Odisha Link
Bridging the Missing Links in Odisha

ରାଜ୍ୟରେ ଆଜିଠୁ କ୍ୟାମ୍ପେନ୍ ମୋଡ଼ରେ ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ ଆଜିଠୁ କ୍ୟାମ୍ପେନ୍ ମୋଡ଼ରେ ଟିକାକରଣ କରାଯିବ। କେନ୍ଦ୍ର ସରକାରଙ୍କ ନୂଆ ଭ୍ୟାକ୍ସିନେସନ ପଲିସିକୁ ଗୁରୁତ୍ୱ ଦେବା ସହ ରାଜ୍ୟ ସରକାର ଦୈନିକ ୩ ଲକ୍ଷ ଟିକାକରଣ ଲକ୍ଷ୍ୟ ରଖିଛନ୍ତି। ମହାନଗର ନିଗମରେ ୨୦ଟି, ମ୍ୟୁନିସିପାଲିଟିରେ ୧୦ଟି ସେସନ କରାଯିବା ସହ ପ୍ରତ୍ୟେକ ବ୍ଲକ ଓ ଏନଏସିରେ ୫ଟି ଲେଖାଏଁ ସେସନ କରାଯିବ।

ରାଜ୍ୟରେ ବର୍ତ୍ତମାନ ଦୈନିକ ଟିକାକରଣ ଦେଢ଼ ଲକ୍ଷରୁ କମ୍ ରହିଛି। ଟିକା ନଷ୍ଟକୁ ହ୍ରାସ କରାଯିବା ସହ ଅଧିକ ସଂଖ୍ୟାରେ ଟିକାକରଣ କରାଯିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ଉଭୟ ଅନଲାଇନ ଓ ଅଫଲାଇନ ଟିକାକରଣ ପାଇଁ ଜିଲ୍ଲାସ୍ତରରେ ସମସ୍ତ ଯୋଜନା ପ୍ରସ୍ତୁତ ହୋଇଛି। ଏନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଏସିଏସ) ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ନୂଆ ଟିକା ନୀତି ଅନୁଯାୟୀ ଭ୍ୟାକ୍ସିନେସନ କରାଯିବ। ଦୈନିକ ୩ ଲକ୍ଷ ଟିକାକରଣ ଲକ୍ଷ୍ୟଧାର୍ଯ୍ୟ ହୋଇଛି, ତେଣୁ ଅଧିକ ସଂଖ୍ୟାରେ ଟିକାକରଣ ଅଧିବେଶନ ଆୟୋଜିତ ହେବ। ବର୍ତ୍ତମାନ ରାଜ୍ୟର ୨୨ ପ୍ରତିଶତ ଲୋକ ଟିକା ନେଇଥିବା ବେଳେ ଏବେ ୧୦ ଲକ୍ଷ କୋଭିସିଲ୍ଡ ଓ ୪ ଲକ୍ଷ କୋଭାକ୍ସିନ ଟିକା ଷ୍ଟକ୍ ରହିଛି। ଲୋକଙ୍କୁ ଟିକାକରଣ ନେଇ ସଚେତନ କରାଯାଉଛି। ଆଗାମୀ ଦିନରେ ରାଜ୍ୟରେ ଟିକାକରଣ ବୃଦ୍ଧି ପାଇବ।

Leave A Reply

Your email address will not be published.