Odisha Link
Bridging the Missing Links in Odisha

ଗୌରହରି ଦାସଙ୍କ ଗଳ୍ପ ସଂକଳନ ‘ଅଧିମୋକ୍ଷ ଓ ଅନ୍ୟାନ୍ୟ ଗଳ୍ପ’ ଉନ୍ମୋଚିତ

ଭୁବନେଶ୍ବର: ପେନ୍‌ ଇନ୍ ବୁକ୍ସ ପ୍ରକାଶିତ ପ୍ରସିଦ୍ଧ କଥାକାର ଗୌରହରି ଦାସଙ୍କ ଗଳ୍ପ ସଂକଳନ ‘ଅଧିମୋକ୍ଷ ଓ ଅନ୍ୟାନ୍ୟ ଗଳ୍ପ’ ଉନ୍ମୋଚିତ ହୋଇଯାଇଛି। ଶନିବାର ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆଠୋର ୪ର୍ଥ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବର ଦ୍ବିତୀୟ ସଂଧ୍ୟାରେ ପେନ୍‌ ଇନ୍‌ ବୁକ୍ସ ଷ୍ଟଲ୍‌ (ଷ୍ଟଲ୍‌ ନଂ ୯) ପରିସରରେ ବିଶିଷ୍ଟ ହିନ୍ଦୀ କବି ଅରୁଣ କମଲଙ୍କ ଦ୍ବାରା ଏହା ଉନ୍ମୋଚିତ ହୋଇଯାଇଛି। ଗୌରହରି ଦାସଙ୍କ ଭଳି ଜଣେ ପ୍ରସିଦ୍ଧ ଓଡ଼ିଆ କଥାକାରଙ୍କ ବହି ମେଳା ପରିସରରେ ଏଭଳି ପାଠକ ଓ ଜନସାଧାରଙ୍କ ମେଳରେ ଉନ୍ମୋଚିତ ହେବା ନେଇ ଉତ୍ସାହ ପ୍ରକଟ କରିଥିଲେ ଶ୍ରୀ କମଲ। ଶୀତତାପ ନିୟନ୍ତ୍ରିତ ହୋଟେଲର ସମ୍ମିଳନୀ କକ୍ଷ ଅପେକ୍ଷା ଏଭଳି ଲୋକଙ୍କ ଭିଡ଼ ଭିତରେ ଗୋଟିଏ ବହିର ଜନ୍ମଲଗ୍ନ ଅଧିକ ପ୍ରାସଙ୍ଗିକ ମନେହୁଏ ବୋଲି ସେ କହିଥିଲେ।

ଲେଖକୀୟ ଅଭିବ୍ୟକ୍ତି ରଖି ଶ୍ରୀ ଦାସ କହିଥିଲେ ଯେ ମଣିଷ ମୁହଁରେ ଲୁହ କରୁଣ ଦିଶେ ଓ ହସ ଉଜ୍ଜ୍ବଳ ଦେଖାଯାଏ। କିନ୍ତୁ ମୁହଁରେ ହସ ଓ ଲୁହ ଏକାସାଙ୍ଗେ ଉଭା ହେବାର ଅନୁଭବ ମୋର ହୋଇଛି। ପାଠକ ଓ ଶୁଭେଚ୍ଛୁମାନଙ୍କ ସମର୍ଥନ ଓ ଭଲପାଇବା ମୋତେ ବିଭୋର କରିଛି। ଶରତ ଚନ୍ଦ୍ରଙ୍କ ପରି ମୋର ବି ଇଚ୍ଛା ମୋର ପରବର୍ତୀ ପିଢ଼ିର କଥାକାରମାନେ ଏଭଳି ଚମତ୍କାର ଗପ ସବୁ ଲେଖନ୍ତୁ ଯେ ପାଠକ ଦିନେ ଭୁଲିଯିବେ ଗୌରହରି ଦାସ ବୋଲି ଜଣେ କେହି ଲେଖକ ଥିଲେ।

ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ବରିଷ୍ଠ କବି ଓ ସଂସ୍କୃତି ନିର୍ଦେଶକ ରଂଜନ କୁମାର ଦାସ କହିଲେ ଯେ ଗଳ୍ପ, କବିତା, ନାଟକ, ଲଳିତ ନିବନ୍ଧ, ସ୍ତମ୍ଭ, କବିତା, ଭ୍ରମଣ କାହାଣୀ ଓ ଉପନ୍ୟାସ ଆଦି ସାହିତ୍ୟର ସବୁ ବିଭାଗରେ ସଫଳ ଗୌରହରି ଜଣେ ଅଲରାଉଣ୍ଡର ଲେଖକ। ଅନ୍ୟତମ ଅତିଥି ଭାବେ କବି ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଉପ ସଭାପତି ସଂଗ୍ରାମ ଜେନା କହିଲେ ଯେ ମନୋଜ ଦାସଙ୍କ ପରେ ହଜି ଯାଉଥିବା ସାମାଜିକ ସନ୍ତକ ଓ ଚଳଣି ସହ ମାଡ଼ି ଆସୁଥିବା ଆଧୁନିକତାର ପ୍ରଦୁର୍ଭାବର ଅପୂର୍ବ ସମନ୍ବୟ ଗୌରହରିଙ୍କ ଗଳ୍ପଜଗତ। ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ପ୍ରବୋଧ ରାଉତ କହିଲେ ଯେ ଲଳିତ ନିବନ୍ଧ ରଚନାରେ ଗୌରହରିଙ୍କର ନିପୁଣତା ଓ ଗଳ୍ପ କହିବାର ଶୈଳୀ ନିଆରା। କଥାକାର ଶୁଭ୍ରାଂଶୁ ପଣ୍ଡା ଉତ୍ସବରେ ସ୍ବାଗତ ଭାଷଣ ଓ ପ୍ରାମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ କବି ଓ ସ୍ତମ୍ଭକାର ପବିତ୍ରମୋହନ କର ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.