Odisha Link
Bridging the Missing Links in Odisha

ଧାମନଗର ଉପନିର୍ବାଚନ: ସରିଲା ପ୍ରଚାର, ମାଟି ମାଡ଼ିଲେନି ଷ୍ଟାର ପ୍ରଚାରକ

ଓଏଲ୍‌ ବ୍ୟୁରୋ: ନଭେମ୍ବର ୩ ତାରିଖରେ ଧାମନଗର ଉପନିର୍ବାଚନ ପାଇଁ ହେବ ମତଦାନ। ଏଥିପାଇଁ ମଙ୍ଗଳବାର ବା ନଭେମ୍ବର ୧ ତାରିଖରେ ସରିଛି ହାଇଭୋଲଟେଜ ପ୍ରଚାର। ଗୁରୁବାର ଦିନ ୭ଟାରୁ ଧାମନଗର ଉପନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୃତି ଚୂଡ଼ାନ୍ତ ପର୍ଯ୍ୟାୟରେ। ଗତ ଦୁଇ ସପ୍ତାହରୁ ଅଧିକ ସମୟ ଧରି ସେଠାରେ ନିର୍ବାଚନ ପରିଚାଳନା ଓ ପ୍ରଚାରର ମଙ୍ଗ ଧରିଥିବା ରାଜ୍ୟସ୍ତରୀୟ ନେତାମାନେ ନିର୍ବାଚନମଣ୍ଡଳୀ ଛାଡ଼ି ଭଦ୍ରକରେ ଡେରା ପକାଇଥିଲେ। ପ୍ରଚାର ସରିବା ପରେ ଏବେ ସ୍ଥାନୀୟ ନେତାଙ୍କ ଭରସାରେ ରହିଛି ଧାମନଗର। ସ୍ଥାନୀୟ ନେତାମାନଙ୍କ ଭରସାରେ ଗୁରୁତ୍ୱପୂର୍ଣ୍ଣ ଶେଷ ୨୪ଘଣ୍ଟାକୁ ମ୍ୟାନେଜ୍ କରି ଭୋଟରଙ୍କୁ ଆକୃଷ୍ଟ କରିବା ନିମନ୍ତେ କଂଗ୍ରେସ, ବିଜେପି ଓ ବିଜେଡି ମଧ୍ୟରେ ଛକାପଞ୍ଝା ଜୋର୍ ଧରିଛି।

ସବୁଠୁ ବଡ଼କଥା ହେଲା ଧାମନଗରରେ ଗତକାଲିଠୁ ସରିଯାଇଛି ହାଇଭୋଲଟେଜ ପ୍ରଚାର। ହେଲେ ତିନି ଦଳର ଷ୍ଟାର ପ୍ରଚାରକ ଧାମନଗର ମାଟି ମାଡ଼ିନାହାନ୍ତି। ଯାହାକୁ ନେଇ ମଧ୍ୟ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଧାମନଗର ଯିବେ ବୋଲି ଚର୍ଚ୍ଚା ହେଉଥିଲା ହେଲେ ସେ ଭର୍ଚୁଆଲ ମାଧ୍ୟମରେ ଦଳୀୟ ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ପ୍ରଚାର କରିଥିଲେ। ବିଜେଡି ଷ୍ଟାର ପ୍ରଚାରକ ତାଲିକାରେ ପୂର୍ବତନ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ନାମ ଥିବା ବେଳେ ତାଙ୍କୁ ଧାମନଗର ମଇଦାନରେ ଦେଖିବାକୁ ମିଳିନଥିଲା। ସେହିପରି ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାମ ଥିବା ବେଳେ ତାଙ୍କୁ ପ୍ରଚାର ମଇଦାନରେ ଦେଖିବାକୁ ମିଳିନଥିଲା।

ନଭେମ୍ବର ୩ତାରିଖ ଗୁରୁବାର ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ । ମୋଟ ୨ଲକ୍ଷ ୩୮ହଜାର ୪୧୭ଜଣ ଭୋଟର ଧାମନଗର ନିର୍ବାଚନମଣ୍ଡଳୀର ୨୫୨ଟି ବୁଥରେ ନିଜର ମତାଧିକାର ସାବ୍ୟସ୍ତ କରିବେ । ଏଥିରୁ ୧୦୭ଟି ବୁଥ ସମ୍ବେଦନଶୀଳ ଥିବାବେଳେ ପ୍ରାୟ ୫୦% ବୁଥରେ ୱେବକାଷ୍ଟିଂ କରିିବାକୁ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି । ନିର୍ବାଚନ ପରିଚାଳନା ନିମନ୍ତେ ମୋଟ ୨ଜଣ ପର୍ଯ୍ୟବେକ୍ଷକ ଓ ଅନ୍ୟ ୨୬ଜଣ ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି । ଅବାଧ ଓ ନିରପେକ୍ଷ ନିର୍ବାଚନ ନିମନ୍ତେ ୨ କମ୍ପାନୀ ସିଆରପିଏଫ ଓ ୨ କମ୍ପାନୀ ବିଏସଏଫକୁ ମୁତୟନ କରାଯାଇଛି ଓ ୨୩ ପ୍ଲାଟୁନରୁ ଅଧିକ ରାଜ୍ୟ ପୁଲିସ ମଧ୍ୟ ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି ।

Leave A Reply

Your email address will not be published.