇଁ, ଘର ଓ ଚାଷ ଜମି ହରାଇବାର ଥିଲା।

ଭୀଷଣ ଜନପ୍ରତିରୋଧ ଓ ହିଂସାତ୍ମକ ପରିସ୍ଥିତି ସତ୍ତ୍ବେ ୨୦୧୧ ଓ ୨୦୧୩ରେ ସ୍ଥାନୀୟ ପ୍ରଶାସନ ପ୍ରଥମ ଓ ଦ୍ବିତୀୟ ଦଫା ଜମିଅଧିଗ୍ରହଣ କରିଥିଲେ। ଜମିଅଧିଗ୍ରହଣ ବେଳେ ନୂଆଗାଁ ଲୋକେ ବିନା ବାଧାରେ ପାନବରଜ, କାଜୁ ଜଙ୍ଗଲ ଆଦି ଛାଡ଼ିଦେଇଥିବା ବେଳେ ଅନ୍ୟ ଗ୍ରାମରେ ବିରୋଧ ହୋଇଥିଲା। ପ୍ରବଳ ବିରୋଧ ହେଉଥିବା ଢିଙ୍କିଅ ଗାଁକୁ ଛାଡ଼ି ବାକି ଅଞ୍ଚଳରେ ପୋସ୍କୋ ପାଇଁ ୨,୭୦୦ ଏକର ଜମି ଅଧିଗ୍ରହଣ କରିବାରେ ସଫଳ ହୋଇଥିଲା ଜିଲ୍ଲା ପ୍ରଶାସନ।

୨୦୧୪ ସୁଦ୍ଧା ପ୍ରଥମ ଦଫା ଇସ୍ପାତ ପ୍ରକଳ୍ପ ପାଇଁ ଇଡକୋ ଏହି ୨,୭୦୦ ଏକର ଜମିରୁ ୧,୭୦୦ ଏକର ଜମି ପୋସ୍କୋକୁ ଦେଇଥିଲେ। ଏଥିରେ ୮୦ ଲକ୍ଷ ଟନ୍‌ କ୍ଷମତାର ଇସ୍ପାତ କାରଖାନା ଆରମ୍ଭ କରିବା କଥା ପୋସ୍କୋ। ୨୦୧୪ରେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ପାର୍କ ଗେଉଁହେଙ୍କ ଭାରତ ଗସ୍ତ ପୂର୍ବରୁ ତଥା ସାଧାରଣ ନିର୍ବାଚନର କିଛି ମାସ ପୂର୍ବରୁ କେନ୍ଦ୍ର ସରକାର ମଧ୍ୟ ତରବରିଆ ଭାବେ ସମସ୍ତ ପରିବେଶ ମଞ୍ଜୁରୀ ଦେଇପକାଇଥିଲେ।

ତେବେ ୨୦୧୫ରେ ଦେଶବ୍ୟାପି ଖଣି ଦୁର୍ନୀତି ଅଭିଯୋଗ ପରେ କେନ୍ଦ୍ର ସରକାର ଖଣି ଓ ଖଣିଜଦ୍ରବ୍ୟ ଉନ୍ନୟନ ଓ ନିୟାମକ ଆଇନରେ ସଂଶୋଧନ ଆଣିଲେ। ଏହି ନୂଆ ନିୟମ ଅନୁସାରେ ଖଣିଜ ଧାତବ ପାଇବା ପାଇଁ ଯେକୌଣସି କମ୍ପାନୀକୁ ନିଲାମି ମାଧ୍ୟମ ଦେଇ ଯିବାକୁ ହେବ। ପୋସ୍କୋକୁ ମାଗଣା ଖଣି ଲିଜ୍‌ ଦେବାକୁ ଓଡ଼ିଶା ସରକାର ପ୍ରତିଶ୍ରୁତି ଦେଇଥିବା ବେଳେ ଏହି ନୂଆ ନିୟମ କୋରିଆ କମ୍ପାନୀର ମନବଳ ଭାଙ୍ଗି ଦେଇଥିଲା।

ସେହି ୨୦୧୫ରେ ହିଁ ପୋସ୍କୋ ନିଜର ଓଡ଼ଶା ପ୍ରକଳ୍ପରୁ ମୁହଁ ଫେରାଇ ନେଇଥିଲେ ବି ଦୁଇବର୍ଷ ପରେ ୨୦୧୭ରେ ଆନୁଷ୍ଠାନିକ ଭାବେ ଜଗତସିଂହପୁରରେ ହେବାକୁ ଥିବା ପ୍ରକଳ୍ପରୁ ଓହରିଯାଇଥିଲା ପୋସ୍କୋ। ଲୋକଙ୍କୁ ବିସ୍ଥାପିତ କରି, ସେମାନଙ୍କ ଜୀବିକା ଛଡ଼ାଇ ନେଇ ଓ ସ୍ଥାନୀୟ ଅଞ୍ଚଳରେ ବହୁସଂଖ୍ୟାରେ ଗଛକାଟି ପରିବେଶ ଓ ପ୍ରକୃତିକୁ ଧ୍ବଂସ କରିବା ପରେ ମଧ୍ୟ ସରକାର ସେଠାରେ ଶିଳ୍ପ ପ୍ରତିଷ୍ଠା କରିପାରିଲେନାହିଁ। ବିକାଶ ଓ ରୋଜଗାରର ସ୍ବପ୍ନ ଦେଖିଥିବା ସ୍ଥାନୀୟ ଓଡ଼ିଆ ସବୁ ହରାଇ ପୁଣି ସେଇ ଧ୍ବଂସ୍ତ ଭୂଇଁରେ ନିଜ ପୁରୁଣା ଜୀବନକୁ ଫେରିପାଇବାକୁ ପ୍ରୟାସ ଜାରି ରଖିଛନ୍ତି।

ଅନ୍ୟପଟେ ଏବେ ପୁଣି ଓଡ଼ିଶା ଆସିବା ଲାଗି ପୋସ୍କୋ ପାଇଁ ପଥ ପରିସ୍କାର କରିବାକୁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି।

Leave A Reply

Your email address will not be published.