Odisha Link
Bridging the Missing Links in Odisha

କାମଦେଲାନି ମୋଦିଙ୍କ ମ୍ୟାଜିକ୍, ବାଜିମାରିଲେ ଦିଦି

ବିଜେପି ପଶ୍ଚିମବଙ୍ଗରେ ୨୦୦ରୁ ଅଧିକ ଆସନ ଜିତି ସରକାର ଗଢ଼ିବ ବୋଲି ଅମିତ ଶାହ ସପ୍ତମ ପର୍ଯ୍ୟାୟ ମତଦାନ ପରେ ଦୃଢ଼ୋକ୍ତି ବାଢ଼ିଥିଲେ। ଅନ୍ୟପଟେ ଟିଏମ୍‌ସିର ରାଜନୈତିକ ବ୍ୟୁହବିତ୍‌ ପ୍ରଶାନ୍ତ କିଶୋର ବାରମ୍ବାର ଦୃଢ଼ୋକ୍ତି ବାଢ଼ିଥିଲେ ଯେ ବିଜେପି ଦୁଇଅଙ୍କରୁ ଅଧିକ ଆସନ ଜିତିପାରିବନାହିଁ।

ଓଏଲ୍‌ ବ୍ୟୁରୋ: ବେଙ୍ଗଲରେ ବାଜି ମାରିଛନ୍ତି ବାନାର୍ଜୀ ଦିଦି। ବହୁ ପ୍ରଚେଷ୍ଟା ସତ୍ବେ ମଉଳିଯାଇଛି ମୋଦି ମ୍ୟାଜିକ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବିଜେପିର ବହୁ ତୁଙ୍ଗ ନେତାଙ୍କ ଘନଘନ ପ୍ରଚାର ସଭା ଓ ଶୋଭାଯାତ୍ରା ସତ୍ତ୍ବେ ପଶ୍ଚିମବଙ୍ଗରେ ଆଣ୍ଠେଇଛି ଦେଶର ସର୍ବବୃହତ ରାଜନୈତିକ ଦଳ। ନିର୍ବାଚନ ଶୋଭାଯାତ୍ରା ବେଳେ ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ “ଦିଦି..ଇ.. ଓ… ଦିଦି.” ବୋଲି ସମ୍ବୋଧନ କରି ଟିହାଇଥିବା ମୋଦିଙ୍କ ପାଇଁ ଏ ସ୍ଲୋଗାନ୍‌ ଆଜି ବୁମେରାଂ ସାଜିଛି। ଆଜି ସାମାଜିକ ଗଣମାଧ୍ୟମରେ ଦିଦି ବଦଳରେ “ମୋଦି..ଇ…ଇ… ଓ… ମୋଦି” ଟ୍ରେଣ୍ଡ୍‌ କରୁଛି।

୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ପାଇଁ ଚଳିତ ବର୍ଷ ମାର୍ଚ୍ଚ-ଏପ୍ରିଲରେ ମୋଟ ୮ ଦଫାରେ ଭୋଟଗ୍ରହଣ ହୋଇଥିଲା। ଏଥର ବାମପନ୍ଥୀ, କଂଗ୍ରେସ ଓ ଅନ୍ୟାନ୍ୟ ଦଳ ମୂଳରୁ ଲଢ଼େଇ ମଇଦାନରେ ହାର ମାନିଥିବା ବେଳେ ଶାସକ ତୃଣମୂଳ କଂଗ୍ରେସର ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଭାବେ ଉଭା ହୋଇଥିଲା ବିଜେପି। କରୋନା ଦ୍ବିତୀୟ ତରଙ୍ଗ ଦେଶକୁ ଗ୍ରାସୁଥିବା ବେଳେ ସମସ୍ତ ସମାଲୋଚନାକୁ ପଛ କରି ବିଜେପି ବେଙ୍ଗଲରେ ଶତାଧିକ ବଡ଼ ସଭା ଆୟୋଜନ କରିଥିଲା। କେବଳ ମୋଦି ଓ ଶାହ ୫୦ରୁ ଅଧିକ ସଭାକୁ ସମ୍ବୋଧିତ କରିଥିଲେ। ରାଜନାଥ ସିଂହ, ଜେପି ନଡ୍ହା ଓ ଯୋଗୀ ଆଦିତ୍ୟନାଥ ଭଳି ବହୁ ନେତା ବେଙ୍ଗଲରେ ରାଲିରେ ଯୋଗଦେଇ ଦଳର ବିଜୟ ସମ୍ଭାବନାକୁ ଦୃଢ଼ କରିବାକୁ ଉଦ୍ୟମ କରିଥିଲେ।

ବିଜେପି ପଶ୍ଚିମବଙ୍ଗରେ ୨୦୦ରୁ ଅଧିକ ଆସନ ଜିତି ସରକାର ଗଢ଼ିବ ବୋଲି ଅମିତ ଶାହ ସପ୍ତମ ପର୍ଯ୍ୟାୟ ମତଦାନ ପରେ ଦୃଢ଼ୋକ୍ତି ବାଢ଼ିଥିଲେ। କିନ୍ତୁ ତାଙ୍କର ସବୁ ଟାଣ ଆଜି ଭାଙ୍ଗିଯାଇଛି। ଅନ୍ୟପଟେ ଟିଏମ୍‌ସିର ରାଜନୈତିକ ବ୍ୟୁହବିତ୍‌ ପ୍ରଶାନ୍ତ କିଶୋର ବାରମ୍ବାର ଦୃଢ଼ୋକ୍ତି ବାଢ଼ିଥିଲେ ଯେ ବିଜେପି ଦୁଇଅଙ୍କରୁ ଅଧିକ ଆସନ ଜିତିପାରିବନାହିଁ। ପ୍ରଶାନ୍ତ କିଶୋରଙ୍କ ଭବିଷ୍ୟବାଣୀ ସତ ହୋଇଛି।

ବେଙ୍ଗଲରେ ସଂଧ୍ୟା ୭ଟା ସୁଦ୍ଧା ଟିଏମ୍‌ସି ୨୧୪ ଆସନରେ ଆଗୁଆ ଥିବା ବେଳେ ଆବଶ୍ୟକ ସଂଖ୍ୟାଗରିଷ୍ଠତା (୧୪୮) ଠାରୁ ଅଧିକ ଆସନରେ ବିଜୟୀ ହୋଇସାରିଛି। ଅନ୍ୟପଟେ ବିଜେପି ମାତ୍ର ୭୭ଟି ଆସନରେ ଆଗୁଆ ରହିଛି।

Leave A Reply

Your email address will not be published.