Odisha Link
Bridging the Missing Links in Odisha

୧୭ ତମ ଫିକି ଉଚ୍ଚଶିକ୍ଷା ଶିଖର ସମ୍ମିଳନୀ, ସୋଆ ଷ୍ଟଲରେ ବିଦେଶୀ ପ୍ରତିନିଧିଙ୍କ ଭିଡ

ଭୁବନେଶ୍ୱର: ୧୭ ତମ ତିନିଦିନିଆ ‘ଫିକି’ଉଚ୍ଚଶିକ୍ଷା ଶିଖର ସମ୍ମିଳନୀ -୨୦୨୨ ସ୍ଥାନୀୟ ଇନ୍ଦିରା ଗାନ୍ଧି ଇଣ୍ଡୋର ଷ୍ଟାଡିୟମ୍‌ରେ ଗୁରୁବାର ଠାରୁ ଆରମ୍ଭ ହୋଇଛି। ଏହି ସମ୍ମିଳନୀରେ ଅନୁଷ୍ଠିତ ପ୍ରଦର୍ଶନୀରେ ସୋଆ ସମେତ ଦେଶର ବିଭିନ୍ନ ରାଜ୍ୟରୁ ୪୦ଟି ବିଶ୍ୱବିଦ୍ୟାଳୟ ଭାଗ ନେଇଛନ୍ତି। ଉଚ୍ଚଶିକ୍ଷା ପାଇଁ ବିଶ୍ୱର ଆକର୍ଷଣରେ ଭାରତର ସ୍ଥାନ ଅଗ୍ରଣୀ ଶୀର୍ଷକ ଆଲୋଚନା ଏହି ସମ୍ମିଳନୀର ମୁଖ୍ୟ ବିଷୟ ବସ୍ତୁ ରହିଛି।

ପ୍ରଥମ ଦିନର ଆରମ୍ଭରେ ଫିକି ର ଅଧ୍ୟକ୍ଷ ସଞ୍ଜିବ ମେହେତା ସ୍ୱାଗତ ଭାଷଣ ଦେଇଥିଲେ। ଭାରତ ସରକାରଙ୍କ ଶିକ୍ଷା ରାଜ୍ୟମନ୍ତ୍ରୀ ସୁବାସ ସରକାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଙ୍କ ଅଭିଭାଷଣରେ ଶିକ୍ଷା କ୍ଷେତ୍ରରେ ଭାରତର ଭୂମିକାକୁ ବିଶେଷ ଭାବେ ଉପସ୍ଥାପନ କରିଥିଲେ। ସେ କହିଥିଲେ, ଯେ ଭାରତ ଉଚ୍ଚଶିକ୍ଷା କ୍ଷେତ୍ରରେ ବିଶ୍ୱର ଆକର୍ଷଣ ହୋଇଛି । ବିଦେଶରୁ ବହୁ ଛାତ୍ରଛାତ୍ରୀ ଭାରତର ବିଶ୍ୱବିଦ୍ୟାଳୟ ମାନଙ୍କରେ ପାଠ ପଢିବା ପାଇଁ ଆସୁଛନ୍ତି। ଭାରତର ବିଶ୍ୱବିଦ୍ୟାଳୟ ମାନଙ୍କ ଶିକ୍ଷାର ମାନ ମଧ୍ୟ ବଢିବାରେ ଲାଗିଛି । ସେ ଆଶା କରିଥିଲେ ଯେ ଆଗାମୀ ଦିନରେ ଭାରତ ଉଚ୍ଚଶିକ୍ଷାର ହବ୍‌ ରେ ପରିଣତ ହେବ।

ଏହି ଶିଖର ସମ୍ମିଳନୀ ଓ ପ୍ରଦର୍ଶନୀରେ ଭାଗନେଇଥିବା ବିଶ୍ୱବିଦ୍ୟାଳୟମାନେ ସେମାନଙ୍କ ପାଠ୍ୟକ୍ରମ ସମ୍ବନ୍ଧରେ ସୂଚନା ଦେବା ପାଇଁ ଷ୍ଟଲ ଲଗାଇଛନ୍ତି। ଏଥିରେ ସୋଆର ଷ୍ଟଲ୍‌ ମଧ୍ୟ ସ୍ଥାନ ପାଇଛି। ପ୍ରଥମ ଦିନରେ ଋଷିଆ, ତାଜ୍‌କିସ୍ଥାନ,ଉଗାଣ୍ଡା, ନେପାଳ, କେନିଆ, ଇଣ୍ଡୋନେସିଆ, ଘାନା, ମାଲେସିଆ, ନାଇରୋବି ଓ ତାଇୱାନର ପ୍ରତିନିଧିମାନେ ସୋଆ ଷ୍ଟଲ୍‌କୁ ଆସି ଏହାର ବିଭିନ୍ନ ପାଠ୍ୟକ୍ରମ ପ୍ରସଙ୍ଗରେ ସୂଚନା ପ୍ରାପ୍ତ କରିଥିଲେ।

ସୋଆର ପ୍ରୋ-ଚାନ୍‌ସେଲର ପ୍ରଫେସର ଅମିତ୍‌ ବାନାର୍ଜୀ, ପ୍ରଫେସର ନଚିକେତା ଶର୍ମା, ପ୍ରଫେସର ସୌମ୍ୟା ମିଶ୍ରା ସେମାନଙ୍କୁ ବିଭିନ୍ନ ପାଠ୍ୟକ୍ରମ ପ୍ରସଙ୍ଗରେ ସୂଚନା ଦେଇଥିଲେ। ସେମାନଙ୍କୁ ମଧ୍ୟ ସୋଆର ବିଭିନ୍ନ ପାଠ୍ୟକ୍ରମ ନେଇ ଏକ ପୁସ୍ତିକା ପ୍ରଦାନ କରାଯାଇଥିଲା।ଏହି ଅବସରରେ ରାଜଧାନୀ ଦିଲ୍ଲୀରେ ସୋଆ ସଂସ୍ଥାପକଙ୍କ ଓଏସ୍‌ଡି ପ୍ରୀତମ ନାୟକ ମଧ୍ୟ ବିଭିନ୍ନ ପ୍ରତିନିଧି ମଣ୍ଡଳୀଙ୍କ ସହ ଆଲୋଚନା କରିଥିଲେ। ସୋଆର ଅଫିସ୍‌ର ଅଧିକାରୀ ସୁନୀଲ ନଉଟିୟାଲ୍‌ ମଧ୍ୟ ତାଙ୍କୁ ସହଯୋଗ କରିଥିଲେ।

Leave A Reply

Your email address will not be published.