Odisha Link
Bridging the Missing Links in Odisha

ଗ୍ଲୋବାଲ୍ ଟେଣ୍ଡର ଜରିଆରେ ୩.୮ କୋଟି ଟିକା କିଣିବ ଓଡିଶା: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନା କାୟା ବିସ୍ତାର କରୁଥିବା ବେଳେ ଏହାକୁ ମାତ୍‌ ଦେବା ପାଇଁ ପଦକ୍ଷେପ ନିଆଯାଉଛି। ଖୁବଶୀଘ୍ର ରାଜ୍ୟରେ ଦୂର ହେବ ଟିକାର ଅଭାବ। ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟାରେ ବିଶ୍ୱ ବଜାରରୁ ୩ କୋଟି ୮୦ ଲକ୍ଷ ଭ୍ୟାକ୍ସିନ୍ କିଣିବ ଓଡ଼ିଶା। ଏଥିପାଇଁ ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା ଆହ୍ୱାନ କରାଯାଇଥିବାବେଳେ ଆସନ୍ତା ୨୮ ତାରିଖ ପରେ ରାଜ୍ୟ ସରକାର ଭ୍ୟାକ୍ସିନ କିଣିବେ ବୋଲି ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର।

ଏଥିସହ ମୁଖ୍ୟ ଶାସନ ସଚିବଙ୍କ କହିଛନ୍ତି, ଲକଡାଉନ୍ କାରଣରୁ ରାଜ୍ୟର କିଛି ଜିଲ୍ଲାରେ ପଜିଟିଭିଟି ରେଟ୍ ସ୍ଥିର ଏବଂ ଅନ୍ୟ କେତେକ ଜିଲ୍ଲାରେ ସଂକ୍ରମଣ କମିବାରେ ଲାଗିଛି। ତେଣୁ ଆମେ ଯଦି ଆଉ ୧୦ରୁ ୧୫ ଦିନ କୋଭିଡ୍ ନିୟମ କଡାକଡି ଭାବେ ପାଳନ କରିବା ତେବେ ଆମେ ସଂକ୍ରମଣକୁ ରୋକିବାରେ ସମର୍ଥ ହେବା। ଏହା ସହିତ ସମସ୍ତେ ପୂର୍ବଭଳି ମାସ୍କ ଓ ସାମାଜିକ ଦୂରତା ପାଳନ କରିବା ସହିତ ଭୂତାଣୁକୁ ମାତ୍ ଦିଅନ୍ତୁ ବୋଲି ସେ କହିଛନ୍ତି ।

ଲକଡାଉନ୍ କାରଣରୁ ପଶ୍ଚିମ ଓଡିଶାର ଜିଲ୍ଲା ଗୁଡିକରେ ସଂକ୍ରମଣ ସ୍ଥିର ଥିବାବେଳେ କିଛି ଜିଲ୍ଲାରେ ପଜିଟିଭିଟି ରେଟ୍ କମିବାରେ ଲାଗିଛି। ତେଣୁ ଲୋକମାନେ ଏବେ ସତର୍କ ହେବା ନିହାତି ଆବଶ୍ୟକ। ଅନ୍ୟପଟେ ପରିବା କିଣିବାକୁ ମାର୍କେଟରେ ଗହଳି ନକରି ଏକାଥରକେ ପରିବା କିଣି ଆଣିବାକୁ ସେ ପରାମର୍ଶ ଦେଇଛନ୍ତି।

ସେହିପରି ଟିକାକରଣକୁ ନେଇ ମୁଖ୍ୟ ଶାସନ ସଚିବ ମଧ୍ୟ ପ୍ରେସମିଟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଟିକାକରଣ ଓ କୋଭିଡ୍ ସମ୍ପର୍କରେ ରାଜ୍ୟ ସରକାର ଏକ ପରାମର୍ଶଦାତା କମିଟି ଗଠନ କରିଛନ୍ତି । ଏହି କମିଟି ବିଶିଷ୍ଟ ଚିକିତ୍ସା ବିଜ୍ଞାନୀ ଡାକ୍ତର ଶ୍ରୀନାଥ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଛି। ଏହି ଉପଦେଷ୍ଟା କମିଟିରେ ବହୁ ବରିଷ୍ଠ ଡାକ୍ତର, ବୈଜ୍ଞାନିକ ସଦସ୍ୟ ଅଛନ୍ତି। ଡାକ୍ତର ଦେବୀ ସେଟ୍ଟୀ, ରମାକାନ୍ତ ପଣ୍ଡା କମିଟିରେ ଡିଏମଇଟି ଆବାହକ ଭାବେ କାର୍ଯ୍ୟ କରିବେ। ଏହି କମିଟି ଆଗାମୀ ଦିନରେ ରାଜ୍ୟ ସରକାର କୋଭିଡକୁ କିପରି ମୁକାବିଲା କରିବେ ସେନେଇ ଦେବେ। ଆଉ ଏହି କମିଟିର ପରାମର୍ଶ ଅନୁସାରେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେବେ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

Leave A Reply

Your email address will not be published.