Odisha Link
Bridging the Missing Links in Odisha

ଆହତଙ୍କୁ ଭେଟିବେ ମୋଦି, ରାତାରାତି ବଦଳିଲା ମେଡିକାଲ ରୂପରେଖ

ଓଏଲ୍‌ ବ୍ୟୁରୋ: ଗୁଜୁରାଟର ମୋର୍ବି ବ୍ରିଜ୍‌ ଦୁର୍ଘଟଣା ସାରା ଦେଶକୁ ସ୍ତବ୍ଧ କରିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିବେ। ତାସହିତ ମୋର୍ବି ସିଭିଲ ମେଡିକାଲରେ ଚିକିତ୍ସିତ ହେଉଥିବା ଆହତ ବ୍ୟକ୍ତିଙ୍କୁ ମୋଦି ଭେଟିବାର କାର୍ଯ୍ୟକ୍ରମ ରହିଛି। ମୋଦିଙ୍କ ଗସ୍ତ ପୂର୍ବରୁ ରାତାରାତି ବଦଳାଯାଇଛି ମେଡିକାଲର ରୂପରେଖ। ବର୍ଷ ବର୍ଷ ଧରି ଯେଉଁ ସୁବିଧା ଉକ୍ତ ମେଡିକାଲରେ ନଥିଲା, ସେସବୁ ସୁବିଧା ଏବେ କରାଯାଉଛି। ଏଥିସହିତ ରାତାରାତି ମେଡିକାଲ କାନ୍ଥରେ ରଙ୍ଗ ବୋଳାଯାଉଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏସବୁକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି। କଂଗ୍ରେସ ଏହାକୁ ଟ୍ରାଜେଡି ଇଭେଣ୍ଟ କହିଥିବା ବେଳେ ଆମ୍‌ ଆଦମୀ ପାର୍ଟି ପ୍ରଧାନମନ୍ତ୍ରୀଙ୍କ ଫଟୋସୁଟ୍‌ ପାଇଁ ପ୍ରସ୍ତୁତି ଚାଲିଥିବା କହିଛି।

କଂଗ୍ରେସ ଫଟୋ ସେଆର କରି କହିଛି ଯେ, ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି ମୋର୍ବିର ସିଭିଲ ହସ୍ପିଟାଲ୍ ଆସିବେ। ଏହା ପୂର୍ବରୁ ରଙ୍ଗବୋଳା କାମ ଜୋରଦାର ଚାଲିଛି। ରଙ୍ଗ ବେରଙ୍ଗର ଟାଇଲ୍ସ ଲଗାଯାଉଛି। ପ୍ରଧାନମନ୍ତ୍ରୀଙ୍କ ଫଟୋ ସୁଟ୍‌ରେ ଯେମିତି କୌଣସି ତ୍ରୁଟି ନରହୁ ଏହାର ସମସ୍ତ ବନ୍ଦୋବସ୍ତ କରାଯାଉଛି। ଏମାନଙ୍କୁ ଲଜ୍ଜା ଆସିବା ଦରକାର। ଏତେ ଲୋକ ମରିଗଲେ ଆଉ ଏମାନଙ୍କର ଇଭେଣ୍ଟ କାମ ଚାଲିଛି।

ସେହିପରି ଆମ୍‌ ଆଦମୀ ପାର୍ଟି ପକ୍ଷରୁ ଫଟୋ, ଭିଡିଓ ସେୟାର କରି କୁହାଯାଇଛି ଯେ, ରାତାରାତି ଯୂଦ୍ଧକାଳୀନ ଭିତ୍ତିରେ ମୋର୍ବି ସିଭିଲ ମେଡିକାଲରେ ରଙ୍ଗବୋଳା କାର୍ଯ୍ୟ ଚାଲିଛି। କାହିଁକିନା ପ୍ରଧାନମନ୍ତ୍ରୀଙ୍କ ଫଟୋ ସୁଟ୍‌ ସମୟରେ ଯେପରି ମେଡିକାଲର ନିମ୍ନମାନର କୋଠା ସାମ୍ନାକୁ ନଆସୁ। ୧୪୧ ଲୋକଙ୍କ ଦେହାନ୍ତ ହୋଇସାରିଲାଣି, ଅନେକ ଲୋକ ଏବେବି ନିଖୋଜ ଅଛନ୍ତି। ଘଟଣାପଛରେ ଥିବା ଅସଲ ଦୋଷୀଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଏପର୍ଯ୍ୟନ୍ତ ନିଆଯାଇ ନାହିଁ। କିନ୍ତୁ ବିଜେପି ଫଟୋସୁଟ୍‌ ଓ ପ୍ରଚାର ପ୍ରସାର କାର୍ଯ୍ୟରେ ଲିପ୍ତ ରହିଛି।

ସୂଚନାଯୋଗ୍ୟ, ରବିବାର ସନ୍ଧ୍ୟାରେ ମୋର୍ବିରେ ଥିବା ଝୁଲା ପୋଲ ଛିଣ୍ଡି ଯିବାରୁ ୧୪୧ ଜଣଙ୍କର ମୃତ୍ୟୁ ହୋଇଛି। ଏବେବେ ଅନେକ ବ୍ୟକ୍ତି ନିଖୋଜ ଅଛନ୍ତି। ଶତାଧିକ ଲୋକେ ମୋର୍ବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏପର୍ଯ୍ୟନ୍ତ ଏହି ଘଟଣାରେ ୯ ଜଣଙ୍କୁ ଗରିଫ କରିଛି ଗୁଜୁରାଟ ପୁଲିସ।

Leave A Reply

Your email address will not be published.