Odisha Link
Bridging the Missing Links in Odisha

ଡାକ୍ତର ଶୁଭଶ୍ରୀ କର ମୃତ୍ୟୁ ମାମଲା : ଶୁଭଶ୍ରୀଙ୍କ ବୟଫ୍ରେଣ୍ଡଙ୍କ ମିଳୁନି ପତ୍ତା

ପୂର୍ବରୁ ଶୁଭଶ୍ରୀଙ୍କ ମୃତ୍ୟୁ ବିଷକ୍ରିୟାରୁ ହୋଇଥିବା ସ୍ପଷ୍ଟ ହେବା ପରେ ପ୍ରେମରେ ଖାଇଥିବା ଧୋକା ହେତୁ ସେ ଏପରି ଚରମ ପଦକ୍ଷେପ ଉଠାଇଥିବା କୁହାଯାଉଛି

ଓଏଲ୍ ବ୍ୟୁରୋ : ଡାକ୍ତର ଶୁଭଶ୍ରୀ କର ମୃତ୍ୟୁ ମାମଲାରେ ନୂଆ ମୋଡ଼। ମିଳୁନି ଶୁଭଶ୍ରୀ କରଙ୍କ ବୟଫ୍ରେଣ୍ଡଙ୍କ ପତ୍ତା। ମୃତ୍ୟୁର ୧୦ ଦିନ ପୂର୍ବରୁ ନିଜ ବୟଫ୍ରେଣ୍ଡ ଡାକ୍ତର ଦିବ୍ୟରଞ୍ଜନ ମାଝୀଙ୍କ ନାଁରେ ଶୁଭଶ୍ରୀ ଦୁଷ୍କର୍ମ ଏତଲା ଦେଇଥିଲେ। ତେବେ ଶୁଭଶ୍ରୀଙ୍କ ମୃତ୍ୟୁ ପଛରେ ଦିବ୍ୟରଞ୍ଜନଙ୍କ ଭୂମିକାକୁ ନେଇ ଚର୍ଚ୍ଚା ଜୋର ହୋଇଥିଲା। ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରି ଡାକ୍ତର ଶୁଭଶ୍ରୀ କରଙ୍କ ନିଖୋଜ ବୟଫ୍ରେଣ୍ଡଙ୍କୁ ଖୋଜିବାକୁ ପ୍ରସ୍ତୁତ ହୋଇଛି ପୁଲିସ୍‌।

ପୂର୍ବରୁ ଶୁଭଶ୍ରୀଙ୍କ ମୃତ୍ୟୁ ବିଷକ୍ରିୟାରୁ ହୋଇଥିବା ସ୍ପଷ୍ଟ ହେବା ପରେ ପ୍ରେମରେ ଖାଇଥିବା ଧୋକା ହେତୁ ସେ ଏପରି ଚରମ ପଦକ୍ଷେପ ଉଠାଇଥିବା କୁହାଯାଉଛି। ତେଣୁ ତାଙ୍କ ବୟଫ୍ରେଣ୍ଡ ଦିବ୍ୟରଞ୍ଜନଙ୍କୁ ଖୋଜିବାକୁ କେନ୍ଦୁଝର ପୁଲିସ୍‌ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିବା ଏଏସ୍‌ପି ସୂଚନା ଦେଇଛନ୍ତି। ଗତ ୩୧ ତାରିଖ ରାତିରେ ନିଜ ସହକର୍ମୀଙ୍କ ସହ ନାଚଗୀତ କରି ଜିରୋ ନାଇଟ ସେଲିବ୍ରେସନ କରିଥିବା ଶୁଭଶ୍ରୀଙ୍କ ମୃତଦେହ ମିଳିଥିଲା।ନୂଆବର୍ଷ ଦିନ ନିଜ ସରକାରୀ ବାସଭବନରୁ ଉଦ୍ଧାର ହୋଇଥିବାବେଳେ ମୃତଦେହ ନିକଟରୁ ଏକ ବିଷ ବୋତଲ ଜବତ ହୋଇଥିଲା।

ତେବେ ଶୁଭଶ୍ରୀଙ୍କ ମୃତ୍ୟୁ ଉକ୍ତ ବୋତଲର ବିଷ ଯୋଗୁଁ ହୋଇଛି ନା ଅନ୍ୟ କିଛି ବିଷକ୍ରିୟା ହୋଇଛି ତାହା ସ୍ପଷ୍ଟ କରିବା ନିମନ୍ତେ ଉକ୍ତ ବୋତଲକୁ ଭୁବନେଶ୍ୱର ଫରେନସିକ ଲ୍ୟାବକୁ ପଠାଯାଇଛି। ମୃତ୍ୟୁର ୧୦ ଦିନ ପୂର୍ବରୁ ଶୁଭଶ୍ରୀ ଯୋଡ଼ା ଥାନାରେ ଡାକ୍ତର ଦିବ୍ୟରଞ୍ଜନ ମାଝୀଙ୍କ ନାମରେ ଦୁଷ୍କର୍ମ ମାମଲା ଅଭିଯୋଗ କରିଥିଲେ। ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଡାକ୍ତର ଦିବ୍ୟରଞ୍ଜନ ମାଝୀ ପରେ ବିବାହ ପାଇଁ ମନା କରିଦେବାରୁ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ତ ହୋଇଥିଲେ ଡାକ୍ତର ଶୁଭଶ୍ରୀ କର।

ବଡ଼ବିଲ୍ ଜେଏମ୍ଏଫସି କୋର୍ଟରେ ଶୁଭଶ୍ରୀଙ୍କ ୧୬୪ ବୟାନ ମଧ୍ୟ ରେକର୍ଡ ହୋଇ ଉଭୟ ପକ୍ଷ ମଧ୍ୟରେ ଆପୋଷ ସମାଧାନ ହୋଇ ଯାଇଥିବା ବେଳେ ମାମଲା ଆଉ ଆଗକୁ ବଢ଼ି ନ ଥିଲା।ଘଟଣା ପରେ ଉକ୍ତ ଦିନ ହିଁ ଦିବ୍ୟରଞ୍ଜନ ନୁଆଗାଁ ଡିସ୍ପେନସାରୀରୁ ମେଡିକାଲ ଅଫିସର ପଦରୁ ଇସ୍ତଫା ଦେଇଥିବା ଜଣା ପଡିଥିଲା। ନିଜ ଇସ୍ତଫା ପତ୍ରରେ ଦିବ୍ୟରଞ୍ଜନ ବିବାହ ନିମନ୍ତେ ଭୁବନେଶ୍ୱର ଯାଉଥିବା ଉଲ୍ଲେଖ କରିଛନ୍ତି। ତେବେ ଏବେ ତାଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ହୋଇଥିବାରୁ ତାଙ୍କୁ ଖୋଜିବାକୁ ବିଭିନ୍ନ ସ୍ଥାନକୁ ଯାଉଛି ସ୍ୱତନ୍ତ୍ର ଟିମ୍‌। ବର୍ତ୍ତମାନ ସୁଦ୍ଧା ଡାକ୍ତର ଶୁଭଶ୍ରୀ କରଙ୍କ ବୟଫ୍ରେଣ୍ଡଙ୍କ ମିଳୁନି କୌଣସି ପତ୍ତା।

Leave A Reply

Your email address will not be published.