Odisha Link
Bridging the Missing Links in Odisha

ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲା, ଇଡିର ଖୋଳତାଡ଼ ଆରମ୍ଭ

ଇଡିର ୬ ଜଣିଆ ଟିମ ଏହି ତଦନ୍ତ କରୁଛି।

ଓଏଲ୍‌ ବ୍ୟୁରୋ: ପୁଣିଥରେ ଚର୍ଚ୍ଚାରେ ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲା। ଜେଲରେ ଥିବା ଅର୍ଚ୍ଚନା ନାଗଙ୍କ ପାଇଁ ବଢ଼ିଲା ଅଡ଼ୁଆ। କାରଣ ବ୍ଲାକମେଲିଂର ଗୁମର ଖୋଲିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ପ୍ରାଥମିକ ପର୍ଯ୍ୟାୟରେ ମୋଟ ୪ ଜଣଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଇଡି।

ଅର୍ଚ୍ଚନା ନାଗ, ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ, ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱର ଓ ଖଣ୍ଡଗିରି ଥାନାରେ ଅର୍ଚ୍ଚନାଙ୍କ ନାଁରେ ମାମଲା ରୁଜୁ କରିଥିବା ଯୁବତୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାମରେ ମାମଲା ରୁଜୁ କରିଛି ଇଡି। ଇଡିର ୬ ଜଣିଆ ଟିମ ଏହି ତଦନ୍ତ କରୁଛି। ପ୍ରାଥମିକ ପର୍ଯ୍ୟାୟରେ ଏମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ନେଇ ତଦନ୍ତ ଆରମ୍ଭ ହୋଇଛି।

ନେତା, ବ୍ୟବସାୟୀ ଓ ଫିଲ୍ମ ପ୍ରଯୋଜକଙ୍କୁ ବ୍ଲାକମେଲ୍‌ କରି ମାୟାବିନୀ ସୁନ୍ଦରୀ ଅର୍ଚ୍ଚନା ନାଗ କୋଟି କୋଟି ଟଙ୍କା ରୋଜଗାର କରୁଥିଲା। ମାତ୍ର ୫ ବର୍ଷରେ ଅର୍ଚ୍ଚନା ଏତେ ସମ୍ପତ୍ତି କିପରି ଅର୍ଜନ କଲେ ତାର ହିସାବ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ମୁଖ୍ୟତଃ ଆର୍ଥିକ କାରବାର ବାବଦରେ ଅଧିକ ତଥ୍ୟ ହାସଲ କରିବା ଇଡି ତଦନ୍ତର ଲକ୍ଷ୍ୟ। କେଉଁ କେଉଁ ଆକାଉଣ୍ଟରୁ ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ଟଙ୍କା ଆସିଛି ତାହା ସ୍ପଷ୍ଟ ହେବ। ଜଣେ ବାହୁବଳୀ ନେତାଙ୍କ ପୁତୁରା ଆକାଉଣ୍ଟରୁ ଅର୍ଚ୍ଚନା ପାଖକୁ ଲକ୍ଷ ଲକ୍ଷ ଟଙ୍କା ଆସିଥିଲା। ଏ ସବୁ ପ୍ରମାଣ ପୁଲିସ୍‌ ପାଖରେ ରହିଛି।

ହେଲେ ସେ ବାହୁବଳୀ ନେତା କି ପୁତୁରାକୁ ପୁଲିସ୍‌ ଜେରା କରିନଥିଲା। କେଉଁମାନେ କାର୍‌, ସୁନା, ପ୍ଲଟ୍‌ ଓ ଦାମୀ ଉପକରଣ ଗିଫ୍ଟ୍‌ କରିଛନ୍ତି ସେମାନଙ୍କୁ ମଧ୍ୟ ଇଡି ଖୋଜି। ଏଥିରେ ସଂପୃକ୍ତ ଥିବା ଲୋକଙ୍କୁ ପ୍ରଥମେ ଇଡ଼ି ନୋଟିସ୍‌ କରିବ। ତା’ପରେ ଅର୍ଚ୍ଚନାଙ୍କ ସହ ତାଙ୍କର ଆର୍ଥିକ କାରବାରର କାରଣ ଖୋଜିବ।

ଅର୍ଚ୍ଚନାଙ୍କ ଫାସରେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ବିଜେପି ନେତା କନକବର୍ଧନ ସିଂହଦେଓ, ରାଜନେତା ଦିଲ୍ଲୀପ ରାୟ, ଜୁଏଲ ଓରାମ ଓ କୌଳାସ କୁଲେସିକା ଫସିଥିବା ଅଭିଯୋଗ ହୋଇଥିଲେ ସୁଦ୍ଧା କୌଣସି ଅଭିଯୋଗ ପ୍ରମାଣିତ ହୋାଇନାହିଁ। କିନ୍ତୁ ଏହିସବୁ ନେତାଙ୍କ ସହ ଅର୍ଚ୍ଚନାଙ୍କ ଫଟୋ ଭାଇରାଲ ହୋଇଥିଲା।

ଏହାଛଡା କିଛି ପ୍ରତିଷ୍ଠିତ ବ୍ୟବସାୟୀ ଓ ବଡବଡିଆ ଅଧିକାରୀଙ୍କୁ ବ୍ଲାକମେଲ କରୁଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ରାଜ୍ୟ ରାଜନୀତି ବି ସରଗରମ ହୋଇଥିଲା। ବିଜେପି ଓ କଂଗ୍ରେସ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଥିଲେ।

Leave A Reply

Your email address will not be published.