Odisha Link
Bridging the Missing Links in Odisha

କଂଗ୍ରେସମୁକ୍ତ ହେଉଛି କି ଭାରତ?

କେବଳ ତାମିଲନାଡ଼ୁକୁ ଛାଡ଼ି ଅନ୍ୟ ସବୁ ରାଜ୍ୟରେ କଂଗ୍ରେସର ପରାଜୟ ଶୋଚନୀୟ। ଅନ୍ୟପଟେ ଆଞ୍ଚଳିକ ଦଳର ଗୁରୁତ୍ବ ସତ୍ତ୍ବେ କେବଳ କେରଳକୁ ଛାଡ଼ି ବାକି ସବୁ ରାଜ୍ୟରେ ପୂର୍ବ ବର୍ଷମାନଙ୍କ ତୁଳନାରେ ଉନ୍ନତି କରିଛି ବିଜେପି। ତେବେ ବିଜେପିର ବାହୁବଳୀ ବିଜୟ ବାହାସ୍ଫୋଟ ଏଥର ଭାଙ୍ଗିଯାଇଥିବା ବେଳେ ଏହାର କଂଗ୍ରେସମୁକ୍ତ ଭାରତ ସ୍ବପ୍ନ କେତେକାଂଶରେ ସତ୍ୟ ହୋଇଥିବା ପରି ମନେହୁଏ।

ଶୁଭ୍ରାଂଶୁ ପଣ୍ଡା

ପଶ୍ଚିମବଙ୍ଗରେ ବିଜେପିର ବଙ୍ଗଦଖଲ ସ୍ବପ୍ନକୁ ଧୂଳିସାତ କରି ତୃଣମୂଳ କଂଗ୍ରେସ୍‌ ଏଥର ବହୁମତ ପାଇଥିବାରୁ ରାହୁଳ ଗାନ୍ଧୀ ମମତା ବାନାର୍ଜୀଙ୍କୁ ବଧେଇ ଦେଇଛନ୍ତି। ତେବେ ନିଜ ଦଳ କଂଗ୍ରେସର ଶୋଚନୀୟ ପରାଜୟ ନେଇ ଶ୍ରୀ ଗାନ୍ଧୀଙ୍କର ସାମାନ୍ୟ ଅନୁଶୋଚନା ନାହିଁ। ଶତ୍ରୁର ପରାଜୟକୁ ନିଜର ବିଜୟ ବୋଲି ଭାଳୁଥିବା ଦେଶର ସର୍ବପୁରାତନ ଦଳ କଂଗ୍ରେସର ଯେ ନିଜର ମୂଳଦୁଆ ଭୁଶୁଡ଼ି ପଡ଼ିଲାଣି ଏ ନେଇ ଦଳ ମୁଖିଆଙ୍କର ଚିନ୍ତାନାହିଁ। ନିକଟରେ ନିର୍ବାଚନ ସରିଥିବା ୫ଟି ଯାକ ରାଜ୍ୟରେ ଆଖିଦୃଶିଆ ପ୍ରଦର୍ଶନ କରିପାରିନଥିବା ବିଜେପିର ଅନ୍ୟତମ ସ୍ବପ୍ନ “କଂଗ୍ରେସମୁକ୍ତ ଭାରତ” ଯେ ଏଥର କିଛିକାଂଶରେ ସତ ହୋଇଛି, ଏଥିରେ ଦ୍ବିମତ ନାହିଁ। କେବଳ ତାମିଲନାଡ଼ୁରେ କଂଗ୍ରେସର ସାମାନ୍ୟ ଉନ୍ନତି ହୋଇଥିବା ବେଳେ ଅନ୍ୟ ରାଜ୍ୟଗୁଡ଼ିକରେ ଧୂଳିଚାଟିଛି କଂଗ୍ରେସ।

