Odisha Link
Bridging the Missing Links in Odisha

ବ୍ରୋଞ୍ଜ ଜିତିଲା ଭାରତ, ଓଡ଼ିଆ ପୁଅ ଅମିତ୍‌ଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ବର: ଦୀର୍ଘ ୪୧ ବର୍ଷ ପରେ ଇତିହାସ ରଚିଛି ଭାରତୀୟ ପୁରୁଷ ହକି ଦଳ। ୧୯୮୦ ମସହା ପରେ ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ପଦକ ଜିତିଛି ଭାରତୀୟ ଦଳ। ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ବିଜେତା ଭାରତୀୟ ଦଳକୁ ଏବେ ଛୁଟୁଛି ଶୁଭେଚ୍ଛାରୁ ସୁଅ। ସମସ୍ତେ ଟିମ୍‌ର ସଦସ୍ୟମାନଙ୍କ ଦକ୍ଷତାକୁ ପ୍ରଶଂସା କରୁଛନ୍ତି। ବିଶେଷକରି ଅଧିନାକୟ ମନପ୍ରୀତ୍‌ ସିଂହ, ଗୋଲକିପର ଶ୍ରୀଜେଶଙ୍କ ସମେତ ବହୁ ଖେଳାଳିଙ୍କୁ ନେଇ ଚର୍ଚ୍ଚା ହେଉଛି। ଆଉ ତା’ ଭିତରେ ଟିମ୍‌ର ଓଡ଼ିଆ ଖେଳାଳି ଅମିତ୍ ରୋହିଦାସଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ପୂର୍ବତନ ହକି ଖେଳାଳି ତଥା ଅଲିମ୍ପିଆନ୍ ଆଶିଷ ବଲାଲ।

ଆଶିଷ ବଲାଲ କହିଛନ୍ତି ଯେ, ଟିମ୍‌ ଇଣ୍ଡିଆ ଦମଦାର ପ୍ରଦର୍ଶନ କରିଛି। ବିଜୟର ହକଦାର ଥିଲା ଟିମ୍‌ ଇଣ୍ଡିଆ। ହେଲେ ଟିମ୍‌ର ‘ସାଇଲେଣ୍ଟ ହିରୋ’ ହେଉଛନ୍ତି ଓଡ଼ିଶାର ଅମିତ୍ ରୋହିଦାସ, ଯାହାଙ୍କୁ ଏତେ ସ୍ୱୀକୃତି ମିଳିନି। ସେ ଖୁବ୍‌ ସାହାସୀ। ଚଳିତ ଅଲିମ୍ପିକ୍ସରେ ସେ ଏକାକୀ ୧୫ରୁ ଉର୍ଦ୍ଧ୍ବ ପେନାଲ୍‌ଟି କର୍ଣ୍ଣରକୁ ରୋକିବାରେ ସମର୍ଥ ହୋଇଥିଲେ। ଏହା ଏକ ବଡ଼ କଥା। କିନ୍ତୁ ତାଙ୍କୁଗୁରୁତ୍ୱ ଦେଉ ନାହାନ୍ତି। ଘଣ୍ଟା ପ୍ରତି ୨୦୦ କିଲୋମିଟର ବେଗରେ ଆସୁଥିବା ବଲ୍‌କୁ ଅଟକାଇବା ସହଜ କଥା ନୁହେଁ। ଅମିତ୍ ରୋହିଦାସ ଖୁବ୍ ଭଲ ଖେଳିଥିଲେ।

ଏହାସହିତ ଭାରତୀୟ ଟିମର ଗୋଲକିପର ଶ୍ରୀଜେଶଙ୍କୁ ଓ ମନପ୍ରିତ୍‌ଙ୍କୁ ମଧ୍ୟ ଭୁରି ପ୍ରଶଂସା କରିଛନ୍ତି ସେ। ଶ୍ରୀଜେଶ ଟିମର ମେରୁଦଣ୍ଡ ଓ ହକି ଟିମର ଓ୍ବାଲ ଭଳି ପ୍ରଦର୍ଶନ କରିଛନ୍ତି। ମନପ୍ରୀତିଙ୍କ ଅଧିନାୟକତ୍ବରେ ଦଳ ଦମଦାର ପ୍ରଦର୍ଶନ କରିଥିଲା। ଟିମ୍‌ ଇଣ୍ଡିଆ ପଦକ ଦାବିଦାର ଥିଲା। ୪୧ ବର୍ଷ ପରେ ଭାରତ ପଦକ ଜିତିଥିବାରୁ ଶୁଭେଚ୍ଛା ଜଣାଉଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଅମିତ୍ ରୋହିଦାସଙ୍କ ବ୍ୟତୀତ ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା ମଧ୍ୟ ଟିମ୍‌ରେ ସାମିଲ ହୋଇଥିଲେ। ଆଜି କାଂସ୍ୟ ପଦକ ପାଇଁ ଭାରତ ଓ ଜର୍ମାନୀ ମଧ୍ୟରେ ଲଢ଼େଇ ହୋଇଥିଲା। ଆଉ ଏଥିରେ ଜର୍ମାନୀକୁ ୫-୪ରେ ପରାସ୍ତ କରିଥିଲା ଭାରତୀୟ ଟିମ୍‌।

Leave A Reply

Your email address will not be published.