Odisha Link
Bridging the Missing Links in Odisha

ଭାରତ-ଶ୍ରୀଲଙ୍କା ସିରିଜ୍‌ ତାରିଖ ଘୋଷଣା

ନୂଆଦିଲ୍ଲୀ: ଜୁଲାଇ ୧୩ରୁ ଭାରତ-ଶ୍ରୀଲଙ୍କା ସିରିଜ୍‌ ଖେଳାଯିବ ୟ। ଆଇପିଏଲ୍ ପୂର୍ବରୁ ଖେଳାଳିଙ୍କୁ ପ୍ରସ୍ତୁତ ରଖିବା ପାଇଁ ଏହି ସିରିଜ୍ କରାଯାଉଛି। ଭାରତୀୟ ଟିମ ଶ୍ରୀଲଙ୍କା ବିପକ୍ଷରେ ୩ଟି ଦିନିକିଆ, ୩ଟି ଟି-୨୦ ମ୍ୟାଚ ଖେଳିବ। ସିରିଜର ଅନ୍ତିମ ମ୍ୟାଚ୍ ଜୁଲାଇ ୨୫ ତାରିଖରେ ଖେଳାଯିବ। ଏନେଇ ସୋନି ସ୍ପୋର୍ଟସ ତରଫରୁ ଟୁଇଟ କରି ଘୋଷଣା କରାଯାଇଛି। ହେଲେ ବିସିସିଆଇ ପକ୍ଷରୁ ଏପର୍ଯ୍ୟନ୍ତ ସିରିଜର କାର୍ଯ୍ୟକ୍ରମ ଘୋଷଣା କରାଯାଇନାହିଁ।

ସୋନି ସ୍ପୋର୍ଟସ୍ ସୋଶାଲ ସାଇଟରେ ଘୋଷଣା ସୂଚୀ ଅନୁଯାୟୀ, ପ୍ରଥମେ ଦିନିକିଆ ସିରିଜ୍ ଖେଳାଯିବ। ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଯଥାକ୍ରମେ ଜୁଲାଇ ୧୩, ୧୬ ଓ ୧୮ ତାରିଖରେ ଅନୁଷ୍ଠିତ ହେବ। ଏହା ପରେ ତିନୋଟି ଟି-୨୦ ସିରିଜ୍ ଖେଳାଯିବ, ଯାହା ଜୁଲାଇ ୨୧, ୨୩ ଓ ୨୫ ତାରିଖରେ ହେବ। ମିଳିଥିବା ସୂଚନା ଅନୁଯାୟୀ, କରୋନାକୁ ଦୃଷ୍ଟିରେ ରଖି ସିରିଜର ସବୁଯାକ ମ୍ୟାଚ୍ ଗୋଟିଏ ଷ୍ଟାଡିୟମରେ ଖେଳାଯିବ। କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ସବୁ ମ୍ୟାଚ୍ ଖେଳାଯାଇପାରେ।

ସୂଚନାଯୋଗ୍ୟ, ଶ୍ରୀଲଙ୍କା ଟିମର ଘରୋଇ ମାଟିରେ ରେକର୍ଡ ଭଲ ରହିଛି। ଉଭୟ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏପର୍ଯ୍ୟନ୍ତ ୬୧ ଦିନିକିଆ ମ୍ୟାଚ୍ ଖେଳାଯାଇଛି। ଭାରତ ୨୮ଟିରେ ଓ ଶ୍ରୀଲଙ୍କା ୨୭ଟିରେ ବିଜୟ ହାସଲ କରିଛି। କିନ୍ତୁ ଟି-୨୦ରେ ଟିମ୍ ଇଣ୍ଡିଆ ବହୁତ ଆଗରେ ରହିଛି। ଶ୍ରୀଲଙ୍କାରେ ଭାରତ ୫ଟି ଟି-୨୦ ମ୍ୟାଚରୁ ୪ଟିରେ ବିଜୟୀ ହୋଇଛି।