Odisha Link
Bridging the Missing Links in Odisha

ଧାମନଗର ଉପନିର୍ବାଚନ : ପୁଣି ଇଭିଏମ୍‌ ମେସିନ୍‌ ଅଚଳ

ଓଏଲ୍‌ ବ୍ୟୁରୋ: ଆଜି ନେତା ବାଛୁଛନ୍ତି ଧାମନଗରବାସୀ। ଧାମନଗର ଉପନିର୍ବାଚନ ପାଇଁ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା। ସକାଳୁ ସକାଳୁ କିଛି ମତଦାନ କେନ୍ଦ୍ରରେ ମଧ୍ୟ ଲମ୍ବା ଲାଇନ୍‌ ଦେଖିବାକୁ ମିଳିଛି। କିନ୍ତୁ ଏଭଳି କିଛି ମତଦାନ କେନ୍ଦ୍ର ଅଛି ଯେଉଁଠି ଲାଗି ରହିଛି ଲମ୍ବା ଲାଇନ୍‌ କିନ୍ତୁ ଇଭିଏମରେ ଯାନ୍ତ୍ରିକ ତ୍ରୁଟି ପରିଲିକ୍ଷିତ ହୋଇଛି। ଯାହାକୁ ନେଇ ଜନତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଧାମନଗର ଏନଏସିର ୧୦ ନମ୍ବର ଓ୍ବାର୍ଡରେ ଇଭିଏମ୍ ମେସିନ ଅଚଳ ହୋଇଛି। ଆଜି ସକାଳ ପ୍ରାୟ ୯ଟା ୪୫ ମିନିଟ ବେଳୁ ଏଠାରେ ଇଭିଏମ୍ ମେସିନ ଅଚଳ ହୋଇଥିବା କୁହାଯାଉଛି। ଏହି କାରଣରୁ ମତଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି। ଏଠାକୁ ମେକାନିକ୍ ଆସୁଥିବାର ସୂଚନା ରହିଛି। ନଚେତ୍ ନୂତନ ମେସିନ୍ ବ୍ୟବସ୍ଥା କରାଯିବ ବୋଲି ଜଣାଯାଇଛି।

ଏହାପୂର୍ବରୁ ଧାମନଗର ମଙ୍ଗଳପୁର ପ୍ରାଥମିକ ସ୍କୁଲରରେ ହୋଇଥିବା ୧୫ ନମ୍ବର ବୁଥର ଇଭିଏମରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଯାହାଫଳରେ ମତଦାନ ବିଳମ୍ବ ହୋଇଛି। କିନ୍ତୁ ଧାମନଗର ବାସୀ ଭୋଟ ଦେବା ପାଇଁ ଲମ୍ବା ଲାଇନରେ ଅପେକ୍ଷା କରିଛନ୍ତି।

ସେହିପରି କାଁପଡ଼ାରେ ହୋଇଥିବା ୭୫ ନଂ ବୁଥରେ ମଧ୍ୟ ଇଭିଏମରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଏବେ ସ୍ବାଭାବିକ ସ୍ଥିତି ହୋଇଥିଲେ ବି ଜନତା ଅସନ୍ତୋଷ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.