ଆସାମ, ପଶ୍ଚିମବଙ୍ଗ, କେରଳ, ତାମିଲନାଡ଼ୁ ଓ ପୁଦୁଚେରୀରେ ବିଧାନସଭା ପାଇଁ ନିକଟରେ ଭୋଟ ଗ୍ରହଣ ହୋଇଥିବା ବେଳେ ମେ ୨ ତାରିଖରେ ଗଣତି ଶେଷ ହୋଇଛି। ମୋଦି ଓ ଶାହଙ୍କର ମାରାଥନ୍‌ ପ୍ରଚାର ସତ୍ତ୍ବେ କୌଣସି ଗୋଟିଏ ବି ରାଜ୍ୟରେ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିପାରିନଥିବା ବିଜେପି ନିଜର ସହଯୋଗୀ ଦଳମାନଙ୍କ ସହ ମିଶି ଆସାମରେ ସରକାର ଗଢ଼ୁଛି। ସେହିପରି ପୁଦୁଚେରୀରେ ସରକାର ଗଢ଼ୁଥିବା ଦଳ ପିଠିରେ ନାଉ ହୋଇପାରେ ବିଜେପି। ପଶ୍ଚିମବଙ୍ଗରେ ବହୁମତ ପାଇ ପୁଣି ଥରେ ଏକାକୀ ସରକାର ଗଢ଼ୁଛି ଟିଏମ୍‌ସି। କେରଳରେ ବାମମେଣ୍ଟ ଏଲ୍‌ଡିଏଫ୍‌ ପୁଣି ଥରେ ସରକାର ଗଢ଼ୁଥିବା ବେଳେ ତାମିଲନାଡ଼ୁରେ ପଟ୍ଟ ବଦଳିଛି। ଏଥର ତାମିଲନାଡ଼ୁରେ ଡିଏମ୍‌କେ କ୍ଷମତାକୁ ଆସୁଛି।

ଆସାମରେ ୧୯୫୨ ମସିହା ଠାରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସ ନିରନ୍ତର ବିଧାନସଭା ଦଖଲ କରି ଆସିଥିବା ବେଳେ ମଝିରେ ଥରଟିଏ ଜନତା ଦଳ ଓ ଦୁଇଥର ଆସାମ ଗଣ ପରିଷଦ ସରକାର ଗଢ଼ିଛି। ଏକକ ସଂଖ୍ୟା ଗରିଷ୍ଠତା ହାସଲ କରୁଥିବା କଂଗ୍ରେସ ୨୦୧୧ ନିର୍ବାଚନରେ ବିଧାନସଭାରେ ୧୨୬ ଆସନରୁ ୭୮ ଆସନ ହାତେଇଥିଲା। ସେ ବର୍ଷ ଭାରତୀୟ ଜନତା ପାର୍ଟି ମାତ୍ର ୫ଟି ଆସନରେ ବିଜୟୀ ହୋଇଥିଲା। ୨୦୧୬ ନିର୍ବାଚନରେ ସ୍ଥିତି ଓଲଟିଗଲା। ବିଜେପି ନେତ୍ୟତ୍ବରେ ଏନ୍‌ଡିଏ ମେଣ୍ଟ କ୍ଷମତାକୁ ଆସିଲା। ବିଜେପି ଏକାକୀ ୬୦ ଆସନରେ ବିଜୟୀ ହୋଇଥିବା ବେଳେ ସହଯୋଗୀ ଦଳଙ୍କ ସହ ମିଶି ଏନ୍‌ଡିଏ ମୋଟ ୮୪ ଆସନ ଜିତିଥିଲା। କଂଗ୍ରେସ ମାତ୍ର ୨୬ଟି ଆସନରେ ବିଜୟୀ ହୋଇଥିବା ବେଳେ ୟୁପିଏର ଅନ୍ୟ ସହଯୋଗୀ ଦଳ ଗୋଟିଏ ବି ଆସନ ପାଇ ନଥିଲେ। ଏବେ ୨୦୨୧ ନିର୍ବାଚନରେ ବିଜେପି ସମାନ ସଂଖ୍ୟକ ଆସନ ଅର୍ଥାତ୍‌ ୬୦ ଆସନରେ ବିଜୟୀ ହୋଇଛି। ଏନ୍‌ଡିଏର ଭୋଟ ହାର ଓ ଆସନ ସଂଖ୍ୟା କମିଛି। ଗତଥର ବିଜେପିର ସହଯୋଗୀ ଦଳ ୨୪ ଆସନ ପାଇଥିବା ବେଳେ ଏଥର ୧୫ଟି ଆସନ ପାଇଛି। ଏନ୍‌ଡିଏ ମୋଟ ୭୫ ବିଧାୟକ ହାସଲ କରିଛି। ଅନ୍ୟପଟେ ଏଥର ୟୁପିଏର ବିଜୟୀ ସଦସ୍ୟଙ୍କ ସଂଖ୍ୟା ପ୍ରାୟ ୨ ଗୁଣା ହୋଇଥିଲେ ହେଁ କଂଗ୍ରେସ ବିଶେଷ ଉନ୍ନତି କରିପାରିନାହିଁ। ୨୦୧୬ରେ ୨୬ ଆସନ ହାତେଇଥିବା କଂଗ୍ରେସ ଏଥର ୨୯ ଆସନ ପାଇଛି। ତେବେ ଏଥର ୟୁପିଏକୁ ୫୦ ଆସନ ମିଳିଛି। ୨୦୦୧ ମସିହାରୁ ୨୦୧୬ ଯାଏଁ ନିରଂକୁଶ କ୍ଷମତା ଦଖଲ କରିଆସିଥିବା କଂଗ୍ରେସର ଏକକ ସ୍ଥିତିକୁ ବିଚାରକୁ ନେଲେ, ଏ କଥା କହାଯାଇପାରେ, ଆସାମରେ କଂଗ୍ରେସ ତଳକୁ ତଳକୁ ଖସୁଛି।

