Odisha Link
Bridging the Missing Links in Odisha

ବିଜେପିରେ ମିଶିଲେ କଂଗ୍ରେସର ଭେଟେରାନ୍‌ ନେତା ଆରପିଏନ୍‌ ସିଂହ, ଧର୍ମେନ୍ଦ୍ର କହିଲେ..

 

ଓଏଲ୍‌ ବ୍ୟୁରୋ: ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ମଙ୍ଗଳବାର ଆୟୋଜିତ ମିଶ୍ରଣ ପର୍ବରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ରତନଜିତ ପ୍ରତାପ ନାରାୟଣ ସିଂହଙ୍କୁ ଦଳରେ ସ୍ୱାଗତ କରିଛନ୍ତି ଉତରପ୍ରଦେଶ ନିର୍ବାଚନ ପ୍ରଭାରୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆରପିଏନ୍‌ ସିଂହଙ୍କ ଭଳି ବ୍ୟକ୍ତିତ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱକୁ ସ୍ୱୀକାର କରି ବିଜେପିରେ ମିଶିଛନ୍ତି । ଏହା ଦଳ ପାଇଁ ଏକ ଶୁଭ
ସଂକେତ । ଶ୍ରୀ ସିଂହ ଅନେକ ଥର ବିଧାୟକ, ଲୋକସଭା ପ୍ରତିନିଧିତ୍ୱ ତଥା ଭାରତ ସରକାରରେ ମନ୍ତ୍ରୀ ଭାବରେ ଦାୟିତ୍ୱ ନିର୍ବାହ କରିଛନ୍ତି । କଂଗ୍ରେସ ପାର୍ଟିର ବିଭିନ୍ନ ସଂଗଠନାତ୍ମକ କାମକୁ ମଧ୍ୟ ଦାୟିତ୍ୱସମ୍ପନ୍ନ ଭାବେ ପାଳନ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ୟୁପିର ଜନସାଧାରଣଙ୍କ ଆସ୍ଥାଭାଜନ ହୋଇପାରିଛି । ଉତରପ୍ରଦେଶରେ ନିର୍ବାଚନ ପ୍ରକ୍ରିୟା ଜାରୀ ରହିଥିବା ବେଳେ ଆମ ଦଳ ବିଜେପି ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକକଲ୍ୟାଣକାରୀ ନେତୃତ୍ୱ, ଉତରପ୍ରଦେଶ ସରକାରଙ୍କ ସୁଶାସନ ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ୁଛି । ରାଜ୍ୟର ବିକାଶ, ଗରିବ କଲ୍ୟାଣ ଯୋଜନା ଏବଂ ୟୁପିରେ ବଦଳିଥିବା ଆଇନ ବ୍ୟବସ୍ଥାକୁ ନେଇ ନିର୍ବାଚନ ଲଢ଼ାଯାଉଛି । ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ସ୍ୱୀକାର କରି ବିକାଶର ପ୍ରସଙ୍ଗ ତଥା ଗରିବ କଲ୍ୟାଣକୁ ବିଶ୍ୱାସ କରି ଉତରପ୍ରଦେଶକୁ ଦେଶର ଅଗ୍ରଣୀ ରାଜ୍ୟ କରିବା ପାଇଁ ଆରପିଏନ୍‌ ସିଂହ ଯୋଗ ଦେଇଛନ୍ତି । ଏହା ଦଳ ଓ ୟୁପିବାସୀଙ୍କ ପାଇଁ ଖୁସିର ବିଷୟ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଏହି ମିଶ୍ରଣ ପର୍ବରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର, ଉତରପ୍ରଦେଶ ବିଜେପିର ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.