Odisha Link
Bridging the Missing Links in Odisha

Tokyo Olympics: ଶେଷ ହେବ କି ୧୦୦ ବର୍ଷର ପ୍ରତୀକ୍ଷା? ନୀରଜଙ୍କ ଉପରେ ସମସ୍ତଙ୍କ ନଜର

ଟୋକିଓ: ଆଉ ଦିନକ ପରେ ଶେଷ ହେବ ବିଶ୍ବ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ। ଏସବୁ ମଧ୍ୟରେ ଶନିବାର ଅପରାହ୍ନରେ ଖେଳାଯିବ ଜାଭେଲିନ୍‌ର ଫାଇନାଲ ମୁକାବିଲା। ଭାରତୀୟ ଖେଳାଳି ନୀରଜ ଚୋପ୍ରାଙ୍କ ଉପରେ ରହିଛି ସମସ୍ତଙ୍କ ନଜର। ପୂରା ଦେଶ ବିଗତ ୧୦୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଅଲିମ୍ପିକ୍ସର ଆଥଲେଟିକ୍ସ ବିଭାଗରେ ପଦକ ଆଶା ରଖିଛି। ୨୩ ବର୍ଷିୟ ନୀରଜ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ଶୀର୍ଷରେ ରହି ଫାଇନାଲରେ ପ୍ରବେଶ କରିଥିଲେ।

ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ନୀରଜ ୮୬.୬୫ ମିଟର ଥ୍ରୋ କରି ସିଧାସଳଖ ଫାଇନାଲରେ ପ୍ରବେଶ କରିଥିଲେ। ସବୁଠୁ ବଡ଼ କଥା ହେଲା ଭାରତ ଅଲିମ୍ପିକ୍ସର ଆଥଲେଟିକ୍ସ ବିଭାଗରେ ପଦକ କେବେ ଜିତି ନାହିଁ। ୧୯୨୦ ଅଲିମ୍ପିକ୍ସରେ ଭାରତର ପାଞ୍ଚ ଜଣିଆ ଦଳରେ ତିନିଜଣ ଟ୍ରାକ ଏବଂ ଫିଲ୍ଡ ଖେଳାଳି ରହିଥିଲେ। ସେବେଠାରୁ ଭାରତ ଆଥଲେଟିକ୍ସରେ ଅଲିମ୍ପିକ୍ ପଦକ ଜିତି ନାହିଁ। ଆଥଲେଟିକ୍ସରେ ମିଲଖା ସିଂ ଏବଂ ପି.ଟି ଉଷା ବହୁତ କମ୍ ବ୍ୟବଧାନରେ ଅଲିମ୍ପିକ୍ ପଦକରୁ ବଞ୍ଚିତ ହୋଇଥିଲେ।

ଏସବୁ ମଧ୍ୟରେ ସାରା ଦେଶବାସୀ ନୀରଜଙ୍କଠୁ ଏକ ପଦକ ଆଶା ରଖିଛନ୍ତି। କାରଣ ସ୍ବର୍ଣ୍ଣ ପଦକର ପ୍ରମୁଖ ଦାବିଦାର ରହିଛନ୍ତି ନୀରଜ। ଏଥିସହିତ ଜର୍ମାନର ଓ୍ବେଟର ଓ ପାକିସ୍ତାନର ଅରଶଦ ନଦୀମ ମଧ୍ୟ ସ୍ବର୍ଣ୍ଣ ପଦକ ଦାବିଦାର ରହିଛନ୍ତି। ଯଦି ନୀରଜ ଆଜି ଅପରାହ୍ନରେ ହେବାକୁ ଥିବା ମୁକାବିଲାରେ ସ୍ବର୍ଣ୍ଣ ପଦକ ହାସଲ କରନ୍ତି ତେବେ ୧୦୦ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇବା ସହ ଚଳିତ ଅଲିମ୍ପିକ୍ସରେ ପ୍ରଥମ ଭାରତୀୟ ଭାବେ ସ୍ବର୍ଣ୍ଣ ପଦକ ବିଜେତା ହେବେ।

Leave A Reply

Your email address will not be published.