ପଶ୍ଚିମବଙ୍ଗରେ ୨୦୦୬ ବିଧାନସଭା ନିର୍ବାଚନରେ ମୋଟ ୨୯୪ ଆସନରୁ ୧୭୬ ଆସନରେ ବିଜୟୀ ହୋଇ ବାମଦଳ ନିଜର କ୍ଷମତା ବଜାୟ ରଖିଥିଲା। ତେବେ ସେଥର ବିଜେପି ଗୋଟିଏ ବି ଆସନ ଜିତି ପାରିନଥିବା ବେଳେ କଂଗ୍ରେସ ୨୧ଟି ଆସନରେ ବିଜୟୀ ହୋଇଥିଲା। ତୃଣମୂଳ କଂଗ୍ରେସ (ଟିଏମ୍‌ସି) ୩୦ଟି ଆସନ ପାଇଥିଲା। ୨୦୧୧ ନିର୍ବାଚନରେ ଟିଏମ୍‌ସି ୧୮୪ ଆସନରେ ବିଜୟୀ ହୋଇ କ୍ଷମତାକୁ ଆସିଲା। ବାମ ଦଳ ୪୦ ଆସନ ପାଇଥିବା ବେଳେ ଏଥର ମଧ୍ୟ ବିଜେପି ଗୋଟିଏ ହେଲେ ଆସନ ଜିତି ପାରିନଥିଲା। ତେବେ ପୂର୍ବଥର ୨୧ ଆସନ ଜିତିଥିବା କଂଗ୍ରେସର ଆସନ ସଂଖ୍ୟା ଏଥର ଦୁଇଗୁଣା ହୋଇଥିଲା, ଅର୍ଥାତ୍‌ ୪୨ ଆସନରେ ବିଜୟୀ ହୋଇଥିଲା କଂଗ୍ରେସ। ୨୦୧୬ ବିଧାନସଭା ନିର୍ବାଚନରେ ଉଭୟ ଟିଏମ୍‌ସି ଓ କଂଗ୍ରେସର ଆସନ ସଂଖ୍ୟା ବଢ଼ିଥିଲା। ଟିଏମ୍‌ସି ୨୧୧ ଆସ ପାଇଥିବା ବେଳେ କଂଗ୍ରେସକୁ ୪୪ ଆସନ ମିଳିଥିଲା। ପୂର୍ବ ଦୁଇ ନିର୍ବାଚନରେ ଖାଲିହାତ ହୋଇଥିବା ବିଜେପି ଏଥର ୩ ଆସନରେ ବିଜୟୀ ହୋଇ ବେଙ୍ଗଲରେ ଖାତା ଖୋଲିଥିଲା। ଚଳିତ ନିର୍ବାଚନରେ (୨୦୨୧) ଟିଏମ୍‌ସି ଓ ବିଜେପିର ଆସନ ବଢ଼ିଥିବା ବେଳେ ପଶ୍ଚିମବଙ୍ଗରେ କଂଗ୍ରେସ ନିଶ୍ଚିହ୍ନ ହୋଇଯାଇଛି। ଟିଏମ୍‌ସି ୨୧୨ ଆସନ ପାଇଥିବା ବେଳେ ବିଜେପି ୩ରୁ ବଢ଼ି ୭୭ ଆସନରେ ପହଞ୍ଚିଛି। ପୂର୍ବରୁ ୪୪ ଆସନ ପାଇଥିବା କଂଗ୍ରେସ ଏଥର ଗୋଟିଏ ବି ଆସନରେ ବିଜୟୀ ହୋଇନାହିଁ।

କେରଳରେ ଦୁଇ ପ୍ରମୁଖ ମେଣ୍ଟ ଏଲ୍‌ଡିଏଫ୍‌ ଓ ୟୁଡିଏଫ୍‌ ହେଉଛନ୍ତି ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ଏବଂ ଉଭୟରେ ବାମପନ୍ଥୀଙ୍କ ଗୁରୁତ୍ବ ଅଧିକ। ୟୁଡିଏଫ୍‌ରେ କଂଗ୍ରେସ ରହିଛି। ୧୪୦ ଆସନବିଶିଷ୍ଟ କେରଳ ବିଧାନସଭା ନିର୍ବାଚନରେ ୨୦୧୧ରେ ୭୩ ଆସନରେ ବିଜୟୀ ହୋଇ ୟୁଡିଏଫ୍‌ ସରକାର ଗଢ଼ିଥିଲା। ଏଥିରେ କଂଗ୍ରେସ ଭାଗରେ ସର୍ବାଧିକ ୩୯ ଆସନ ଥିଲା। ସେଥର ସିପିଆଇଏମ୍‌ ସର୍ବାଧିକ ୪୪ ଆସନରେ ବିଜୟୀ ହୋଇଥିଲେ ବି ତାଙ୍କ ମେଣ୍ଟ ମାତ୍ର ୬୭ ଆସନ ପାଇ ପଛରେ ପଡ଼ିଯାଇଥିଲା। ଜନତା ଦଳ ସାଙ୍ଗରେ ମିଶି ଭାରତୀୟ ଜନତା ପାର୍ଟି ତୃତୀୟ ମେଣ୍ଟ କରିଥିଲେ ବି ଗୋଟିଏ ହେଲେ ଆସନ ହାତେଇ ପାରିନଥିଲେ। ୨୦୧୬ ନିର୍ବାଚନରେ ଏଲ୍‌ଡିଏଫ୍‌ ୯୧ ଆସନ ଜିତି କ୍ଷମତାକୁ ଆସିଥିଲା। କେବଳ ସିପିଆଇଏମ୍‌ ୫୮ ଆସନରେ ବିଜୟୀ ହୋଇଥିଲା। ଅନ୍ୟପଟେ ପରାଜିତ ୟୁଡିଏଫ୍‌ ୪୭ ଆସନ ପାଇଥିବା ବେଳେ କଂଗ୍ରେସର ଆସନ ସଂଖ୍ୟା ୨୨କୁ ଖସି ଆସିଥିଲା। ବିଜେପି ମାତ୍ର ଗୋଟିଏ ଆସନରେ ବିଜୟୀ ହୋଇ ୨୦୧୬ରେ କେରଳରେ ଖାତା ଖୋଲିଥିଲା। ଚଳିତ ୨୦୨୧ ନିର୍ବାଚନରେ ବିଜେପି ପୁଣି ଶୂନକୁ ଖସିଛି। ଏଲ୍‌ଡିଏଫ୍‌ କ୍ରମାଗତ ଦ୍ବିତୀୟ ଥର ବିଜୟୀ ହୋଇଛି। କଂଗ୍ରେସର ଭୋଟଭାଗ କମିଥିବା ବେଳେ ଆସନ ମଧ୍ୟ ପୁଣି କମିଯାଇ ୨୧ରେ ପହଞ୍ଚିଛି।

ତାମିଲନାଡ଼ୁରେ ଆଞ୍ଚଳିକ ଦଳ ଡିଏମ୍‌କେ ଓ ଏଆଇଡିଏମ୍‌କେ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ। ୨୩୪ ଆସନ ବିଶିଷ୍ଟ ବିଧାନସଭାରେ ୨୦୧୧ରେ ଏଆଇଡିଏମ‌‌କେ ଏକାକୀ ୧୫୦ଆସନରେ ବିଜୟୀ ହୋଇତିବା ବେଳେ ସହଯୋଗୀମାନଙ୍କ ସହ ମିଶି ୨୦୩ ଆସନ ପାଇଥିଲା। ଡିଏମ୍‌କେ ୨୩ ଆସନ ପାଇଥିବା ବେଳେ ସହଯୋଗୀଙ୍କ ସହ ମିଶି ୩୧ ଆସନ ପାଇଥିଲା। ଡିଏମ୍‌କେର ସହଯୋଗୀ ଭାବେ କଂଗ୍ରେସ ସେଥର ମାତ୍ର ୫ ଆସନରେ ବିଜୟୀ ହୋଇଥିଲା। ସେଥର ବିଜେପି ତାମିଲନାଡ଼ୁରେ ଖାତା ଖୋଲିପାରି ନଥିଲା। ୨୦୧୬ ନିର୍ବାଚନରେ ଏଆଇଡିଏମ୍‌କେ ୧୩୬ ଆସନରେ ବିଜୟୀ ହୋଇ ପୁଣି କ୍ଷମତା ଦଖଲ କରିଥିଲା। ଏଥର ଡିଏମ୍‌କେର ଭୋଟ ବଢ଼ିଥିଲା ଓ ଏହା ୮୯ ଆସନରେ ବିଜୟୀ ହୋଇଥିଲା। ପୂର୍ବଥର ୫ ଆସନ ପାାଇଥିବା କଂଗ୍ରେସ ଏଥର ୮କୁ ଉନ୍ନୀତ ହୋଇଥିଲା। ଭାରତୀୟ ଜନତା ପାର୍ଟିକୁ ପୁଣି ଥରେ ଶୂନରେ ସନ୍ତୁଷ୍ଟ ହେବାକୁ ପଡ଼ିଲା। ଚଳିତ ୨୦୨୧ ନିର୍ବାଚନରେ ୧୨୫ ଆସନ ଜିତି ଡିଏମ୍‌କେ କ୍ଷମତାକୁ ଆସିଛି। ଏହାର ସହଯୋଗୀ କଂଗ୍ରେସର ଆନ ସଂଖ୍ୟା ବୃଦ୍ଧି ପାଇ ୧୮ରେ ପହଞ୍ଚିଛି। ଏଆଇଡିଏମ୍‌କେ ବିଜୟ ସଂଖ୍ୟା ୬୫କୁ ଖସିଆସିଥିବା ବେଳେ ଏହାର ସହଯୋଗୀ ବିଜେପି ପ୍ରଥମ ଥର ପାଇଁ ୪ ଆସନରେ ବିଜୟୀ ହୋଇଛି। ଆଞ୍ଚଳିକ ଦଳ ନିରନ୍ତର ଗୁରୁତ୍ବ ପାଇ ଆସିଥିବା ତାମିଲନାଡ଼ୁରେ ଏଥର ଜାତୀୟ ଦଳର ଅଭ୍ୟୁଦୟ ହୋଇଛି କହିଲେ ଅତ୍ୟୁକ୍ତି ହେବନାହିଁ। କଂଗ୍ରେସ ଏଇ ଗୋଟିଏ ରାଜ୍ୟରେ ଆଶାତୀତ ସଫଳତା ପାଇଥିବା ବେଳେ ବିଜେପି ମଧ୍ୟ କ୍ଷମତା ଅଳିନ୍ଦରେ ପଶିବାର ସୁଯୋଗ ପାଇଛି।

୨୦୧୧ରେ ୩୦ ଆସନ ବିଶିଷ୍ଟ ପୁଦୁଚେରୀ ବିଧାନସଭାରେ ଆଞ୍ଚଳିକ ଦଳ ଏଆଇଏନ୍‌ଆରସି ୧୫ ଆସନ ଜିତିଥିବା ବେଳେ କଂଗ୍ରେସ ୭ ଆସନ ପାଇଥିଲା। ବିଜେପି ଗୋଟିଏ ବି ଆସନ ପାଇନଥିଲା। ୨୦୧୬ ନିର୍ବାଚନରେ ପୁଦୁଚାରୀରେ କଂଗ୍ରେସର ଭୋଟ ହାର ବଢ଼ିଥିଲା ଓ ଏହା କ୍ଷମତାକୁ ଆସିଥିଲା। କଂଗ୍ରେସ ୧୫ ଆସନ ପାଇଥିବା ବେଳେ ଏଆଇଏନ୍‌ଆର୍‌ସି ୮ ଆସନ ପାଇଥିଲା। ବିଜେପି ଏଥର ମଧ୍ୟ ଖାତା ଖୋଲିପାରି ନଥିଲା। ୨୦୨୧ରେ ଏଅଆଇଏନ୍‌ଆର୍‌ସି ୧୦ ଆସନରେ ବିଜୟୀ ହୋଇଥିବା ବେଳେ ପ୍ରଥମ ଥର ପାଇଁ ୬ଟି ଆସନରେ ବିଜୟୀ ହୋଇଛି ବିଜେପି। ଡିଏମ୍‌କେ ୬ଟି ଆସନ ପାଇଥିବା ବେଳେ କଂଗ୍ରେସ ମାତ୍ର ୨ଟି ଆସନକୁ ଖସିଆସିଛି।

ଚଳିତବର୍ଷ ୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନକୁ ଅନୁଶୀଳନ କଲେ ଜଣାଯାଏ କେବଳ ତାମିଲନାଡ଼ୁକୁ ଛାଡ଼ି ଅନ୍ୟ ସବୁ ରାଜ୍ୟରେ କଂଗ୍ରେସର ପରାଜୟ ଶୋଚନୀୟ। ଅନ୍ୟପଟେ ଆଞ୍ଚଳିକ ଦଳର ଗୁରୁତ୍ବ ସତ୍ତ୍ବେ କେବଳ କେରଳକୁ ଛାଡ଼ି ବାକି ସବୁ ରାଜ୍ୟରେ ପୂର୍ବ ବର୍ଷମାନଙ୍କ ତୁଳନାରେ ଉନ୍ନତି କରିଛି ବିଜେପି। ତେବେ ବିଜେପିର ବାହୁବଳୀ ବିଜୟ ବାହାସ୍ଫୋଟ ଏଥର ଭାଙ୍ଗିଯାଇଥିବା ବେଳେ ଏହାର କଂଗ୍ରେସମୁକ୍ତ ଭାରତ ସ୍ବପ୍ନ କେତେକାଂଶରେ ସତ୍ୟ ହୋଇଥିବା ପରି ମନେହୁଏ।

Leave A Reply

Your email address will not be published.